ହାଲେପ୍‌ଙ୍କୁ ହରାଇ ସେରେନା ଆଗେଇଲେ

ଭେରେଭ୍‌, ମୁଗୁରୁଜାଙ୍କ ଅଭିଯାନ ଶେଷ : କ୍ବାର୍ଟରରେ ଜୋକୋଭିକ୍‌, ନିଶିକୋରି, ଓସାକା, ସ୍ବିତୋଲିନା

ମେଲ୍‌ବର୍ନ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍‌ ଓପନ୍‌ର ମହିଳା ଏକକରେ ପୂର୍ବତନ ଶୀର୍ଷ ଖେଳାଳି ସେରେନା ୱିଲିୟମ୍ସ ଅଷ୍ଟମ ଟ୍ରଫି ଦିଗରେ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି। ସୋମବାର ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ୨୩ ଗ୍ରାଣ୍ଡ୍‌ ସ୍ଲାମ୍‌ ଏବଂ ଏଠାରେ ୭ ଟ୍ରଫି ଜିତିଥିବା ଆମେରିକା ଲଲନା ସେରେନା ୬-୧, ୪-୬, ୬-୪ ସେଟ୍‌ରେ ଶୀର୍ଷ ମାନ୍ୟତା ତଥା ଗତ ଥରର ଉପବିଜୟିନୀ ରୋମାନିଆର ସିମୋନା ହାଲେପ୍‌ଙ୍କୁ ହରାଇଥିଲେ। କ୍ବାର୍ଟର୍‌ ଫାଇନାଲ୍‌ରେ ୩୭ ବର୍ଷୀୟା ‌ସେରେନା ସପ୍ତମ ମାନ୍ୟତା ଚେକ୍‌ ଗଣରାଜ୍ୟର କାରୋଲିନା ପ୍ଲିସ୍‌କୋଭାଙ୍କୁ ଭେଟିବେ। ପ୍ଲିସକୋଭା ସିଧାସଳଖ ୬-୩, ୬-୧‌ ସେଟ୍‌ରେ ଦୁଇଥରର ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟିନୀ ଗାର୍ବିନ୍‌ ମୁଗୁରୁଜାଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଥିଲେ। ସେହିଭଳି ୟୁଏସ୍‌ ଓପନ୍‌ ବିଜୟିନୀ ତଥା ଚତୁର୍ଥ ମାନ୍ୟତା ନାଓମି ଓସାକା ୪-୬, ୬-୩, ୬-୪ ସେଟ୍‌ରେ ୧୩ ମାନ୍ୟତା ଆନାସ୍ତାସିଜା ସେବାତ୍ସୋଭାଙ୍କୁ ମାତ୍‌ ଦେଇଥିଲେ। ସେମିଫାଇନାଲ୍‌ ସ୍ଥାନ ପାଇଁ ଜାପାନୀ ଝିଅ ଓସାକା ଷଷ୍ଠ ମାନ୍ୟତା ୟୁକ୍ରେନ୍‌ର ଏଲିନା ସ୍ବିତୋଲିନାଙ୍କୁ ଭେଟିବେ। ୨୦୧୭ ୟୁଏସ୍‌ ଓପନ୍‌ ଫାଇନାଲିଷ୍ଟ୍‌ ଆମେରିକାର ମାଡିସନ୍‌ କିଜ୍‌ଙ୍କୁ ୨-୬, ୬-୧, ୧-୬ ସେଟ୍‌ରେ ସ୍ବିତୋଲିନା ହରାଇ ନିଜ ପାଇଁ କ୍ବାର୍ଟର୍‌ ଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ।
ପୁରୁଷ ଏକକରେ ଷୋଡ଼ଶ ମାନ୍ୟତା ମିଲୋସ ରାଓନିକ୍‌ ସମସ୍ତଙ୍କୁ ଚକିତ କରି କ୍ବାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। କାନାଡ଼ା ତାରକା ରାଓନିକ୍‌ ଏକତରଫା ଭାବେ ୬-୧, ୬-୧, ୭-୬ ସେଟ୍‌ରେ ଚତୁର୍ଥ ମାନ୍ୟତା ଜର୍ମାନୀର ୨୧ ବର୍ଷୀୟ ଆଲେକ୍‌ଜାଣ୍ଡର ଭେରଭଙ୍କୁ ପରାଜିତ କରିଥିଲେ। ୨୮ ବର୍ଷୀୟ ରାଓନିକ୍‌ କ୍ବାର୍ଟର୍‌ ଫାଇନାଲ୍‌ରେ ୨୮ ମାନ୍ୟତା ଫ୍ରାନ୍ସର ଲୁକାସ ପୌଲିଙ୍କୁ ଭେଟିବେ। ପୌଲି ୬-୭, ୬-୪, ୭-୫, ୭-୬ ସେଟ୍‌ରେ ଏକାଦଶ ମାନ୍ୟତା କ୍ରୋଏସିଆର ବେର୍ନା କୋରିକ୍‌ଙ୍କୁ ହରାଇ ପ୍ରଥମ ଥର ଲାଗି ଏଠାରେ କ୍ବାର୍ଟର୍‌ ଫାଇନାଲ୍‌‌ରେ ପ୍ରବେଶ କରିଥିଲେ। ‌ଶୀର୍ଷ ମାନ୍ୟତା ତଥା ୧୪ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜେତା ନୋଭାକ ଜୋକୋଭିକ ଏଠାରେ ସପ୍ତମ ଟ୍ରଫି ଦିଗରେ ଆଉ ଏକ ପାଦ ଅଗକୁ ବଢ଼ିଛନ୍ତି। ‌ସର୍ବିଆ ତାରକା ଜୋ‌କୋଭିକ୍‌ ୬-୪, ୬-୭, ୬-୨, ୬-୩ ସେଟ୍‌ରେ ପଞ୍ଚଦଶ ମାନ୍ୟତା ରୁଷିଆର ଦାନିଲ୍‌ ମେଦଭେଦେଭଙ୍କୁ ହରାଇଥିଲେ। ସେମିଫାଇନାଲ୍‌ ପାଇଁ ଜୋକୋଭିକ୍‌ ଜାପାନର କେଇ ନିଶିକୋରିଙ୍କୁ ଭେଟିବେ। ଅଷ୍ଟମ ମାନ୍ୟତା ନିଶିକୋରି ୬-୭, ୪-୬, ୭-୬, ୬-୪, ୭-୬ ସେଟ୍‌ରେ ୨୩ ମାନ୍ୟତା ସ୍ପେନ୍‌ର ପାବ୍ଲୋ କାରିନୋ ବୁଷ୍ଟାଙ୍କୁ ହରାଇ କ୍ବାର୍ଟର୍‌ ଫାଇନାଲ୍‌ରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର