ସେରେନାଙ୍କ ସ୍ୱପ୍ନ ଅଧୁରା

ଓସାକାଙ୍କୁ ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି

ନ୍ୟୁୟର୍କ: ୟୁଏସ୍‌ ଓପନ୍‌ ଏଥର ଜଣେ ନୂଆ ବିଜୟିନୀଙ୍କୁ ଦେଖିବାକୁ ପାଇଲା। ସେ ହେଲେ ଜାପାନୀ ଲଳନା ନାଓମି ଓସାକା। ପ୍ରଥମ ଥର ଲାଗି ଗ୍ରାଣ୍ଡ୍‌ ସ୍ଲାମ୍‌ ଫାଇନାଲ୍‌ରେ ପହଞ୍ଚି ସେ ବିଜୟ ବାନା ଉଡାଇଲେ। ଶନିବାର ଫାଇନାଲ୍‌ରେ ୨୦ ବର୍ଷ ବୟସ୍କା ଓସାକା ଏଠାରେ ୬ ଥର ବିଜୟିନୀ ଆମେରିକାର ସେରେନା ଓ୍ଵିଲିୟମ୍‌ସଙ୍କୁ ୬-୨ ଓ ୬-୪ ସିଧାସଳଖ ସେଟ୍‌ରେ ପରାସ୍ତ କରି ଚଳିତ ବର୍ଷର ୟୁଏସ୍‌ ଓପନ୍‌ ମହିଳା ଏକକ ଟ୍ରଫି କରାୟତ କରିନେଲେ। ନିଜ ଟେନିସ୍‌ ଜୀବନ ମଧ୍ୟରେ ଓସାକାଙ୍କର ଏହା ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ହୋଇଥିଲା ବେଳେ ସେ ମଧ୍ୟ କୌଣସି ଗ୍ରାଣ୍ଡ୍‌ ସ୍ଲାମ୍‌ ଏକକ ଟ୍ରଫି ଜିତିବାରେ ପ୍ରଥମ ଜାପାନୀ ଖେଳାଳି ହେବାର ଇତିହାସ ରଚିିଛନ୍ତି। କେବଳ ସେତିକି ନୁହେଁ ଓସାକା ମଧ୍ୟ ଫାଇନାଲ୍‌ ଜିତି ସେରେନା ଓ୍ଵିଲିୟମ୍‌ସଙ୍କ କୀତିମାନ ସମକକ୍ଷ ୨୪ତମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ଜିତିବାର ସ୍ୱପ୍ନକୁ ଧୂଳିସାତ୍‌ କରିଦେଇଥିଲେ। ମୋଟ ୨୩ ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ଜିତି ସାରିଥିବା ସେରେନା ଏଠାରେ ବିଜୟୀ ହୋଇଥିଲେ ମାର୍ଗାରେଟ୍‌ କୋର୍ଟଙ୍କ ୨୪ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି କୀର୍ତିମାନର ସମକକ୍ଷ ହୋଇଥାନ୍ତେ। ହେଲେ ଓସାକା ସବୁକିଛି ବିଗାଡ଼ି ଦେଲେ। କିନ୍ତୁ ଘରୋଇ ସମର୍ଥକ ଓ ଦର୍ଶକଙ୍କ ସାମ୍‌ନାରେ ଓସାକାଙ୍କ ନିକଟରୁ ପରାଜୟକୁ ସହଜରେ ଗ୍ରହଣ କରିପାରିନଥିଲେ ସେରେନା। ଯାହାକି ମ୍ୟାଚ୍‌ ବେଳେ ତାଙ୍କର ଅଶୋଭନୀୟ ଆଚରଣରୁ ସ୍ପଷ୍ଟ ହୋଇଯାଇଥିଲା। ଅନ୍ୟପକ୍ଷରେ ସେରେନାଙ୍କ ସହ ୟୁଏସ୍‌ ଓପନ୍‌ ଫାଇନାଲ୍‌ରେ ଖେଳିବା ମୋର ସବୁବେଳର ସ୍ୱପ୍ନ ରହିଥିଲା। ଆଉ ଏଥର ସେହି ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରିଛି। ପୁଣି ତାଙ୍କ ବିପକ୍ଷରେ ଫାଇନାଲ୍‌ ଜିତିବା ମଧ୍ୟ ମୋ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ମ୍ୟାଚ୍‌ ଶେଷରେ ଓସାକା ପ୍ରତିକ୍ରିୟା ରଖିଥିଲେ। ଅନ୍ୟପକ୍ଷରେ ଓସାକାଙ୍କ ଐତିହାସିକ ସଫଳତାରେ ସାରା ଜାପାନ ଉତ୍ସବ ମୁଖର ହୋଇପଡ଼ିଛି। ସାରା ଦେଶରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି। ଝିଅର ଟ୍ରଫି ବିଜୟ ଖୁସୀରେ ଷ୍ଟାଡିୟମ୍‌ରେ ଉପସ୍ଥିତ ଓସାକାଙ୍କ ମା ଓ ପରିବାର ସଦସ୍ୟଙ୍କ ଆଖି ଲୋତକରେ ଭରି ଯାଇଥିଲା। ଅନ୍ୟପକ୍ଷରେ ଜାପାନ ପ୍ରଧାନମନ୍ତ୍ରୀ ସିନ୍‌ଜୋ ଆବେ ଓସାକାଙ୍କ ଐତିହାସିକ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସେରେନାଙ୍କ ଉଗ୍ର ଉତ୍ସୃଙ୍ଖଳତା
ଶନିବାର ଫାଇନାଲ୍‌ ଆରମ୍ଭରୁ ସେରେନା ହିଁ ଟ୍ରଫି ଜିତିବାର ପ୍ରମୁଖ ଦାବିଦାର ଥିଲେ। ବରିଷ୍ଠତା, ଅଭିଜ୍ଞତା ଓ ଶକ୍ତିଶାଳୀ ସଟ୍‌ ପାଇଁ ଖ୍ୟାତ ସେରେନାଙ୍କ ବିପକ୍ଷରେ ଓସାକା ତିଷ୍ଠିବା କେହି ବିଶ୍ୱାସ କରିନଥିଲେ। ସେରେନାଙ୍କ କୀର୍ତିମାନ ସମକକ୍ଷ ମୁହୂର୍ତ୍ତକୁ ଉପଭୋଗ କରିବା ପାଇଁ ସାରା ଷ୍ଟାଡିୟମ୍‌ ଦର୍ଶକ ଭରପୁର ହୋଇଯାଇଥିଲା। ହେଲେ ଅବିଶ୍ୱସନୀୟ ଭାବେ ବିଶ୍ୱ ମାନ୍ୟତାର ସପ୍ତଦଶ ସେରେନାଙ୍କୁ ଆରମ୍ଭରୁ କଡ଼ା ଆହ୍ଵାନ ଦେଇଥିଲେ ବିଂଶତମ ମାନ୍ୟତା ଓସାକା। ଏହି ମୁକାବିଲାରେ ୩୧ତମ ଗ୍ରାଣ୍ଡ୍‌ ସ୍ଲାମ୍‌ ଫାଇନାଲ୍‌ ପ୍ରବେଶ କରିଥିବା ସେରେନା ଯେଭଳି ପ୍ରଥମ ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ଫାଇନାଲ୍‌ ପହଞ୍ଚିଥିବା ଓସାକାଙ୍କ ନିକଟରେ ମଳିନ ପଡ଼ିଯାଇଥିଲେ। ଯାହା ଫଳରେ ଓସାକା ପ୍ରଥମ ସେଟ୍‌କୁ ଅତି ସହଜରେ ୬-୨ରେ ଜିତି ନେଇଥିଲେ। ଏହାପରେ ଦ୍ୱିତୀୟ ସେଟ୍‌ରେ ସେରେନାଙ୍କ ଉଗ୍ର ଉତ୍ସୃଙ୍ଖଳତା ଦେଖିବାକୁ ମିଳିଥିଲା। ଏକ ସମୟରେ ଓସାକା ୪-୩ରେ ଆଗୁଆ ଥିଲା ବେଳେ ସେରେନା ନିଜ ଉପରୁ ନିୟଂତ୍ରଣ ହରାଇଥିଲେ। ସେ କୋର୍ଟ ଭିତରେ ଖରାପ ବ୍ୟବହାର କରିବା ସାଙ୍ଗକୁ ର‍୍ୟାକେଟ୍‌ ଫିଙ୍ଗାଫୋପଡା କରିଥିଲେ। ଏଭଳି ଅଶୋଭନୀୟ ଆଚରଣ ପାଇଁ ଚେୟାର ଅମ୍ପାୟାର କାର୍ଲୋସ୍‌ ରାମୋସ୍‌ ଗୋଟିଏ ପେନାଲ୍‌ଟି ପଏଣ୍ଟ୍‌ ଲଦି ଦେଇଥିଲେ। ଯାହା ଫଳରେ ଓସାକା ୫-୩ରେ ଆଗେଇ ଯାଇଥିଲେ। ଅମ୍ପାୟାରଙ୍କ ପେନାଲ୍‌ଟି ପଏଣ୍ଟ୍‌ ନିଷ୍ପତ୍ତିରେ ତୀବ୍ର ଅସନ୍ତୋଷ ପ୍ରକଟ କରିଥିଲେ ସେରେନା। ଏହି ସମୟରେ ତାଙ୍କ ପ୍ରଶିକ୍ଷକ ପାଟ୍ରିକ୍‌ ମୁରାତୋଗ୍ଲୁ ପ୍ଲେୟାର ବକ୍ସରୁ ହାତରେ କିଛି ସଂକେତ ଦେଉଥିବା ଦେଖାଯାଇଥିଲା। ଏହାପରେ ସେରେନା ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା ସାଙ୍ଗକୁ ତାଙ୍କୁ ଚୋର ବୋଲି ଆକ୍ଷେପ କରିଥିଲେ। ମୋର ପଏଣ୍ଟ୍‌ ଚୋରି କରିନେଲେ ବୋଲି ସେରେନା ଚେୟାର ଅମ୍ପାୟାରଙ୍କ ଉଦ୍ଦେଶ୍ୟରେ ମନ୍ତବ୍ୟ ଦେଇଥିଲେ। ଯାହାକି ଖୋଲାଖୋଲି ନିୟମର ଉଲଂଘନ ଥିଲା। ଆଉ ଏଭଳି ଉତ୍ସ୍‌ୃଙ୍ଖଳ ଆଚରଣ ସହିତ ଶେଷରେ ସେରେନା ପରାଜୟ ବରଣ କରିଥିଲେ। ଏଥି ସହିତ ଚଳିତ ବର୍ଷ କ୍ରମାଗତ ଦ୍ୱିତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ଫାଇନାଲ୍‌ ଖେଳିଥିବା ସେରେନାଙ୍କ ଲଗାତାର ଟ୍ରଫି ହାସଲ ସ୍ୱପ୍ନ ଧୂଳିସାତ୍‌ ହୋଇଯାଇଥିଲା। ଓସାକାଙ୍କ ବିଜୟ ସହ ବିବାଦୀୟ ମ୍ୟାଚ୍‌ର ସମାପ୍ତି ଘଟିଥିଲା। ଓସାକା ୩.୮ ମିଲିୟନ୍‌ ଡଲାର ମୂଲ୍ୟର ବିଜେତା ଚେକ୍‌ ଓ ଟ୍ରଫି ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର