ନ୍ୟୁୟର୍କ: ଆମେରିକୀୟ ମହାନ୍ ମହିଳା ଟେନିସ୍ ତାରକା ସେରେନା ୱିଲିୟମ୍ସଙ୍କ ଚଳିତ ବର୍ଷର ୟୁଏସ୍ ଓପନ୍ ଅଭିଯାନ ମହିଳା ଏକକ ତୃତୀୟ ରାଉଣ୍ଡ୍ ପରାଜୟ ସହ ଶେଷ ହୋଇଯାଇଛି। ଏଥି ସହିତ ପ୍ରାୟ ଦୁଇ ଦଶନ୍ଧୀ ଧରି ଟେନିସ୍ରେ ରାଜୁତି କରିଆସୁଥିବା ସେରେନା ମଧ୍ୟ ୟୁଏସ୍ ଓପନ୍କୁ ଅଲ୍ବିଦା ଜଣାଇଛନ୍ତି। ଫଳରେ ଏଠାରେ ୬ ଥର ଏକକ ଟ୍ରଫି ଜିତିଥିବା ସେରେନା ଆଉ ୟୁଏସ୍ ଓପନ୍ ଖେଳିବେନି। ଶନିବାର ମହିଳା ଏକକ ତୃତୀୟ ରାଉଣ୍ଡରେ ସେ ୪୬ତମ ମାନ୍ୟତାପ୍ରପ୍ତ ଅଷ୍ଟ୍ରେଲୀୟ ତାରକା ଆଜ୍ଲା ତୋମ୍ଜାନୋଭିକ୍ଙ୍କ ନିକଟରୁ ୭-୫, ୬-୭ ଓ ୬-୧ ସେଟ୍ରେ ପରାସ୍ତ ହେଲେ। ଏଥି ସହିତ ସେରେନାଙ୍କୁ ପରାସ୍ତ କରିଥିବା ଶେଷ ଖେଳାଳି ଜଣକ କିଏ? ବୋଲି ପ୍ରଶ୍ନର ଉତ୍ତରରେ ତୋମ୍ଜାନୋଭିକ୍ଙ୍କ ନାମ ଇତିହାସ ପୃଷ୍ଟାରେ ସବୁଦିନ ପାଇଁ ଲିପିବଦ୍ଧ ରହିଯିବ। ଏଭଳି ଟେନିସ୍ ଇତିହାସରେ ମୁଁ ଅଂଶବିଶେଷ ହୋଇ ରହିପାରିବି ବୋଲି କଦାପି ଭାବିନଥିଲି ବୋଲି କହିଥିଲେ ତୋମ୍ଜାନୋଭିକ୍। ତୋମ୍ଜାନୋଭିକ୍ଙ୍କଠୁ ପରାଜୟ ଯୋଗୁଁ ସେରେନାଙ୍କ ୨୪ତମ ଗ୍ରାଣ୍ଡ୍ସ୍ଲାମ୍ ବିଜୟ ଆଶା ଅପୂରଣୀୟ ରହିଗଲା। ଚଳିତ ପ୍ରତିଯୋଗିତାରେ ସେରେନା ମଧ୍ୟ ମହିଳା ଯୁଗଳରୁ ଶୁକ୍ରବାର ବିଦାୟ ନେଇଥିଲେ। ଶନିବାର ପରାଜୟ ପରେ ଏହା ତାଙ୍କ କ୍ୟାରିୟରର ଅନ୍ତିମ ୟୁଏସ୍ ଓପନ୍ ବୋଲି ସେରେନା ଘୋଷଣା କରିଥିଲେ। ସେ ମଧ୍ୟ ଶନିବାର ତାଙ୍କର ଶେଷ ୟୁଏସ୍ ଓପନ୍ ଖେଳିଲେ ବୋଲି କହିଛନ୍ତି।
ଟେନିସ୍ରୁ ଅବସର ଘୋଷଣା କରିଦେବେ ବୋଲି ଗତମାସରେ ସଂକେତ ଦେଇଥିଲେ। ହେଲେ ଚଳିତ ୟୁଏସ୍ ଓପନ୍ ଯେ ତାଙ୍କ କ୍ୟାରିୟରର ଶେଷ ପ୍ରତିଯୋଗିତା ହେବ ବୋଲି କଦାପି ସ୍ପଷ୍ଟ କରିନଥିଲେ। କିନ୍ତୁ ଶନିବାର ଏକକ ବର୍ଗ ତୃତୀୟ ରାଉଣ୍ଡ ହାରିଯିବା ପରେ ଅଚାନକ ଏହା ତାଙ୍କର ଅନ୍ତିମ ୟୁଏସ୍ ଓପନ୍ ବୋଲି ଜଣାଇଦେଲେ। ଏହି ନିଷ୍ପତ୍ତି ଘୋଷଣା କରିବା ବେଳେ ୪୦ ବର୍ଷ ବୟସ୍କା ଏବଂ ୨୩ ଗ୍ରାଣ୍ଡ୍ସ୍ଲାମ୍ ବିଜୟିନୀ ସେରେନା ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଥିଲେ। ଦ୍ବିତୀୟ ରାଉଣ୍ଡରେ ବିଶ୍ବ ମାନ୍ୟତାର ଦ୍ବିତୀୟ ଆନେଟ୍ କୋଣ୍ଡାଭିଟ୍ଙ୍କୁ ପରାସ୍ତ କରିବା ହିଁ ତାଙ୍କ ପ୍ରଶଂସକଙ୍କ ପାଇଁ ଶେଷ ଉପହାର ଥିଲା ବୋଲି କହିଥିଲେ। ମୁଁ ଏବେ ବି ଟେନିସ୍ ଖେଳିବା ପାଇଁ ପୂରା ସକ୍ଷମ ଅଛି। ହେଲେ ଏହାଠୁ ଅଲଗା କିଛି କରିବାକୁ ଚାହେଁ। ମୁଁ ଏବେ ଜଣେ ଭଲ ମା’ ହେବାକୁ ପ୍ରସ୍ତୁତ ଅଛି। ଆଗକୁ ଜଣେ ଭିନ୍ନ ସେରେନାଙ୍କୁ ଦେଖିବାକୁ ପାଇବେ ବୋଲି ଭାବବିହ୍ବଳ ସେରେନା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। ବୈଷୟିକ ଦୃଷ୍ଟିକୋଣୁ ବିଶ୍ବରେ ଏବେ ବି ମୁଁ ପୂରା ଯୁବତୀ ଭଳି ଅଛି। ତେଣୁ ଜୀବନକୁ ଭିନ୍ନ ପ୍ରକାରେ ବିତାଇବାକୁ ଚାହେଁ। ଆଗକୁ ମୋର ଭବିଷ୍ୟତ ଉଜ୍ଜଳ ବୋଲି ସେ କହିଥିଲେ।
ଟାଇଗର ଉଡ୍, ଓବାମା, ଫେଲ୍ପ୍ସଙ୍କ ସଲାମ
ୟୁଏସ୍ ଓପନ୍କୁ ଅଲ୍ବିଦା ଜଣାଇଥିବା ସେରେନା ୱିଲିୟମ୍ସଙ୍କୁ ସଲାମ ଜଣାଇଛନ୍ତି ଗଲ୍ଫ ତାରକା ଟାଇଗର ଉଡ୍ସ, ଆମେରିକାର ପୂର୍ବତନ ପ୍ରଥମ ମହିଳା ମିଚେଲ ଓବାମା, ଟେନିସ୍ ମହାନ୍ ବିଲି ଜିନ୍ କିଙ୍ଗ୍ ଏବଂ ମହାନ୍ ସନ୍ତରଣ ତାରକା ମାଇକେଲ ଫେଲ୍ପ୍ସ। କମ୍ପ୍ଟନ୍ରୁ ଆସିଥିବା ଜଣେ ବାଳିକା କିପରି ଉତ୍ଥାନ ପଥରେ ରହି ଜଣେ ସର୍ବକାଳୀନ ମହାନ୍ ଆଥ୍ଲେଟ୍ ହୋଇପାରିଥିଲେ ତାହାକୁ ଦେଖିବାରେ ଆମେମାନେ ଭାଗ୍ୟବାନ ଥିଲୁ। ଆମେ ତୁମ ପାଇଁ ଗର୍ବିତ ବୋଲି ସେରେନାଙ୍କ ଉଦ୍ଦେଶ୍ୟରେ ମିଚେଲ ଓମାବା ଟ୍ବିଟ୍ କରିଛନ୍ତି। ଅନ୍ୟପକ୍ଷରେ ଶୁକ୍ରବାରର ସେରେନାଙ୍କ ମ୍ୟାଚ୍କୁ ଷ୍ଟାଣ୍ଡ୍ରୁ ଦେଖିଥିବା କିଙ୍ଗ୍ ମଧ୍ୟ ସେରେନା ସବୁବେଳେ ମାନସପଟ୍ଟରେ ରହିବେ ବୋଲି କହିଥିଲେ। ତାଙ୍କ ଉଜ୍ଜଳ କ୍ୟାରିୟର ଟେନିସ୍ ଇତିହାସରେ ଛାପ ଛାଡ଼ିଯିବ। ତୁମର ଭବିଷ୍ୟତ ଯାତ୍ରା ଜାରି ରହୁ ବୋଲି କିଙ୍ଗ୍ କହିଥଲେ। ସେହିପରି ଫେଲ୍ପ୍ସ କହିଥିଲେ, ସେରେନା କେବଳ ଟେନିସ୍ରେ ପରିବର୍ତନ ଆଣିନଥିଲେ ବରଂ ସେ ପରବର୍ତୀ ପିଢ଼ିକୁ ସଶକ୍ତ କରିଯାଇଛନ୍ତି। ସେ ସହଜରେ ଟେନିସ୍ ନିଶାକୁ ଛାଡ଼ିପାରନ୍ତିନି ବୋଲି ଅଲିମ୍ପିକ୍ ବିଜେତା ଫେଲ୍ପ୍ସ କହିଥିଲେ। ଅନ୍ୟପକ୍ଷରେ ସେରେନାଙ୍କୁ କୋର୍ଟ ବାହାର ଓ ଭିତରର ଜଣେ ମହାନ୍ ବୋଲି ବିବେଚିତ କରିଛନ୍ତି ଟାଇଗର ଉଡ୍ସ। ଆମମାନକୁ ସ୍ବପ୍ନ ଦେଖିବାରେ ତୁମ ପ୍ରେରଣା ପାଇଁ ଧନ୍ୟବାଦ ବୋଲି ଉଡ୍ସ ଟ୍ବିଟ୍ କରିଛନ୍ତି। ଏପରିକି ସେରେନାଙ୍କ ଜାଜୁଲ୍ୟମୟ କ୍ୟାରିୟର ପାଇଁ ଏସମସ୍ତେ ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି।