କନ୍ୟାର ପ୍ରଥମ ଚାଲିକୁ ଦେଖି ନପାରି କାନ୍ଦି ପକାଇଲେ ସେରେନା

ଲଣ୍ଡନ୍‌: ମା’ ଝିଅ ସମ୍ପର୍କରେ ଥିବା ନିବିଡ଼ତା ଅନେକଙ୍କୁ ପଛରେ ରଖିଥାଏ ଏବଂ ଅଭେଦ୍ୟ ବି ଏହାର ରହସ୍ୟ। ଏହାର ଆଉ ଏକ ଉଦାହରଣ ନଜରକୁ ଆସିଛି। ମାତ୍ର ୧୦ ମାସର କନ୍ୟା ଅଲିମ୍ପିଆର ପ୍ରଥମ ଚାଲିକୁ ଦେଖିପାରି ନଥିବାରୁ ଟେନିସ୍‌ କିମ୍ବଦନ୍ତୀ ସେରେନା ଓ୍ଵିଲିୟମ୍‌ସ କାନ୍ଦି ପକାଇଥିଲେ ବୋଲି ପ୍ରକାଶ କରିଛନ୍ତି। ସମ୍ପ୍ରତି ଓ୍ଵିମ୍ବଲଡନ୍‌ରେ ନିଜର ଅଷ୍ଟମ ଟ୍ରଫି ଜିତିବାର ଅଭିଯାନରେ ଥିବା ସେରେନାଙ୍କ ଏହି ଭାବବିହ୍ଵଳ ଖୁଲାସା ଚର୍ଚାକୁ ଆସିଛି। ଅଲିମ୍ପିଆକୁ ସାଥିରେ ଆଣି ସେରେନା ଅଲ ଇଂଲଣ୍ଡ କ୍ଲବ୍‌ ଆସିଛନ୍ତି। କିନ୍ତୁ ବିଭିନ୍ନ ପର୍ଯ୍ୟାୟ ମ୍ୟାଚ୍‌ ପାଇଁ ନିଜକୁ ପ୍ରସ୍ତୁତ କରିବା ଲାଗି ରହୁଥିବା ସୂଚୀ କାରଣରୁ ଅଲିମ୍ପିଆ ଲାଗି ଥିବା ନିଜ ଦାୟିତ୍ୱକୁ ଠିକ୍‌ରେ ତୁଲାଇ ପାରୁନାହାନ୍ତି। ଏହି ଅବସରରେ ଅଲିମ୍ପିଆର ବିକାଶରେ ଘଟୁଥିବା ଘଟଣାବଳୀକୁ ଉପଭୋଗ କରିବାରୁ ସେରେନା ବଞ୍ଚିତ ହେଉଛନ୍ତି। ଗତ ସେପ୍ଟେମ୍ବରରେ ଅଲିମ୍ପିଆକୁ ଜନ୍ମ ଦେଇଥିବା ସେରେନା ଏବେ ଚଳିତ ଓ୍ଵିମ୍ବଲଡନ୍‌ର ଚତୁର୍ଥ ରାଉଣ୍ଡ୍‌ରେ ପହଞ୍ଚି ସାରିଛନ୍ତି। ଶୁକ୍ରବାର ସେ ମ୍ୟାଚ୍‌ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅଲିମ୍ପିଆ ପ୍ରଥମ ଥର ଚାଲିଥିଲା। ଏହି ମୁହୂର୍ତକୁ ନିଜେ ଦେଖିବାରୁ ବଞ୍ଚିତ ହୋଇଥିବାରୁ ସେରେନା କହିଛନ୍ତି ମୁଁ କାନ୍ଦି ପକାଇଥିଲି। ମୁଁ ଟ୍ରେନିଂରେ ଥିବାରୁ ଏହି ମୁହୂର୍ତକୁ ଉପଭୋଗ କରିପାରିନଥିଲି ବୋଲି ସେରେନା କହିଛନ୍ତି। ଅନେକ ଖେଳାଳି ସେମାନଙ୍କ ପିଲାଙ୍କୁ ଗୋପନରେ ରଖୁଥିବା ବେଳେ ତୁମେ କାହିଁକି ସାଧାରଣରେ ପ୍ର୍ରକାଶ କରୁଛ ବୋଲି ପ୍ରଶ୍ନ ହେବାରୁ ସେରେନା କହିଥିଲେ ‘ଏହା ୨୦୧୮ ମସିହା ଏବଂ ମୁଁ ଆଧୁନିକ। ମୋ ପାଇଁ ଏହା ସ୍ୱାଭାବିକ ଓ ମଜାଦାର। ସେସବୁ ମୁହୂର୍ତକୁ ମୁଁ ସମସ୍ତଙ୍କ ସହ ବାଣ୍ଟିବାକୁ ଚାହେଁ।’ ସୂଚନାଯୋଗ୍ୟ, ଗତ ସପ୍ତାହରେ ସେରେନା ତାଙ୍କ କନ୍ୟା ଅଲିମ୍ପିଆର ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଥିଲେ। ତାକୁ ଓ୍ଵିମ୍ବଲଡନ୍‌ ଗ୍ରାସ୍‌କୋର୍ଟ ଦେଖାଉଥିଲେ। କିନ୍ତୁ କିଛି ଦିନ ତଳେ ସେ ଅଲିମ୍ପିଆକୁ ଟେନିସ୍‌ ଖେଳାଇବେ ନାହିଁ ବୋଲି ମତ ଦେଇଥିଲେ। ନିଜର ୨୪ତମ ଗ୍ରାଣ୍ଡ ସ୍ଲାମ୍‌ ମୁକୁଟ ଦୌଡ଼ରେ ଥିବା ସେରେନା ଚଳିତ ଓ୍ଵିିମ୍ବଲଡନରେ ସୋମବାର ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ରୁଷୀୟ ଖେଳାଳି ଏଭେଗେନିୟା ରୋଡିନାଙ୍କୁ ଭେଟିବେ।

ସମ୍ବନ୍ଧିତ ଖବର