ଭେନସ୍‌ ବିଦା: ତୃତୀୟ ରାଉଣ୍ଡ୍‌ରେ ସେରେନା, ଜୋକୋଭିକ୍‌, ଫେଡେରର୍‌

ନ୍ୟୁୟର୍କ: ଚଳିତ ବର୍ଷର ଚତୁର୍ଥ ତଥା ଶେଷ ଗ୍ରାଣ୍ଡ୍‌ ସ୍ଲାମ୍‌ ୟୁଏସ୍‌ ଓପନ୍‌ର ଚତୁର୍ଥ ଦିବସରେ ଆମେରିକୀୟ ତାରକା ଭେନସ୍‌ ୱିଲିୟମ୍‌ସ ବିଦାୟ ନେଇଥିଲା ବେଳେ ତାଙ୍କ ଭଉଣୀ ସେରେନାଙ୍କ ସମେତ ନୋଭାକ୍‌ ଜୋକୋଭିକ୍‌ ଓ ରୋଜର୍‌ ଫେଡେରର୍‌ ତୃତୀୟ ରାଉଣ୍ଡ୍‌ରେ ସ୍ଥାନ ସୁରକ୍ଷିତ କରିଛନ୍ତି। ମହିଳା ଏକକ ବର୍ଗରେ ପୂର୍ବତନ ବିଜୟିନୀ ତଥା‌ ୩୯ ବର୍ଷ ବୟସ୍କା ଭେନସ୍‌ ଦ୍ବିତୀୟ ରାଉଣ୍ଡରେ ପ୍ରବଳ ଲଢ଼ିବା ସତ୍ତ୍ବେ ପଞ୍ଚମ ମାନ୍ୟତାପ୍ରାପ୍ତ ଇଲିନା ସ୍ବେତୋଲିନାଙ୍କ ନିକଟରୁ ହାରିଯାଇଛନ୍ତି। ଏହି ୭ ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟିନୀ ପ୍ରତିଦ୍ବନ୍ଦ୍ବୀଙ୍କୁ ସିଧାସଳଖ ୬-୪ ଓ ୬-୪ ସେଟ୍‌ରେ ୟୁକ୍ରେନ୍‌ର ୨୪ ବର୍ଷ ବୟସ୍କା ସ୍ବିତୋଲିନା ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି। ସେହିପରି ଏକାଦଶ ମାନ୍ୟତାପ୍ରାପ୍ତ ସ୍ଲୋଆନ୍‌ ଷ୍ଟିଫାନ୍‌ସ ମଧ୍ୟ ପରାଜୟ ସହ ବିଦାୟ ନେଇଛନ୍ତି। ଭେସନ୍‌ଙ୍କ ସାନ ଭଉଣୀ ତଥା ଅଷ୍ଟମ ମାନ୍ୟତାପ୍ରାପ୍ତ ସେରେନାଙ୍କୁ ଦ୍ବିତୀୟ ରାଉଣ୍ଡ୍‌ ଜିତିବା ପାଇଁ କଷ୍ଟ କରିବାକୁ ପଡ଼ିଥିଲା। ୨୪ତମ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି ଜିତିବା ଲକ୍ଷ୍ୟରେ ଥିବା ସେରେନା ଦ୍ବିତୀୟ ରାଉଣ୍ଡ୍‌ରେ ନିଜ ଦେଶର ୱାଇଲ୍‌ଡ କାର୍ଡଧାରୀ କାଥେରିନ୍ ମାକ୍‌ନାଲିଙ୍କୁ ୫-୭, ୬-୩ ଓ ୬-୧ ସେଟ୍‌ରେ ପରାସ୍ତ କରି ତୃତୀୟ ରାଉଣ୍ଡ୍‌ ସ୍ଥାନ ପକ୍କା କରିଛନ୍ତି। ମହିଳା ଏକକରେ ଅନ୍ୟମାନଙ୍କ ମଧ୍ୟରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ତଥା ଫ୍ରେଞ୍ଚ୍‌ ଓପନ୍‌ ବିଜୟିନୀ ଆସ୍‌ଲେ ବାର୍ଟି, ତୃତୀୟ ମାନ୍ୟତାପ୍ରାପ୍ତ ଚେକ୍‌ ଗଣରାଜ୍ୟର କାରୋଲିନା ପ୍ଲିସ୍‌କୋଭା, ଜର୍ମାନିର ଆନ୍ଦ୍ରିୟା ପେତକୋଭା ଏବଂ ଦଶମ ମାନ୍ୟତାପ୍ରାପ୍ତ ଆମେରିକାର ମାଡିସନ୍‌ କିଜ୍‌ ନିଜ ନିଜର ସହଜ ବିଜୟ ସହ ଦ୍ବିତୀୟ ରାଉଣ୍ଡ ଅତିକ୍ରମ କରିଛନ୍ତି।

ପୁରୁଷ ଏକକରେ ଶୀର୍ଷ ମାନ୍ୟତାପ୍ରାପ୍ତ ନୋଭାକ୍‌ ଜୋକୋଭିକ୍‌, ତୃତୀୟ ମାନ୍ୟତାପ୍ରାପ୍ତ ରୋଜର ଫେଡେରର୍‌ ଏବଂ ସପ୍ତମ ମାନ୍ୟତାପ୍ରାପ୍ତ କେଇ ନିଶି‌କୋରି ତୃତୀୟ ରାଉଣ୍ଡରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ଦ୍ବିତୀୟ ରାଉଣ୍ଡ‌ରେ ପୂର୍ବ ବିଜେତା ତଥା ୩ ଥର ଟ୍ରଫି କରାୟତ କରିସାରିଥିବା ସର୍ବିଆ ତାରକା ଜୋକୋଭିକ୍‌ ୬-୪, ୭-୬ ଓ ୬-୧ ସେଟ୍‌ରେ ଆର୍ଜେଣ୍ଟିନାର ଜୁଆନ୍‌ ଇଗ୍ନାସିଓ ଲୋଣ୍ଡେରୋଙ୍କୁ ପରାସ୍ତ କରିଥିଲା ବେଳେ ୫ ଥର ୟୁଏସ୍‌ ଓପନ୍‌ ବିଜେତା ସ୍ବିଜରଲାଣ୍ଡ୍‌ ତାରକା ଫେଡେରର୍‌ ୩-୬, ୬-୨, ୬-୩ ଓ ୬-୪ ସେଟ୍‌ରେ ଦାମିର ଜୁମୁର୍‌ଙ୍କୁ ଏବଂ ଜାପାନ ତାରକା ନିଶିକୋରି ୬-୨, ୪-୬, ୬-୩ ଓ ୭-୫ ସେଟ୍‌ରେ ବ୍ରାଡ୍‌ଲି କ୍ଲାନ୍‌ଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି। ୨୦୧୪ ଫ୍ରେଞ୍ଚ୍‌ ଓପନ୍‌ ଉପବିଜେତା ହୋଇଥିବା ନିଶିକୋରି ଏଥି ସହିତ ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି ଜିତିବା ଦିଗରେ ଅଗ୍ରସର ହୋଇଛନ୍ତି। ସ୍ବିଜରଲାଣ୍ଡର ଷ୍ଟାନ୍ ୱାରିଙ୍କା ମଧ୍ୟ ଆଗକୁ ବଢ଼ିଛନ୍ତି।

ସମ୍ବନ୍ଧିତ ଖବର