ନ୍ୟୁୟର୍କ: ଚଳିତ ବର୍ଷର ୟୁଏସ୍ ଓପନ୍ ଗ୍ରାଣ୍ଡ୍ ସ୍ଲାମ୍ ଟେନିସ୍ ପ୍ରତିଯୋଗିତାର ତୃତୀୟ ଦିବସରେ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି ଆମେରିକୀୟ ମହିଳା ସେରେନା ୱିଲିୟମ୍ସ। ମହିଳା ଏକକ ଦ୍ବିତୀୟ ରାଉଣ୍ଡ ମୁକାବିଲାରେ ୪୦ ବର୍ଷ ବୟସ୍କା ସେରେନା ବିଶ୍ବ ମାନ୍ୟତାର ଦ୍ବିତୀୟ ଆନେଟ୍ କୋଣ୍ଟାଭିଟ୍ଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି। ବୁଧବାର ଏହି ୨ ଘଣ୍ଟା ୨୭ ମିନିଟ୍ର ବଡ଼ ମୁକାବିଲାରେ ୨୩ ଗ୍ରାଣ୍ଡ୍ସ୍ଲାମ୍ ବିଜୟିନୀ ସେରେନା ୭-୬, ୨-୬ ଓ ୬-୨ ସେଟ୍ରେ ଇସ୍ତୋନିଆର କୋଣ୍ଟାଭିଟ୍ଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡ୍ରେ ପହଞ୍ଚି ଯାଇଛନ୍ତି। ଅନ୍ୟ ମହିଳା ଏକକ ଦ୍ବିତୀୟ ରାଉଣ୍ଡ୍ ମ୍ୟାଚ୍ରେ ବିଜୟୀ ହୋଇ କୋକୋ ଗଫ୍ ଓ ମାଡିସନ୍ କିଜ୍ ତୃତୀୟ ରାଉଣ୍ଡ୍ରେ ପହଞ୍ଚିଛନ୍ତି। ଗଫ୍ ୬-୨, ୭-୬ ସିଧାସଳଖ ସେଟ୍ରେ ରୋମାନିଆର ଏଲିନା ଗାବ୍ରିଏଲା ରୁସେଙ୍କୁ ଏବଂ ଆମେରିକାର କିଜ୍ ୬-୪, ୫-୭ ଓ ୭-୬ ସେଟ୍ରେ ଇଟାଲିର କାମିଲା ଗିଓର୍ଗିଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡରେ ସ୍ଥାନ ସୁରକ୍ଷିତ କରିଛନ୍ତି।
ଅନ୍ୟପକ୍ଷରେ ବିଶ୍ବ ମାନ୍ୟତାର ଶୀର୍ଷ ରୁଷିଆର ପୁରୁଷ ଏକକ ତାରକା ଡାନିଲ ମେଦ୍ଭେଦେଭ୍ ମଧ୍ୟ ଦ୍ବିତୀୟ ରାଉଣ୍ଡ ଅତିକ୍ରମ କରିଛନ୍ତି। ସେ ଫ୍ରାନ୍ସର ଆର୍ଥର ରିନ୍ଦେରକ୍ନେକ୍ଙ୍କୁ ୬-୨, ୭-୫ ଓ ୬-୩ ସିଧାସଳଖ ସେଟ୍ରେ ପରାସ୍ତ କରି ତୃତୀୟ ରାଉଣ୍ଡ ସ୍ଥାନ ପକ୍କା କରିନେଇଛନ୍ତି। ପରବର୍ତୀ ରାଉଣ୍ଡରେ ମେଦ୍ଭେଦେଭ୍ଙ୍କ ମୁକାବିଲା ପ୍ରଥମ ଚୀନ୍ ଖେଳାଳି ଭାବେ ଫ୍ଲସିଂ ମିଡୋଜ୍ରେ ତୃତୀୟ ରାଉଣ୍ଡ୍ ପ୍ରବେଶ କରିଥିବା ଉ ୟିବିଙ୍ଗ୍ଙ୍କ ସହ ହେବ। ଅନ୍ୟ ଏକ ମ୍ୟାଚ୍ରେ ଫ୍ରାନ୍ସର ବେଞ୍ଜାମିନ ବୋନ୍ଜିଙ୍କୁ ୭-୬, ୬-୪, ୪-୬ ଓ ୬-୪ରେ ପରାସ୍ତ କରି ଅଷ୍ଟ୍ରେଲିଆର ନିକ୍ କିର୍ଗିଅସ୍, ଆମେରିକାର ଇମିଲିଓ ନୋଭାଙ୍କ ୫-୭, ୬-୩, ୬-୧ ଓ ୬-୦ରେ ପରାସ୍ତ କରି ପୂର୍ବତନ ବିଶ୍ବର ଏକ ନମ୍ବର ବ୍ରିଟେନ୍ ତାରକା ଆଣ୍ଡି ମରେ ତୃତୀୟ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି। ଗତ ୫ ବର୍ଷ ମଧ୍ୟରେ ମରେ ଦ୍ବିତୀୟ ଥର ପାଇଁ କୌଣସି ଗ୍ରାଣ୍ଡ୍ସ୍ଲାମ୍ ତୃତୀୟ ରାଉଣ୍ଡରେ ପହଞ୍ଚିଛନ୍ତି।