ସେରେନା-ଓସାକା ଫାଇନାଲ୍‌ ଲଢ଼େଇ

ନ୍ୟୁୟର୍କ: ଆମେରିକାର ସେରେନା ଓ୍ଵିଲିୟମ୍‌ସ ଏବଂ ଜାପାନ୍‌ର ନାଓମି ଓସାକା ଚଳିତ ବର୍ଷର ଚତୁର୍ଥ ତଥା ଅନ୍ତିିମ ଗ୍ରାଣ୍ଡ୍‌ ସ୍ଲାମ୍‌ ୟୁଏସ୍‌ ଓପନ୍‌ ମହିଳା ଏକକ ବର୍ଗ ଟ୍ରଫି ପାଇଁ ଲଢ଼ିବେ। ଗୁରୁବାର ସେମିଫାଇନାଲ୍‌ରେ ସପ୍ତଦଶ ମାନ୍ୟତା ସେରେନା ସିଧାସଳଖ ୬-୩ ଓ ୬-୦ ସେଟ୍‌ରେ ପ୍ରଥମ ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ସେମିଫାଇନାଲ୍‌ ପହଞ୍ଚିଥିବା ୧୯ତମ ମାନ୍ୟତା ଲାଟିଭିଆର ଆନାସ୍ତେସିଆ ସେଭାତ୍ସୋଭାଙ୍କୁ ପରାସ୍ତ କରିଛନ୍ତି। ଏଥି ସହିତ ସେରେନା ଚଳିତ ବର୍ଷ କ୍ରମାଗତ ଦ୍ୱିତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ଫାଇନାଲ୍‌ ଖେଳିବା ସୁଯୋଗ ପାଇଛନ୍ତି। ଓ୍ଵିମ୍ବିଲଡନ୍‌ ଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ସେରେନା ଜର୍ମାନିର ଆଞ୍ଜେଲିକ୍‌ କେର୍ବରଙ୍କ ନିକଟରୁ ହାରିଯାଇଥିଲେ। ତେବେ ପ୍ରଥମ ସନ୍ତାନକୁ ଜନ୍ମଦେବା ପାଇଁ ୭ ମାସ ଓ ୭ ପ୍ରତିଯୋଗିତାରୁ ଦୂରେଇ ରହିବା ପରେ କୋର୍ଟକୁ ପ୍ରତ୍ୟାବର୍ତନ କରିଥିବା ସେରେନା ଗୁରୁବାର ସେମିଫାଇନାଲ୍‌ ଜିତି ୩୧ତମ ଗ୍ରାଣ୍ଡ୍‌ସ୍ଲାମ୍‌ ଫାଇନାଲ୍‌ ପ୍ରବେଶ କରିଛନ୍ତି। ପ୍ରାୟତଃ ସମସ୍ତ ଶୀର୍ଷ ମାନ୍ୟତା ବିଦାୟ ନେଇ ସାରିଥିବାରୁ ଟ୍ରଫି ଜିତିବାର ରାସ୍ତା ସେରେନାଙ୍କ ପାଇଁ ସଫା ହୋଇଯାଇଛି। ତେଣୁ ୬ ଥର ଏଠାରେ ବିଜୟିନୀ ହୋଇସାରିଥିବା ସେରେନାଙ୍କର ଏଥର ଫାଇନାଲ୍‌ରେ ବିଜୟ ସମ୍ଭାବନା ଅଧିକ ରହିଛି। ଯଦି ସେରେନା ଜିତନ୍ତି, ତେବେ ସେ ନିଜ ଜୀବନର ୨୪ତମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି କରାୟତ କରି ମାର୍ଗାରେଟ୍‌ କୋର୍ଟଙ୍କ କୀର୍ତିମାନର ସମକକ୍ଷ ହେବେ। ପୁଣି ସେରେନା ମଧ୍ୟ ଆର୍ଥର ଆସେସ୍‌ ଷ୍ଟାଡିୟମ୍‌ରେ ବ୍ୟକ୍ତିଗତ ସପ୍ତମ ମହିଳା ଏକକ ଟ୍ରଫି ଜିତିବାର ଗୌରବ ବହନ କରିବେ। ଏକ୍ଷେତ୍ରରେ ମଧ୍ୟ ସେରେନା ୟୁଏସ୍‌ ଓପନ୍‌ରେ ସର୍ବାଧିକ ଟ୍ରଫି ଜିତିବାରେ କ୍ରିସ୍‌ ଏଭର୍ଟଙ୍କ ସମକକ୍ଷ ହେବେ।

ଅନ୍ୟପକ୍ଷରେ ବିଂଶତମ ମାନ୍ୟତା ଓସାକା ମଧ୍ୟ ୬-୨ ଓ ୬-୪ ସିଧାସଳଖ ସେଟ୍‌ରେ ଗତବର୍ଷର ଉପବିଜୟିନୀ ତଥା ଚତୁର୍ଦଶ ମାନ୍ୟତା ଆମେରିକାର ମାଡିସନ୍‌ କିସ୍‌ଙ୍କୁ ପରାସ୍ତ କରି ଫାଇନାଲ୍‌ରେ ଅବତୀର୍ଣ୍ଣ ହୋଇଛନ୍ତି। ପୂର୍ବରୁ ତିନିଥର ମୁହାଁମୁହିଁ ହୋଇଥିଲେ ମଧ୍ୟ କିସ୍‌ଙ୍କୁ କେବେ ବି ଓସାକା ହରାଇ ପାରିନଥିଲେ। ହେଲେ ଏଠାରେ ପୂର୍ବ ପରାଜୟସବୁର ମଧୁର ପ୍ରତିଶୋଧ ନେଇ ଓସାକା ନିଜ ଜୀବନର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଫାଇନାଲ୍‌ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର