ନ୍ୟୁୟର୍କ : ପୂର୍ବତନ ଶୀର୍ଷ ମାନ୍ୟତାପ୍ରାପ୍ତ ଆମେରିକାର ସେରେନା ୱିଲିୟମ୍ସଙ୍କ କୀର୍ତ୍ତିମାନଭରା ୨୪ତମ ଗ୍ରାଣ୍ଡ ସ୍ଲାମ୍ ସ୍ବପ୍ନ ପୁଣି ଘୁଞ୍ଚିଯାଇଛି। ୨୩ ଗ୍ରାଣ୍ଡ ସ୍ଲାମ୍ ବିଜୟିନୀ ସେରେନାଙ୍କୁ ପରାସ୍ତ କରି ପୂର୍ବତନ ଶୀର୍ଷ ମାନ୍ୟତାପ୍ରାପ୍ତ ଭିକ୍ଟୋରିଆ ଅଜାରେଙ୍କା ଚଳିତ ୟୁଏସ୍ ଓପନ୍ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। ଗୁରୁବାର ସେମିଫାଇନାଲ୍ରେ ୩୧ ବର୍ଷୀୟା ଏହି ବେଲାରୁଷ ଖେଳାଳି ୧-୬, ୬-୩, ୬-୩ ସେଟ୍ରେ ପୂର୍ବତନ ଶୀର୍ଷ ମାନ୍ୟତାପ୍ରାପ୍ତ ସେରେନାଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଛନ୍ତି। ଏଥିସହ ଦୁଇ ଥରର ଅଷ୍ଟ୍ରେଲିଆନ୍ ଓପନ୍ ବିଜୟିନୀ ତୃତୀୟ ଥର ପାଇଁ ଏଠାରେ ଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। ପୂର୍ବ ଦୁଇ ଫାଇନାଲ୍ ୨୦୧୨ ଓ ୨୦୧୩ରେ ସେ ସେରେନାଙ୍କଠୁ ହାରି ଉପବିଜୟିନୀରେ ସନ୍ତୁଷ୍ଟ ରହିଥିଲେ। ଚଳିତ ବର୍ଷ ଫାଇନାଲ୍ରେ ତାଙ୍କର ଭେଟ ଜାପାନ୍ର ନାଓମି ଓସାକାଙ୍କ ସହ ହେବ। ପ୍ରଥମ ସେଟ୍କୁ ସହଜରେ ଜିତିଥିବା ୬ ଥରର ୟୁଏସ୍ ଓପନ୍ ବିଜୟିନୀ ସେରେନା ପରବର୍ତୀ ଦୁଇ ସେଟ୍ରେ ୭ ବର୍ଷ ପରେ ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ସେମିଫାଇନାଲ୍ ଖେଳୁଥିବା ଅଜାରେଙ୍କାଙ୍କୁ ହରାଇବାକୁ ସକ୍ଷମ ହୋଇନଥିଲେ। ୨୦୧୭ରେ ଅଷ୍ଟ୍ରେଲିଆନ୍ ଓପନ୍ ଜିତି ମାର୍ଗାରେଟ କୋର୍ଟ (୨୩ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି)ଙ୍କ କୀର୍ତ୍ତିମାନର ସମକକ୍ଷ ହୋଇଥିବା ସେରେନା ପରାଜୟ ପରେ କହିଛନ୍ତି ଯେ 'ମୁଁ ବୁଝିପାରୁନି, ନିଶ୍ଚିତ ଭାବରେ ଏହା ନିରାଶାଜନକ। କୀର୍ତ୍ତିମାନ ପାଇଁ ଏବେ ଫ୍ରେଞ୍ଚ୍ ଓପନ୍ ଉପରେ ନଜର ରଖିବି।'
ଅନ୍ୟଏକ ସେମିଫାଇନାଲ୍ରେ ୨ ଗ୍ରାଣ୍ଡ ସ୍ଲାମ୍ ବିଜୟିନୀ ଓସାକା ୭-୬, ୩-୬, ୬-୩ ସେଟ୍ରେ ୨୮ ମାନ୍ୟତାପ୍ରାପ୍ତ ଆମେରିକାର ଜେନିଫର ବ୍ରାଡିଙ୍କୁ ପରାସ୍ତ କରିଥିଲେ। ଚତୁର୍ଥ ମାନ୍ୟତାପ୍ରାପ୍ତ ବ୍ରାଡି ଦୁଇ ବର୍ଷ ତଳେ ନ୍ୟୁୟର୍କରେ ସେରେନାଙ୍କୁ ହରାଇ ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ଜିତିଥିଲେ। ଏହା ପରେ ସେ ୨୦୧୯ରେ ଅଷ୍ଟ୍ରେଲିଆନ୍ ଓପନ୍ ଜିତି ଲାଗାତାର ଦୁଇ ଗ୍ରାଣ୍ଡ ସ୍ଲାମ୍ କରାୟତ୍ତ କରିଥିଲେ।
/sambad/media/post_attachments/wp-content/uploads/2020/09/no_va_usopen-960x540-300x169.jpg)
ଅଜାରେଙ୍କାଙ୍କ ପ୍ରଥମ
୨୦୧୬ ପରେ ସେରେନାଙ୍କ ବିପକ୍ଷରେ ବିଜୟ
ୟୁଏସ୍ ଓପନ୍ରେ ସେରେନାଙ୍କ ବିପକ୍ଷରେ ବିଜୟ
୨୦୧୩ ପରେ ୟୁଏସ୍ ଓପନ ଫାଇନାଲ୍ରେ ପ୍ରବେଶ
ସେରେନାଙ୍କ ବିପକ୍ଷରେ ୫ ବିଜୟ
ଲଗାତାର ୧୧ ମ୍ୟାଚ୍ ବିଜୟ
ପଞ୍ଚମ ଗ୍ରାଣ୍ଡ୍ ସ୍ଲାମ୍ ଫାଇନାଲ୍ରେ ପହଞ୍ଚିବା
ପୁରୁଷ ଯୁଗଳ ଟ୍ରଫି ଜିତିଲେ ପାଭିକ-ସୋରେସ
ନ୍ୟୁୟର୍କ : କ୍ରୋଏସିଆର ମାତେ ପାଭିକ ଓ ବ୍ରାଜିଲର ବ୍ରୁନୋ ସୋରେସ ଯୋଡ଼ି ୟୁଏସ୍ ଓପନ୍ ପୁରୁଷ ଯୁଗଳ ଟ୍ରଫି କରାୟତ୍ତ କରିଛନ୍ତି। ଅଣମାନ୍ୟତାପ୍ରାପ୍ତ ଏହି ଯୋଡ଼ି ସିଧାସଳଖ ୭-୫, ୬-୩ ସେଟ୍ରେ ଅଷ୍ଟମ ମାନ୍ୟତାପ୍ରାପ୍ତ ନେଦରଲାଣ୍ଡ ଓ କ୍ରୋଏସିଆ ଯୋଡ଼ି ୱିସ୍ଲେ କୁଲହୋଫ ଓ ନିକୋଲା ମେକଟିକଙ୍କୁ ପରାସ୍ତ କରିଥିଲେ। ପାଭିକଙ୍କ ଶକ୍ତିଶାଳୀ ସର୍ଭ ସାଙ୍ଗକୁ ସୋରେସ ବିପକ୍ଷଙ୍କ କଷ୍ଟକର ସଟ୍କୁ ମୁକାବିଲା କରୁଥିଲେ। ଫଳରେ ଏହି ଯୋଡ଼ି ପ୍ରଥମ ଥର ଲାଗି ଗ୍ରାଣ୍ଡ୍ ସ୍ଲାମ୍ ଫାଇନାଲ୍ରେ ପହଞ୍ଚିବା ସହ ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲେ। ଆମେ ସେଥିପାଇଁ ଅଭ୍ୟାସ କରିଥିଲୁ। କରୋନା ଯୋଗୁଁ ମିଳିଥିବା ପାଞ୍ଚ ମାସର ଛୁଟି ସମୟରେ ମଧ୍ୟ ଏହା ଉପରେ ଅଧିକ ଚେଷ୍ଟା କରୁଥିଲୁ। ଏହା କରି ଏବେ ଟ୍ରଫି ଜିତି ପାରିଲୁ ବୋଲି ୨୦୧୬ରେ ଜାମି ମରେଙ୍କ ସହ ସାଥୀ ହୋଇ ଅଷ୍ଟ୍ରେଲିଆନ୍ ଓପନ୍ ଏବଂ ୟୁଏସ୍ ଓପନ୍ ପୁରୁଷ ଯୁଗଳ ମୁକୁଟ ଜିତିଥିବା ସୋରେସ୍ କହିଛନ୍ତି। ଆମେ ସପ୍ତାହ ସାରା କଠିନ ମୁହୂର୍ତ୍ତ ଦେଇ ଗତି କରିଥିଲୁ। ଏହା ଅତି ସୁନ୍ଦର ପ୍ରତିଯୋଗିତା। ଏଠାରେ ଟ୍ରଫି ଜିତି ଥିବାରୁ ବହୁତ ଖୁସି ବୋଲି ଓଲିଭର ମାରାକଙ୍କୁ ସାଥୀ କରି ୨୦୧୮ ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ଯୁଗଳ ମୁକୁଟ ବିଜେତା ହୋଇଥିବା ପାଭିକ୍ କହିଛନ୍ତି।