ସେରେନାଙ୍କ ୧୦୦ତମ ମ୍ୟାଚ୍‌ ବିଜୟ

ୟୁଏସ୍‌ ଓପନ୍‌ ମହିଳା ଏକକରେ କିନ୍ତୁ ଆମେରିକୀୟ ତାରକା ସେରେନା ୱିଲିୟମ୍‌ସ ବିଜୟଧାରା ଜାରି ରଖି ସେମିଫାଇନାଲ୍‌ ପହଞ୍ଚି ଯାଇଛନ୍ତି। ଅଷ୍ଟମ ମାନ୍ୟତାପ୍ରାପ୍ତ ସେରେନା ମଙ୍ଗଳବାର କ୍ବାର୍ଟର ଫାଇନାଲ୍‌ରେ ମାତ୍ର ୪୪ ମିନିଟ୍‌ ମଧ୍ୟରେ ପ୍ରତିପକ୍ଷ ୱାଙ୍ଗ୍‌ କ୍ବାଙ୍ଗ୍‌ଙ୍କୁ ପରାସ୍ତ କରିଦେଇଥିଲେ। ଅଷ୍ଟାଦଶ ମାନ୍ୟତାପ୍ରାପ୍ତ ଚୀନ୍‌ ଲଳନା କ୍ବାଙ୍ଗ୍‌ ୧-୬ ଓ ୦-୬ରେ ହାରି ବିଦାୟ ନେଇଥିଲା ବେଳେ ୩୭ ବର୍ଷ ବୟସ୍କା ସେରେନା ୟୁଏସ୍‌ ଓପନ୍‌ରେ ନିଜର ୧୦୦ତମ ମ୍ୟାଚ୍‌ ବିଜୟ ହାସଲ କରିବାର ଗୌରବ ପାଇଛନ୍ତି। ଫ୍ଲସିଂ ମିଡୋସ୍‌ରେ ୧୦୦ ମ୍ୟାଚ୍‌ ବିଜୟ ପାଇବି ବୋଲି କେବେ ବି ଭାବିନଥିବା ମଙ୍ଗଳବାର ମ୍ୟାଚ୍‌ ଶେଷରେ କହିଥିଲେ ସେରେନା। ବିଶ୍ବାସ ତ କରିପାରୁନି। ତଥାପି ଦୁଇ ଦଶନ୍ଧି ଧରି ଏଠାରେ ଖେଳି ଏଭଳି ଗୌରବ ପାଇବା ଖୁବ୍‌ ଆନନ୍ଦ ଦେଇଛି ବୋଲି ସେ କହିଥିଲେ। କୀର୍ତ୍ତିମାନ ସମକକ୍ଷ ୨୪ତମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ହାସଲ ଦିଗରେ ଅଗ୍ରସର ହୋଇ ଚାଲିଥିବା ସେରେନା ସେମିଫାଇନାଲ୍‌ରେ ଏଲିନା ସ୍ବିତୋଲିନାଙ୍କୁ ଭେଟିବେ। ପଞ୍ଚମ ମାନ୍ୟତାପ୍ରାପ୍ତ ୟୁକ୍ରେନ୍‌ ମହିଳା ସ୍ବିତୋଲିନା ମଙ୍ଗଳବାର ପ୍ରଥମ କ୍ବାର୍ଟର ଫାଇନାଲ୍‌ରେ ଷୋଡ଼ଶ ମାନ୍ୟତାପ୍ରାପ୍ତ ବ୍ରିଟେନ୍‌ ତାରକା ଜୋହାନା କୋଣ୍ଟାଙ୍କୁ ପରାସ୍ତ କରି ସେମିଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିଥିଲେ। ଏହା ମଧ୍ୟ ସ୍ବିତୋଲିନାଙ୍କ କ୍ରମାଗତ ଦ୍ବିତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ସେମିଫାଇନାଲ୍‌। ଏହା ପୂର୍ବରୁ ଜୁଲାଇରେ ଚଳିତ ବର୍ଷର ତୃତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ୱିମ୍ବିଲଡନ୍‌ ସେମିଫାଇନାଲ୍‌ ସେ ପ୍ରବେଶ କରିଥିଲେ। ସେହିଭଳି ତ୍ରୟୋଦଶ ମାନ୍ୟତାପ୍ରାପ୍ତ ସ୍ବିଜରଲାଣ୍ଡର ବେଲିଣ୍ଡା ବେଙ୍କିକ ୨୩ତମ ମାନ୍ୟତାପ୍ରାପ୍ତ କ୍ରୋଏସିଆର ଡୋନା ଭେକିକଙ୍କୁ ୭-୬, ୬-୩ରେ ହରାଇ ସେମିଫାଇନାଲ‌ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି।

ସମ୍ବନ୍ଧିତ ଖବର