କ୍ୱାର୍ଟରରେ ଫେଡେରର୍‌, ଜୋକୋଭିକ୍‌, ନାଦାଲ୍‌, କେର୍ବର, ସେରେନା:ପ୍ଲିସ୍‌କୋଭା ବିଦା

ଲଣ୍ଡନ୍‌: ବର୍ଷର ତୃତୀୟ ଗ୍ରାଣ୍ଡ୍‌ସ୍ଲାମ୍‌ ଓ୍ଵିମ୍ବଲଡନ୍‌ ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରୁ ସପ୍ତମ ମାନ୍ୟତା କାରୋଲିନା ପ୍ଲିସ୍‌କୋଭା ବିଦାୟ ନେଇଛନ୍ତି। ସୋମବାର ପ୍ଲିସ୍‌କୋଭାଙ୍କୁ ୬-୩, ୭-୬ ସେଟ୍‌ରେ ହରାଇ ବିଂଶ ମାନ୍ୟତା କିକି ବର୍ତେନ୍ସ ପ୍ରଥମ ନେଦରଲାଣ୍ଡ ଖେଳାଳି ଭାବେ ଓ୍ଵିମ୍ବଲ୍‌ଡନ୍‌ କ୍ୱାର୍ଟର୍‌ ଫାଇନାଲ୍‌ରେ ପହଞ୍ଚିଥିଲେ। ତେବେ ଦୁଇ ପୂର୍ବତନ ଶୀର୍ଷ ଖେଳାଳି ଜର୍ମାନିର ଆଞ୍ଜେଲିକ୍‌ କେର୍ବର ଓ ଆମେରିକାର ସେରେନା ଓ୍ଵିଲିୟମ୍ସ କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। କେର୍ବର ୬-୩, ୭-୬ରେ ସ୍ୱିଜରଲାଣ୍ଡ୍‌ର ବେଲିନା ବେଲିସିକ୍‌ଙ୍କୁ, ସେରେନା ୬-୨, ୬-୨ରେ ରୁଷିଆର ଏଭଗିନିଆ ରୁଦିନାଙ୍କୁ ପରାସ୍ତ କରିଥିଲେ। ଦ୍ୱାଦଶ ମାନ୍ୟତା ଜେଲିନା ଓସ୍ତାପେଙ୍କୋ, ତ୍ରୟୋଦଶ ମାନ୍ୟତା ଜୁଲିଆ ଜର୍ଜିସ୍‌, ଚତୁର୍ଦଶ ମାନ୍ୟତା ଦାରିଆ କାସାତ୍‌କିନା, ଅଣମାନ୍ୟତା ଡୋକିନିମା ସିବୁଲ୍‌କୋଭା ଏବଂ କାମିଲା ଜିଓର୍ଜି ମଧ୍ୟ କ୍ୱାର୍ଟର୍‌ ଫାଇନାଲରେ ପହଞ୍ଚିଛନ୍ତି। ଲାଟଭିଆର ଜେଲିନା ୭-୬, ୬-୦ରେ ବେଲାରୁଷର ଆଲେକ୍ସଜାଣ୍ଡର ସାସନୋଭିକ୍‌ଙ୍କୁ, ଜର୍ମାନିର ଜର୍ଜିସ୍‌ ୬-୩, ୬-୨ରେ କ୍ରୋଏସିଆର ଡୋନା ଭେକିକ୍‌ଙ୍କୁ, ରୁଷିଆର କାସାତକିନା ୬-୭, ୬-୩, ୬-୨ରେ ବେଲ୍‌ଜିୟମର ଆଲିସନ୍‌ ଭାନ୍‌ ଉତ୍‌ଭାନକଙ୍କୁ, ସ୍ଲୋଭାକିଆର ସିବୁଲ୍‌କୋଭା ୬-୪, ୬-୧ରେ ସି ସୁ-ଓ୍ଵିଇଙ୍କୁ ଏବଂ ଇଟାଲିର ଜିଓର୍ଜି ୬-୩, ୬-୪ରେ ରୁଷିଆର କାତାରିନା ମାକରୋଭାଙ୍କୁ ହରାଇଥିଲେ।
ପୁରୁଷ ଏକକରେ ଶୀର୍ଷ ଦୁଇ ମାନ୍ୟତା ଖେଳାଳି ରୋଜର ଫେଡେରର୍‌ ଓ ରାଫେଲ୍‌ ନାଦାଲ୍‌ଙ୍କ ସହ ନବମ ମାନ୍ୟତା ଜନ୍‌ ଇସନର୍‌, ତ୍ରୟୋଦଶ ମାନ୍ୟତା ମିଲୋସ୍‌ ରାଓନିକ୍‌ ଏବଂ କେଇ ନିସିକୋରି କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସ୍ୱିଜରଲାଣ୍ଡର ଫେଡେରର୍‌ ୬-୦, ୭-୫, ୬-୪ରେ ୨୨ ମାନ୍ୟତା ଫ୍ରାନ୍ସର ଆଦ୍ରିଆନ୍‌ ମନାରିନୋଙ୍କୁ, ସ୍ପେନ୍‌ର ନାଦାଲ୍‌ ୬-୩, ୬-୩, ୬-୪ରେ ଚେକ୍‌ଗଣରାଜ୍ୟର ଜିରି ଭେସ୍‌ଲିଙ୍କୁ, ଆମେରିକାର ଇସ୍‌ନର୍‌ ୬-୪, ୭-୬, ୭-୫ରେ ଗ୍ରିସ୍‌ର ଷ୍ଟିଫାନସ୍‌ ସିସିପାସ୍‌ଙ୍କୁ ଏବଂ କାନାଡାର ରାଓନିକ୍‌ ୬-୩, ୬-୪, ୬-୭, ୬-୨ରେ ଆମେରିକାର ମାକେଞ୍ଜି ମାକ୍‌ଡୋନାଲ୍ଡଙ୍କୁ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ବିଳମ୍ବିତ ରାତି ମ୍ୟାଚ୍‌ରେ ସର୍ବିୟା ତାରକା ନୋଭାଜ୍‌ କୋଭୋଭିକ୍‌ ୬-୪, ୬-୨, ୬-୨ ସିଧାସଳଖ ସେଟ୍‌ରେ ରୁଷୀୟ ଅଣସିଡେଡ୍‌ କରେନ୍‌ ଖାଚାନୋଭ୍‌ଙ୍କୁ ପରାସ୍ତ କରି କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିଯାଇଥିଲେ।
ପୁରୁଷ ଯୁଗଳ କ୍ୱାର୍ଟର୍‌ରେ ସରନ୍‌
ଭାରତୀୟ ତାରକା ଦିଭିଜ ସରନ୍‌ ପୁରୁଷ ଯୁଗଳ କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସୋମବାର ନ୍ୟୁଜିଲାଣ୍ଡ୍‌ର ଅର୍ତିମ ସିତକଙ୍କୁ ସାଥୀ କରିଥିବା ସରନ୍‌ ପ୍ରଥମ ଦୁଇ ସେଟ୍‌ ୧-୬, ୬-୭ ଇସ୍ରାଏଲ୍‌ର ଜୋନାଥନ୍‌ ଏର୍ଲିଚ୍‌ ଓ ପୋଲାଣ୍ଡ୍‌ର ମାର୍ସିନ୍‌ ମାତୋସ୍କିଙ୍କଠୁ ପଛରେ ରହିଥିଲେ। ହେଲେ ଶେଷ ୩ ସେଟ୍‌କୁ ୬-୪, ୬-୪, ୬-୪ ସେଟ୍‌ରେ ଜିତି ନେଇଥିଲେ।

ସମ୍ବନ୍ଧିତ ଖବର