ପ୍ୟାରିସ୍: ପୂର୍ବତନ ଶୀର୍ଷ ମାନ୍ୟତା ମହିଳା ଖେଳାଳି ସେରେନା ୱିଲିୟମ୍ସଙ୍କ କୀର୍ତିମାନ ସମକକ୍ଷ ୨୪ତମ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ଜିତିବାର ସ୍ବପ୍ନ ଧୂଳିସାତ୍ ହୋଇଯାଇଛି। ଏହି ଆମେରିକୀୟ ତାରକା ଚଳିତ ଫ୍ରେଞ୍ଚ୍ ଓପନ୍ ଗ୍ରାଣ୍ଡ୍ସ୍ଲାମ୍ ଟେନିସ୍ ପ୍ରତିଯୋଗିତାର ମହିଳା ଏକକ ତୃତୀୟ ରାଉଣ୍ଡ୍ ହାରି ବିଦାୟ ନେଇଛନ୍ତି। ଶନିବାର ରାତିରେ ଖେଳାଯାଇଥିବା ଏକ ମ୍ୟାଚ୍ରେ ନିଜ ଦେଶର ସୋଫିଆ କେନିନ୍ଙ୍କ ନିକଟରୁ ସେରେନା ପରାସ୍ତ ହୋଇଥିଲେ। ସିଧାସଳଖ ୬-୨ ଓ ୭-୫ ସେଟ୍ରେ ସେରେନାଙ୍କୁ ପରାସ୍ତ କରି ବିଶ୍ବ ମାନ୍ୟତାର ୩୫ ସୋଫିଆ ଚତୁର୍ଥ ରାଉଣ୍ଡ୍ ସ୍ଥାନ ସୁରକ୍ଷିତ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ, ନିଜର ୨୩ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ମଧ୍ୟରୁ ଶେଷଟି ସେରେନା ୨୦୧୭ ଅଷ୍ଟ୍ରେଲିଆନ୍ ଓପନ୍ରେ ଜିତିଥିଲେ। ଆଉ ଗୋଟିଏ ଟ୍ରଫି ଜିତିପାରିଲେ ସେ ମାର୍ଗାରେଟ୍ ସ୍ମିଥ୍ କୋର୍ଟଙ୍କ ସର୍ବକାଳୀନ ସର୍ବାଧିକ ଟ୍ରଫି (୨୪)ର ସମକକ୍ଷ ହୋଇଥାନ୍ତେ। ହେଲେ ୨ ବର୍ଷ ଧରି ସେରେନାଙ୍କୁ ଗୋଟିଏ ହେଲେ ଗ୍ରାଣ୍ଡ୍ସ୍ଲାମ୍ ଟ୍ରଫି ମିଳିବା ସ୍ବପ୍ନ ହୋଇଗଲାଣି।
ଅନ୍ୟପକ୍ଷରେ ୧୯ ବର୍ଷ ବୟସ୍କା ଚେକ୍ ଗଣରାଜ୍ୟ ଲଳନା ମର୍କେଟା ଭନ୍ଦ୍ରୋସୋଭା, ୨୬ ମାନ୍ୟତା ଜୋହାନା କୋଣ୍ଟା ଓ ୩୧ ମାନ୍ୟତା ପେଟ୍ରା ମାର୍ଟିକ୍ ବିଜୟଧାରା ଜାରି ରଖି ମହିଳା ଏକକ କ୍ବାର୍ଟର ଫାଇନାଲ୍ ପ୍ରବେଶ କରିଛନ୍ତି। ମର୍କେଟା ଦ୍ବାଦଶ ମାନ୍ୟତା ଲାଟିଭିଆର ଆନାସ୍ତେସିଆ ସେଭାତ୍ସୋଭାଙ୍କୁ ୬-୨, ୬-୦ ସିଧାସଳଖ ସେଟ୍ରେ ପରାସ୍ତ କରିଥିଲା ବେଳେ ବ୍ରିଟେନ୍ ଲଳନା କୋଣ୍ଟା ୬-୨, ୬-୪ ସିଧାସଳଖ ସେଟ୍ରେ ୨୩ତମ ମାନ୍ୟତା ଡୋନା ଭେକିକ୍ଙ୍କୁ ଏବଂ କ୍ରୋଏସିଆର ମାର୍ଟିକ୍ ୫-୭, ୬-୨ ଓ ୬-୪ ସେଟ୍ରେ କାୟା କାନେପିଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଛନ୍ତି। ପୁରୁଷ ଏକକ ବର୍ଗରେ ଦ୍ବିତୀୟ ମାନ୍ୟତା ରାଫେଲ ନାଦାଲ, ତୃତୀୟ ମାନ୍ୟତା ରୋଜର ଫେଡେରର୍ ସହଜରେ ପ୍ରି-କ୍ବାର୍ଟର ଫାଇନାଲ୍ ବାଧା ଅତିକ୍ରମ କରିଛନ୍ତି। ରବିବାର ସ୍ପେନ୍ ତାରକା ନାଦାଲ ସିଧାସଳଖ ୬-୨, ୬-୩, ୬-୩ ସେଟ୍ରେ ଜୁଆନ୍ ଇଗ୍ନେସିଓ ଲଣ୍ଡେରୋଙ୍କୁ ଏବଂ ସ୍ବିଜରଲାଣ୍ଡ୍ ତାରକା ଫେଡେରର୍ ସିଧାସଳଖ ୬-୨, ୬-୩ ଓ ୬-୩ ସେଟ୍ରେ ଲିଓନାର୍ଡ ମେୟରଙ୍କୁ ପରାସ୍ତ କରି କ୍ବାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିନେଇଛନ୍ତି। ତେବେ ଷଷ୍ଠ ମାନ୍ୟତା ଷ୍ଟିଫାନୋସ୍ ସିସିପାସ୍ ଓ ୨୪ତମ ମାନ୍ୟତା ଷ୍ଟାନ୍ ୱାରିଙ୍କାଙ୍କ ମୁକାବିଲା ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା। ୱାରିଙ୍କା ପ୍ରଥମ ଓ ତୃତୀୟ ସେଟ୍କୁ ଯଥାକ୍ରମେ ୭-୬ ଓ ୬-୪ରେ ଜିତି ନେଇଥିଲା ବେଳେ ସିସିପାସ୍ ଦ୍ବିତୀୟ ଓ ଚତୁର୍ଥ ସେଟ୍କୁ ଯଥାକ୍ରମେ ୭-୫ ଓ ୬-୩ରେ ଜିତିଥିଲା। ଫଳରେ ମ୍ୟାଚ୍ ପଞ୍ଚମ ତଥା ନିର୍ଣ୍ଣାୟକ ସେଟ୍କୁ ଟାଣି ହୋଇଯାଇଥିଲା। ମାତ୍ର ନିର୍ଣ୍ଣାୟକ ସେଟ୍କୁ ୱାରିଙ୍କା ୮-୬ରେ ଜିତିନେଇ କ୍ବାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିଥିଲେ। ଶନିବାର ଗତଥରର ଉପବିଜେତା ଡୋମିନିକ୍ ଥିମ୍ ତୃତୀୟ ରାଉଣ୍ଡ୍ ବିଜୟ ପାଇଥିଲେ। ଚତୁର୍ଥ ମାନ୍ୟତା ଥିମ୍ ୬-୩, ୪-୬, ୬-୨ ଓ ୭-୫ ସେଟ୍ରେ ଉରୁଗୁଏର ପାବ୍ଲୋ କୁଇଭାସ୍ଙ୍କୁ ପରାସ୍ତ କରି ଟ୍ରଫି ଲକ୍ଷ୍ୟରେ ଆଗକୁ ବଢ଼ିଛନ୍ତି।
ବୋପାନ୍ନାଙ୍କ ଅଭିଯାନ ଶେଷ
ପ୍ୟାରିସ୍: ଚଳିତ ଫ୍ରେଞ୍ଚ୍ ଓପନ୍ ପୁରୁଷ ଯୁଗଳରୁ ଭାରତୀୟ ତାରକା ରୋହନ ବୋପାନ୍ନାଙ୍କ ଅଭିଯାନ ଶେଷ ହୋଇଯାଇଛି। ରୋମାନିଆର ମାରିୟସ୍ କୋପିଲଙ୍କୁ ସାଥୀ କରି ଖେଳୁଥିବା ବୋପାନ୍ନା ପ୍ରଥମ ଦୁଇ ରାଉଣ୍ଡ୍ ଜିତି ସାରିଥିଲା ବେଳେ ଆଉଆଗକୁ ବଢ଼ିପାରିନାହାନ୍ତି। ରବିବାର ତୃତୀୟ ରାଉଣ୍ଡ୍ରେ ଏହି ଭାରତ-ରୋମାନିଆ ଯୋଡ଼ି ୬-୧, ୫-୭, ୬-୭ ସେଟ୍ରେ ଜାଙ୍କୋ ଟିପ୍ସାରେଭିକ୍ ଓ ଦୁସାନ୍ ଲାଜୋଭିକ୍ ଯୋଡ଼ି ନିକଟରୁ ହାରି ବିଦାୟ ନେଇଛନ୍ତି। ଶନିବାର ଅନ୍ୟତମ ଭାରତୀୟ ଲିଆଣ୍ଡର ପେସ୍ଙ୍କ ପୁରୁଷ ଯୁଗଳ ଅଭିଯାନ ମଧ୍ୟ ଶେଷ ହୋଇଯାଇଥିଲା।