ସେରେନାଙ୍କ ଅଶ୍ରୁଳ ବିଦାୟ: ଜୋକୋଭିକ୍, ବେରେଟିନି, ସ୍ବିତୋଲିନା ଆଗେଇଲେ
ଲଣ୍ଡନ, ୩୦ା୬: କୀର୍ତ୍ତିମାନ ସମକକ୍ଷ ୨୪ତମ ଗ୍ରାଣ୍ଡ୍ସ୍ଲାମ୍ ଏକକ ଟ୍ରଫି ଜିତିବାର ବଡ଼ ଆଶା ବାନ୍ଧିଥିବା ଆମେରିକା ମହିଳା ସେରେନା ୱିଲିୟମ୍ସ ଚଳିତ ୱିମ୍ବଲଡନ୍ରୁ ଅଶ୍ରୁଳ ବିଦାୟ ନେଇଛନ୍ତି। ମୁଖ୍ୟତଃ ଆହତ ସମସ୍ୟା ହିଁ ଏହି ଷଷ୍ଠ ମାନ୍ୟତାପ୍ରାପ୍ତ ତଥା ୭ ଥର ୱିମ୍ବଲଡନ୍ ବିଜୟିନୀଙ୍କ ଆଶା ପୂରଣ କରିବାକୁ ଦେଇନାହିଁ। ଗତ ୪ ଥରଯାକ ଅଲ୍ ଇଂଲଣ୍ଡ୍ କ୍ଲବ୍ରେ ଫାଇନାଲ୍ରେ ପ୍ରବେଶ କରିଥିଲେ ସେରେନା। ହେଲେ ମାର୍ଗାରେଟ୍ କୋର୍ଟଙ୍କ ୨୪ ଗ୍ରାଣ୍ଡ୍ସ୍ଲାମ୍ ଏକକ ଟ୍ରଫିର ସମକକ୍ଷ ହୋଇପାରିନଥିଲେ। ଏଥର କିନ୍ତୁ ବଡ଼ ଆଶା ବାନ୍ଧିଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଆହତ ହୋଇ ଆରମ୍ଭରୁ ବିଦାୟ ନେଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମଙ୍ଗଳବାର ରାତିରେ ସେରେନା ମହିଳା ଏକକ ପ୍ରଥମ ରାଉଣ୍ଡ୍ ମୁକାବିଲାକୁ ଓହ୍ଲାଇଥିଲେ। ସେଣ୍ଟର କୋର୍ଟରେ ଏହି ମ୍ୟାଚ୍ରେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଥିଲେ ଅଣମାନ୍ୟତାପ୍ରାପ୍ତ ବେଲାରୁଷର ଆଲିକ୍ଜାନ୍ଦ୍ରା ସାସ୍ନୋଭିକ୍। ଏକ ସମୟରେ ପ୍ରଥମ ସେଟ୍ରେ ୩-୨ରେ ଆଗୁଆ ଥିଲା ବେଳେ ତାଙ୍କର ଖୁବ୍ ଯନ୍ତ୍ରଣା ହୋଇଥିଲା। ଏହାସତ୍ତ୍ବେ ଖେଳିବା ଜାରି ରଖିଥିଲେ। ତେବେ ସ୍ଥିତି ୩-୩ ହୋଇଯିବା ପରେ ଆଉ ଖେଳିବା ସମ୍ଭବ ନୁହେଁ ବୋଲି ସେରେନା ଅନୁଭବ କରିଥିଲେ। ଫଳରେ ତାଙ୍କ ଆଖି ଲୋତକରେ ଭରିଯାଇଥିଲା। ମ୍ୟାଚ୍ ଶେଷ କରିନପାରି ସେହିଠାରୁ ହିଁ ସେ ଓହରିଯିବାକୁ ବାଧ୍ୟ ହୋଇଥିଲେ। ମୋ ଡାହାଣ ଗୋଡ଼ରେ ଆଘାତ ଯୋଗୁଁ ଓହରିବାକୁ ବଧ୍ୟ ହେଲି ବୋଲି ସେ ଇନ୍ଷ୍ଟାଗ୍ରାମ୍ରେ ଲେଖିଥିଲେ। ଅନ୍ୟପକ୍ଷରେ ନିଜର ୧୯ ଥର ୱିମ୍ବଲଡନ୍ କ୍ୟାରିୟର ମଧ୍ୟରେ କେବି ବି ପ୍ରଥମ ରାଉଣ୍ଡ୍ ଅତିକ୍ରମ କରିପାରିନଥିବା ସାସ୍ନୋଭିକ୍ ଅନାୟାସରେ ଦ୍ବିତୀୟ ରାଉଣ୍ଡ୍ରେ ପହଞ୍ଚିଯାଇଛନ୍ତି। ସେହିପରି ପଞ୍ଚମ ମାନ୍ୟତାପ୍ରାପ୍ତ ବିଆଙ୍କା ଆନ୍ଦ୍ରେସ୍କୁ ଆରମ୍ଭରୁ ବିଦାୟ ନେଇଛନ୍ତି।
ପ୍ରଥମ ରାଉଣ୍ଡରେ ତାଙ୍କୁ ୬-୨ ଓ ୬-୧ ସିଧାସଳଖ ସେଟ୍ରେ ପରାସ୍ତ କରିଦେଇଛନ୍ତି ଆଲିଜେ କୋନେଟ୍। ଅନ୍ୟ ମହିଳାଙ୍କ ମଧ୍ୟରେ ବିଶ୍ବ ମାନ୍ୟତାର ପଞ୍ଚମ ଈଲିନା ସ୍ବିତୋଲିନା ବୁଧବାର ଲଢ଼େଇ କରି ପ୍ରଥମ ରାଉଣ୍ଡ ଜିତିଛନ୍ତି। ଏହି ୟୁକ୍ରେନ୍ ଲଳନା ୬-୩, ୨-୬ ଓ ୬-୩ ସେଟ୍ରେ ବେଲ୍ଜିୟମ୍ର ଆଲିସନ୍ ଭାନ୍ ଉତ୍ଭାନ୍ସଙ୍କୁ ପରାସ୍ତ କରିଛନ୍ତି। ସେହିପରି ଚତୁର୍ଦଶ ମାନ୍ୟତା ବାର୍ବୋରା କ୍ରେସିକୋଭା, ୨୦ ମାନ୍ୟତା କୋକୋ ଗଫ୍, ୨୨ ମାନ୍ୟତା ଜେସିକା ପେଗୁଲା, ୧୬ ମାନ୍ୟତା ଆନାସ୍ତେସିଆ ପାଭ୍ଲୁଚେଙ୍କୋଭା, ୧୯ ମାନ୍ୟତା କାରୋଲିନା ମୁଚୋଭା ଏକକ ବର୍ଗରେ ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିଯାଇଛନ୍ତି।
ପୁରୁଷ ଏକକରେ ଶୀର୍ଷ ମାନ୍ୟତାପ୍ରାନ୍ତ ଜୋକୋଭିକ୍ ବୁଧବାର ଦ୍ବିତୀୟ ରାଉଣ୍ଡ୍ ଅତିକ୍ରମ କରିଛନ୍ତି। ଏହି ସର୍ବିଆ ତାରକା ଦ୍ବିତୀୟ ରାଉଣ୍ଡରେ ଦକ୍ଷିଣ ଆଫ୍ରିକାର କେଭିନ୍ ଆଣ୍ଡରସନ୍ଙ୍କୁ ୬-୩, ୬-୩ ଓ ୬-୩ ସିଧାସଳଖ ସେଟ୍ରେ ପରାସ୍ତ କରି ତୃତୀୟ ରାଉଣ୍ଡ୍ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଦ୍ବିତୀୟ ମାନ୍ୟତା ଡାନିଲ ମେଦ୍ଭେଦେଭ୍, ସପ୍ତମ ମାନ୍ୟତା ମାସିଓ ବେରେଟିନି ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସେହିପରି ସପ୍ତମ ମାନ୍ୟତାପ୍ରାପ୍ତ ଇଟାଲି ତାରକା ମାଟିଓ ବେରେଟିନି ଆର୍ଜେଣ୍ଟିନାର ଗୁଏଡା ପେଲୋଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି।