କଳା କହିବା କାଳ ହେଲା:ସର୍ଫରାଜ ଚାରିଟି ମ୍ୟାଚ୍‌ରୁ ବାସନ୍ଦ

ଦୁବାଇ: ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଆନ୍ଦିଲ ଫେଲୁକ୍ବାଓଙ୍କୁ ରଙ୍ଗଭେଦ ଟିପ୍ପଣୀ ଦେବା ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ସ୍ପର୍ଶକାତର ମାମଲାରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଆଇସିସି ତାଙ୍କୁ ଚାରିଟି ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ବାସନ୍ଦ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଦୁଇ ଦିନିକିଆରୁ ସର୍ଫରାଜ ବଞ୍ଚିତ ହୋଇଛନ୍ତି। ସେ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ରେ ଖେଳି ପାରିବେ ନାହିଁ। ଏତଦ୍‌ ବ୍ୟତୀତ ତାଙ୍କୁ ଏକ ସଚେତନତା କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାକୁ ହେବ। ଡର୍ବାନରେ ଖେଳା ଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଦିନିକିଆ ଅବସରରେ ଫେଲୁକ୍ବାଓଙ୍କ ଶରୀରର ରଙ୍ଗକୁ ନେଇ ସର୍ଫରାଜ ଆପତ୍ତି ଜନକ ମନ୍ତବ୍ୟ ଦେଇଥିଲେ । ସେ ମଧ୍ୟ ଫେଲୁକ୍ବାଓଙ୍କ ମା’ଙ୍କୁ ଆକ୍ଷେପ କରିଥିଲେ। ଫେଲୁକ୍ବାଓ ଜବରଦସ୍ତ ବ୍ୟାଟିଂ କରି ପାକିସ୍ତାନ ହାତରୁ ମ୍ୟାଚ୍ ଛଡ଼ାଇ ନେବା ପରେ ଏଥିରେ ଉତ୍‌କ୍ଷିପ୍ତ ହୋଇ ସର୍ଫରାଜ କହିଥିଲେ ଯେ ଆବେ କାଳିଆ, ତୋ ମା’ ଆଜି କୋଉଠି ବସିଛି। ତୋ ପାଇଁ ସେ କି ପ୍ରାର୍ଥନା କରିଛି। ଷ୍ଟମ୍ପ ମାଇକ୍ରୋଫୋନ୍‌ ତାଙ୍କର ଏହି ଆଶାଳୀନ ମନ୍ତବ୍ୟକୁ ରେକର୍ଡ କରିବା ପରେ ସାଧାରଣରେ ଏଥିନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟ ସର୍ଫରାଜଙ୍କୁ ତାଙ୍କ ଆଚରଣ ଲାଗି ନିନ୍ଦା କରିଥିଲା। ବିବାଦ ବଢ଼ିବା ଦେଖି ସର୍ଫରାଜ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ କରି ନିଜ କଲା କର୍ମ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ସେ ମଧ୍ୟ ବ୍ୟକ୍ତିଗତ ଭାବେ ଏଥିନେଇ ଫେଲୁକ୍ବାଓଙ୍କୁ କ୍ଷମା ମାଗିଥିଲେ। ଫଳରେ ଘଟଣାର ଠିକ୍ ପରେ ପରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ସେ ଖେଳିବାର ସୁଯୋଗ ପାଇଥିଲେ। ରବିବାରର ଚତୁର୍ଥ ଦିନିକିଆ ପୂର୍ବରୁ କିନ୍ତୁ ଆଇସିସି ତାଙ୍କୁ ଆନୁଷ୍ଠାନିକ ଭାବେ ବାସନ୍ଦ କରିଥିଲା। ବାସନ୍ଦାଦେଶ ଜାରି କରିବା ବେଳେ ସର୍ଫରାଜଙ୍କ କ୍ଷମାପ୍ରାର୍ଥନାକୁ ବିଚାରକୁ ନିଆଯାଇଥିଲା। ଅନ୍ୟଥା ଏହାର ଅବଧି ଆହୁରି ବଢ଼ି ଥାଆନ୍ତା ବୋଲି ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍ ରିଚାର୍ଡସନ୍ କହିଛନ୍ତି। ସର୍ଫରାଜ ବାସନ୍ଦ ହେବା ପରେ ପାକିସ୍ତାନ ତା’ ଦଳରେ ଯୁବ ୱିକେଟ୍ ରକ୍ଷକ ମହମ୍ମଦ ରିଜୱାନଙ୍କୁ ସାମିଲ କରିଛି। ସେହିଭଳି ରବିବାର ଚତୁର୍ଥ ଦିନିକିଆରେ ତାଙ୍କ ସ୍ଥାନରେ ସୋଏବ ମଲ୍ଲିକ ପାକିସ୍ତାନର ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର