ବିପଦରେ ଶୃଙ୍ଖଳା ବିଜୟ ଧାରା : ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟ୍ବେଣ୍ଟି-୨୦

ସମୟ: ରାତି ୭.୦୦

ବେଙ୍ଗାଲୁରୁ: ଭାରତ ୨୦୦୮ ମସିହା ପରଠାରୁ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିନାହିଁ। ଏବେ କିନ୍ତୁ ଏହି ଧାରା ଅଟକିବାର ଆଶଙ୍କା ସୃଷ୍ଟି ହୋଇଛି। ଘରୋଇ ପରିବେଶରେ ଖେଳା ଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାକୁ ହାରିବା ପରେ ବୁଧବାରର ଦ୍ବିତୀୟ ମ୍ୟାଚ୍ ଭାରତ ପାଇ କର ବା ମର ହୋଇଛି। ବୁଧବାର ମ୍ୟାଚ୍ ହାରିଲେ ଅଷ୍ଟ୍ରେଲିଆ ବିପକ୍ଷରେ ଲଗାତାର ଦ୍ବିତୀୟ ପରାଜୟ ବରଣ କରିବା ସହ ଭାରତ ୦-୨ରେ ଶୃଙ୍ଖଳା ହାରିବ। ଭାରତୀୟ ଦଳ ଆସନ୍ତାକାଲି ବିଜୟର ସ୍ବାଦ ଚାଖିଲେ ଶୃଙ୍ଖଳା ୧-୧ରେ ଶେଷ ହେବ।
ବିଶାଖାପାଟଣାରେ ଖେଳା ଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ରେ ତାରକା ଖଚିତ ଭାରତୀୟ ବ୍ୟାଟିଂକ୍ରମ ଅପ୍ରତ୍ୟାଶିତ ଭାବେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ନିର୍ଧାରିତ ୨୦ ଓଭରରେ ମାତ୍ର ୧୨୬ ରନ୍ କରି ପାରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ତିନି ଓଭର ଭିତରେ ଦୁଇଟି ୱିକେଟ୍ ହରାଇବା ସତ୍ତ୍ବେ ସହଜ ବିଜୟର ଦ୍ବାର ଦେଶରେ ଥିଲା। ହେଲେ ମଝି ଓଭରଗୁଡ଼ିକରେ ମ୍ୟାଚ୍ ଭାରତ ଆଡ଼କୁ ଢଳି ଥିଲା। ଯଶ୍‌ପ୍ରୀତ ବୁମରା ଊନ୍ନବିଂଶ ଓଭରରେ ଦୁଇଟି ୱିକେଟ୍ ନେଇ ଭାରତକୁ ବିଜୟ ଦ୍ବାର ଦେଶରେ ପହଞ୍ଚାଇ ଦେଇଥିଲେ। ଶେଷ ଓଭରରେ ଉମେଶ ଯାଦବ ୧୪ ରନ୍ ବ୍ୟୟ କରି ନଥିଲେ ଭାରତ ରୋମାଞ୍ଚକର ବିଜୟ ହାସଲ କରି ଥାଆନ୍ତା। ହେଲେ ଉମେଶଙ୍କ ଲକ୍ଷ୍ୟହୀନ ବୋଲିଂ ପାଇଁ ଭାରତ ଏକ ନିଶ୍ଚିତ ବିଜୟରୁ ବଞ୍ଚିତ ହେଲା। ବେଙ୍ଗାଲୁରୁରେ ଭାରତକୁ ଏହି ଭୁଲ ସୁଧାରିବାକୁ ହେବ। ଶୀର୍ଷକ୍ରମ ବ୍ୟାଟରଙ୍କୁ ଅଧିକ ଦାୟିତ୍ବାନ ହେବାକୁ ‌ହେବ। ସେହିଭଳି ପୂବର୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନିଜ ରନ୍ ସଂଗ୍ରହ ହାର ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ବେଙ୍ଗାଲୁରୁରେ ବୁଧବାର ପାଗ ମୁଖ୍ୟତଃ ଶୁଖିଲା ରହିବ। ପିଚ୍ ମଧ୍ୟ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ। ଏହି ପିଚ୍‌ରେ ବଡ଼ ସ୍କୋର୍‌ ମଧ୍ୟ ଦେଖିବାକୁ ମିଳିବ। ପ୍ରଥମ ମ୍ୟାଚ୍ ହାରିଥିଲେ ମଧ୍ୟ ଦ୍ବିତୀୟରେ ଭାରତ ସଫଳ ପ୍ରତ୍ୟାବର୍ତନ କରିବ ବୋଲି ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ମଙ୍ଗଳବାରର ସାମ୍ବାଦିକ ସମ୍ମିଳନୀରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ଅଷ୍ଟ୍ରେଲିଆ ଶୃଙ୍ଖଳା ଜିତିବା ଲାଗି ପଡ଼ିଆକୁ ଓହ୍ଲାଇବ ବୋଲି ଏହି ଦଳ ପକ୍ଷରୁ କୁହାଯାଇଛି। ବେଙ୍ଗାଲୁରୁରେ ଶେଷ ଥର ଲାଗି ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ୨୦୧୭ ଫେବ୍ରୁଆରିରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ୨୦୨/୬ କରିଥିବା ଭାରତ ୭୫ ରନ୍‌ରେ ଇଂଲଣ୍ଡ୍‌କୁ ପରାସ୍ତ କରିଥିଲା।
ପ୍ରଥମ ମ୍ୟାଚ୍‌ରେ ଯୁବ ସ୍ପିନର ମୟଙ୍କ ମାର୍କଣ୍ଡ ଟ୍ବେଣ୍ଟି-୨୦ ପଦାର୍ପଣ କରିଥିଲେ। ବୁଧବାର ସେ ନିଜ ସ୍ଥାନ ବଜାୟ ରଖିବା ନେଇ ସଂଶୟ ରହିଛି। ସେହିଭଳି ଭାରତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନଙ୍କୁ ଚୂଡ଼ାନ୍ତ ଏକାଦଶକୁ ଫେରାଇ ଆଣିପାରେ। ଧାୱନ ଫେରିଲେ ରୋହିତ ଶର୍ମାଙ୍କୁ ବିଶ୍ରାମ ମିଳିବ। ଅଷ୍ଟ୍ରେଲିଆ ତା ବ୍ୟାଟିଂକ୍ରମରେ ଅଦଳ ବଦଳ କରିପାରେ। ହେଲେ ଚୂଡ଼ାନ୍ତ ଦଳରେ ବଡ଼ ଧରଣର ପରିବର୍ତନ କରିବା ସମ୍ଭାବନା କମ୍ ରହିଛି।
ସମ୍ଭାବ୍ୟ ଭାରତ: ‌ବିରାଟ କୋହଲି (ଅଧିନାୟକ), ‌ଲୋକେଶ ରାହୁଲ, ଶିଖର ଧାୱନ/ରୋହିତ ଶର୍ମା, ଋଷବ ପନ୍ତ/ବିଜୟ ଶଙ୍କର, ମହେନ୍ଦ୍ର ସିଂହ ଧୋନି, ଦୀନେଶ କାର୍ତିକ, କ୍ରୁନାଲ ପାଣ୍ଡ୍ୟା, ଉମେଶ ଯାଦବ/ସିଦ୍ଧାର୍ଥ କୌଲ, ୟୁଜବେନ୍ଦ୍ର ଚହଲ, ମୟଙ୍କ ମାର୍କଣ୍ଡ, ଯଶ୍‌ପ୍ରୀତ ବୁମରା।
ସମ୍ଭାବ୍ୟ ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ (ଅଧିନାୟକ), ମାର୍କସ ଷ୍ଟୋଇନିସ୍, ଡାର୍କି ସଟ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ପିଟର ହ୍ୟାଣ୍ଡ୍ସକମ୍ବ, ଆଷ୍ଟନ ଟର୍ନର, ନାଥନ କୁଲଟର ନାଇଲ୍, ପ୍ୟାଟ୍ କମିନ୍ସ, ଝେ ରିଚାର୍ଡସନ୍, ଜାସନ ବେହେରନଡ୍ରଫ୍, ଆଦାମ ଜାମ୍ପା।

ସମ୍ବନ୍ଧିତ ଖବର