ଲଜ୍ଜାଜନକ ପରାଜୟ, ଶୃଙ୍ଖଳା ୨-୨: ବେୟାରଷ୍ଟୋ ମ୍ୟାଚ୍‌ର ଶ୍ରେଷ୍ଠ, ରୁଟ୍‌ ଓ ବୁମ୍‌ରା ଶୃଙ୍ଖଳାର ଶ୍ରେଷ୍ଠ

ଏଜ୍‌ବାଷ୍ଟନ୍‌: ଗୋଟିଏ ଦୁଇଟି ସେସନ୍‌ର ଖରାପ ଖେଳ ସାଙ୍ଗକୁ କ୍ୟାଚ୍‌ ହାତଛଡ଼ା, ଭାଦୀଦାରିର ଅଭାବ, ଟେଷ୍ଟ୍ କ୍ରିକେଟ୍‌ ମାନସିକତାର ଅଭାବ ଶେଷକୁ ଭାରତ ହାତରୁ ସୁବର୍ଣ୍ଣ ସୁଯୋଗ ଛଡ଼ାଇନେଲା। ଦୀର୍ଘ ୧୫ ବର୍ଷ ପରେ ପଟ୍ଟୌଦୀ ଟ୍ରଫି ଜିତିବାର ସ୍ବପ୍ନ ଧୂଳିସାତ ହୋଇଯାଇଛି। ପ୍ରଥମ ୩ ଦିନ ପ୍ରାଧାନ୍ୟ ବିସ୍ତାର କରିବା ସହ ପ୍ରଥମ ପାଳିରେ ୧୩୨ ରନ୍‌ର ମହତ୍ବପୂର୍ଣ୍ଣ ଅଗ୍ରଣୀ ନେଇଥିବା ଭାରତକୁ ଇଂଲଣ୍ଡ ଅଦ୍ଭୂତପୂର୍ବ ପଶ୍ଚାତଧାବନ କରି ହରାଇଦେଇଛି। ଟେଷ୍ଟ୍‌ କ୍ରିକେଟ୍‌ ଇତିହାସରେ ଇଂଲଣ୍ଡ କେବେ ଏତେ ରନ୍‌ (୩୭୮)କୁ ପିଛା କରି ଜିତିନଥିଲା। ଅନ୍ୟପକ୍ଷରେ ଭାରତ ବିପକ୍ଷରେ ମଧ୍ୟ କୌଣସି ଦଳ ଏଭଳି କରିନଥିଲେ। ବିଶ୍ବ କ୍ରିକେଟ୍‌ରେ ସମ୍ପ୍ରତି ଫର୍ମରେ ଥିବା ଦୁଇ ଖେଳାଳି ‌ଜୋ ରୁଟ୍‌ ଏବଂ ଜନି ବେୟାରଷ୍ଟୋଙ୍କ ଅବିଶ୍ବସନୀୟ ବ୍ୟାଟିଂ ହିଁ ରୋମାଞ୍ଚପୂର୍ଣ୍ଣ ହେବାକୁ ଯାଉଥିବା ଏହି ଟେ‌ଷ୍ଟ୍‌କୁ ଏକତରଫା କରିଦେଇଥିଲା। ଉଭୟ ଅତୁଟ ଚତୁର୍ଥ ୱିକେଟ୍‌ ପାଇଁ ୨୬୯* ଯୋଡ଼ି ମଙ୍ଗଳବାର ପଞ୍ଚମ ତଥା ଶେଷ ଦିନ ମଧ୍ୟାହ୍ନ ଭୋଜନ ପୂର୍ବରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ବେୟାରଷ୍ଟୋ ଉଭୟ ପାଳିରେ ଶତକ (୧୦୬ ଓ ୧୧୪*) ହାସଲ କରିଥିଲେ। ବିଗତ ୫ ପାଳିରେ ବେୟାରଷ୍ଟୋଙ୍କ ଏହା ଚତୁର୍ଥ ଶତକ ଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ବେୟାରଷ୍ଟୋଙ୍କୁ ମିଳିଥିଲା। ରୁଟ୍‌ (୧୪୨*, ୧୭୩ ବଲ୍, ୧୯ ଚୌକା, ୧ ଛକା) ଶୃଙ୍ଖଳାର ଶ୍ରେଷ୍ଠ ଇଂଲିସ ଖେଳାଳି ପୁରସ୍କାର ପାଇଥିଲେ। ଭାରତ ପକ୍ଷରୁ ଯଶପ୍ରୀତ୍ ବୁମରା ଶୃଙ୍ଖଳାର ଶ୍ରେଷ୍ଠ ‌ଖେଳାଳି ପୁରସ୍କାର ପାଇଥିଲେ।

ମଙ୍ଗଳବାର ମାତ୍ର ଦେଢ଼ ଘଣ୍ଟା (୧୯.୪ ଓଭର) ‌ଖେଳି ଇଂଲଣ୍ଡ ଅବଶିଷ୍ଟ ୧୧୯ ରନ୍‌ ଯୋଡ଼ି ନେଇଥିଲା। ରୁଟ୍‌ ନିଜର ୨୮ତମ ଏବଂ ବେୟାର‌ଷ୍ଟୋ ୧୨ତମ ଶତକ ହାସଲ କରିଥିଲେ। ୨୦୨୧ ଆରମ୍ଭ ପରଠାରୁ ରୁଟ୍‌ ଦେଢ଼ ବର୍ଷ ଭିତରେ ୧୦ ଶତକ ମାରି ବିଶ୍ବର ଏକ ନମ୍ବର ମାନ୍ୟତାକୁ ଦୃଢ଼ କରି ଚାଲିଛନ୍ତି। ଭାରତ ବିପକ୍ଷ ଏହି ବିଜୟ ସହ ଗତବର୍ଷଠାରୁ ଲମ୍ବିଥିବା ୫ ମ୍ୟାଚ୍‌ ଶୃଙ୍ଖଳା ୨-୨ରେ ଶେଷ ହୋଇଛି। ବ୍ରେଣ୍ଡନ୍ ମ୍ୟାକଲମ୍ ପ୍ରଶିକ୍ଷକ ଦାୟିତ୍ବ ନେବା ପରଠାରୁ ଇଂଲଣ୍ଡ ମଧ୍ୟ ଲଗାତାର ୪ ଟେଷ୍ଟରେ ପଶ୍ଚାତଧାବନ କରି ଜିତିଛି। ଭାରତ ବିପକ୍ଷ ଏହି ଶୃଙ୍ଖଳାରେ ରୁଟ୍‌ ୪ ଶତକ ମାରିବା ଏବଂ ବେୟାରଷ୍ଟୋ ଗତ ୪ ଟେଷ୍ଟରେ ୪ ଶତକ ଅର୍ଜନ କରିବା ଇଂଲିସ୍ ଦଳକୁ ସାମ୍ପ୍ରତିକ ସମୟର ଶ୍ରେଷ୍ଠ ଦଳ ଭାବେ ଉଭା କରାଇଛି।

ପନ୍ତ୍‌ଙ୍କ କୀର୍ତ୍ତିମାନ: ଫାରୁକଙ୍କ ପରେ ପ୍ରଥମ

ଭାରତୀୟ ଯୁବ ୱିକେଟ୍‌ରକ୍ଷକ ଋଷଭ ପନ୍ତ୍‌ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ୍‌ର ପ୍ରଥମ ପାଳିରେ ଶତକ ଏବଂ ଦ୍ବିତୀୟ ପାଳିରେ ଅର୍ଦ୍ଧଶତକ ଜମାଇଥିଲେ। ଏହା କରିବାରେ ସେ ୪୯ ବର୍ଷ ପରେ ପ୍ରଥମ ଭାରତୀୟ ୱିକେଟ୍‌ରକ୍ଷକର କୀର୍ତ୍ତିମାନ ପାଇଛନ୍ତି। ଶେଷ ଥର ପାଇଁ ୧୯୭୩ ମସିହାରେ ଇଂଲଣ୍ଡ ବିପକ୍ଷରେ ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମ୍‌ରେ ଫାରୁକ ଇଞ୍ଜିନିୟର ଭାରତୀୟ ୱିକେଟ୍‌ରକ୍ଷକ ଭାବେ ଗୋଟିଏ ଟେ‌ଷ୍ଟ୍‌ରେ ଶତକ ଓ ଅର୍ଦ୍ଧଶତକ ହାସଲ କରିଥିଲେ। ପୁଣି ଏଜ୍‌ବାଷ୍ଟନରେ ଗୋଟିଏ ଟେଷ୍ଟ୍‌ର ଉଭୟ ପାଳିରେ ମୋଟ ୨୦୦+ ସ୍କୋର୍‌ କରିବାରେ ପନ୍ତ୍‌ ପ୍ରଥମ ଭାରତୀୟ ହୋଇଛନ୍ତି। ସେ ଏହି ଟେଷ୍ଟ୍‌ରେ ମୋଟ ୨୦୩ (୧୪୬+୫୭) ରନ୍‌ କରିଥିଲେ। ଏହା ପୂର୍ବରୁ ୨୦୧୮ରେ ବିରାଟ କୋହଲିଙ୍କ ୨୦୦ (୧୪୯+୫୧) ରନ୍‌ ହିଁ ଭାରତୀୟ ଭାବବେ ସର୍ବାଧିକ ରହିଥିଲା। ପନ୍ତ୍‌ ମଧ୍ୟ ଇଂଲଣ୍ଡ ବିପକ୍ଷରେ ଇଂଲଣ୍ଡ ମାଟିରେ ଗୋଟିଏ ଟେଷ୍ଟ୍‌ରେ ୨୦୦+ ସ୍କୋର୍‌ କରିବାରେ ପ୍ରଥମ ୱିକେଟ୍‌ରକ୍ଷକ ବ୍ୟାଟର୍‌ ହେବାର ଗୌରବ ବହନ କରିଛନ୍ତି। ସେହିପରି ଏଜ୍‌ବାଷ୍ଟନରେ ଖେଳାଯାଇଥିବା‌ ଏକ ଟେଷ୍ଟ୍‌ରେ ଉଭୟ ପାଳିରେ ୫୦+ ସ୍କୋର୍‌ କରିବାରେ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ଦ୍ବିତୀୟ ୱିକେଟ୍‌ରକ୍ଷକ ବ୍ୟାଟର ହୋଇଛନ୍ତି। ଧୋନି ୨୦୧୧ରେ ୭୭ ଏବଂ ୭୪* ରନ୍‌ କରିଥିଲେ। ପନ୍ତ୍‌ ମଧ୍ୟ ଗୋଟିଏ ଟେ‌ଷ୍ଟ୍‌ର ଉଭୟ ପାଳିରେ ୫୦+ ସ୍କୋର୍‌ କରିବାରେ ପଞ୍ଚମ ଭାରତୀୟ ୱିକେଟ୍‌ରକ୍ଷକ ହୋଇଛନ୍ତି। ତାଙ୍କ ପୂର୍ବରୁ ଦିଲ୍‌ୱାର ହୁସେନ, ଫାରୁକ ଇଞ୍ଜିନିୟର, ଧୋନି ଏବଂ ରିଦ୍ଧିମାନ ଶାହା ଏହି ତାଲିକ‌ା ମଣ୍ଡନ କରିଥିଲେ।

କପିଳଙ୍କ ଆଉଏକ କୀର୍ତ୍ତିମାନଙ୍କୁ ଟପିଲେ ବୁମ୍‌ରା

କିଂବଦନ୍ତି କପିଳ ଦେବ ୪୦ ବର୍ଷ ତଳେ ଯେଉଁ କୀତ୍ତିମାନର ଅଧିକାରୀ ହୋଇଥିଲେ ତାକୁ ଏବେ ଯଶ୍‌ପ୍ରୀତ୍‌ ବୁମ୍‌ରା ଟପି ଯାଇଛନ୍ତି। ଇଂଲଣ୍ଡ ବିପକ୍ଷ ଏକ ଟେଷ୍ଟ୍‌ ଶୃଙ୍ଖଳାରେ କପିଳ ଦେବ (୧୯୮୧-୮୨) ୨୨ ୱିକେଟ୍‌ ଅକ୍ତିଆର କରିଥିଲେ। ଯାହାକି ଜଣେ ଭାରତୀୟ ସିମର୍‌ ଭାବେ ସର୍ବାଧିକ ୱିକେଟ୍‌ କୀର୍ତ୍ତିମାନ ଥିଲା‌। ବର୍ମିଂହାମ୍‌ ଟେଷ୍ଟ୍‌ରେ ୫ ୱିକେଟ୍‌ ଦଖଲ କରିଥିବା ଭାରତର କାମଚଳା ଅଧିନାୟକ ବୁମ୍‌ରା ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ମୋଟ ୨୩ ୱିକେଟ୍‌ ଅକ୍ତିଆର କରି କପିଳ ଦେବଙ୍କ କୀର୍ତ୍ତିମାନକୁ ଟପି ଯାଇଛନ୍ତି। ଏକ୍ଷେତ୍ରରେ ଭୁବନେଶ୍ବର କୁମାର (୧୯) ଭାରତୀୟ ପେସର୍‌ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି। କପିଳ ଦେବ ଭାରତରେ ଏହି ୱିକେଟ୍‌ ନେଇଥିଲା ବେଳେ ଉଭୟ ବୁମ୍‌ରା ଓ ଭୁବନେଶ୍ବର (୨୦୧୪) ଇଂଲଣ୍ଡ ମାଟିରେ ସଫଳତା ପାଇଥିଲେ।

ଅନ୍ୟପକ୍ଷରେ ସେନା (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ) ରାଷ୍ଟ୍ରରେ ବ୍ୟକ୍ତିଗତ ଭାବେ ୧୦୦ ଟେ‌ଷ୍ଟ୍‌ ୱିକେଟ୍‌ ପୂରଣ କରିବାରେ ବୁମ୍‌ରା ଷଷ୍ଠ ଭାରତୀୟ ବୋଲର ହୋଇଛନ୍ତି। ଏହି ୪ ରାଷ୍ଟ୍ରରେ ବୁମ୍‌ରା ଏପର୍ଯ୍ୟନ୍ତ ୧୦୧ ୱିକେଟ୍‌ ଅକ୍ତିଆର କରିସାରିଥିଲା ବେଳେ ଅନିଲ କୁମ୍ବଲେ (୧୪୧) ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ପଛ ଈଶାନ୍ତ ଶର୍ମା (୧୩୦), ଜାହିର ଖାନ୍‌ (୧୧୯), ମହମ୍ମଦ ସାମି (୧୧୯) ଏବଂ କପିଳ ଦେବ (୧୧୭) ଯଥାକ୍ରମେ ଦ୍ବିତୀୟରୁ ପଞ୍ଚମରେ ରହିଛନ୍ତି। ବୁମ୍‌ରା ମଧ୍ୟ ଏହି ତାଲିକାରେ ପଞ୍ଚମ ପେସର୍‌ ରହିଛନ୍ତି।

କିଏ କ’ଣ କହିଲେ

-ଏହା ହିଁ ଟେଷ୍ଟ୍ କ୍ରିକେଟର ସୌନ୍ଦର୍ଯ୍ୟ। ଆମେ ୩ ଦିନ ଧରି ପ୍ରାଧାନ୍ୟ ବିସ୍ତାର କରିବା ପରେ ଚତୁର୍ଥ ଦିନ ବ୍ୟାଟିଂ ବିଫଳତା କାରଣରୁ ସୁଯୋଗ ହାତଛଡ଼ା ହେବାକୁ ଦେଇଥିଲୁ। : ଯଶପ୍ରୀତ୍ ବୁମରା
-ପିଲାମାନେ ଏଭଳି ଖେଳିଲେ ମୋ କାମ ସହଜ ‌ହୋଇଯାଏ। ଡ୍ରେସିଂ ରୁମ୍‌ ମାହୋଲ ହିଁ ଆମକୁ ବଡ଼ ପଶ୍ଚାତଧାବନର ସାହାସ ଦେଇଛି। ୫ ସପ୍ତାହ ତଳେ ୩୭୮ ରନ୍‌ ଲକ୍ଷ୍ୟ ଡର ଲାଗିଥା’ନ୍ତା, ଏବେ କିନ୍ତୁ ନୁହେଁ: ବେନ୍ ‌ଷ୍ଟୋକ୍ସ
-ବିଫଳତାକୁ ନେଇ ମୁଁ ଡରେ ନାହିଁ, କେବଳ ପ୍ରତିପକ୍ଷଙ୍କୁ ଚାପରେ ରଖିବାକୁ ଖେଳି ଚାଲିଥାଏ। ବିଗତ କିଛି ବର୍ଷ ମୋ ପାଇଁ ଖରାପ ଥିଲା, ଏବେ ବିଗତ କିଛି ମାସ ମୋ ପାଇଁ ଚମତ୍କାର ବିତିଛି: ଜନି ବେୟାରଷ୍ଟୋ
-ଇଂଲଣ୍ଡ ପାଇଁ ଏହ‌ା ସ୍ବତନ୍ତ୍ର ବିଜୟ, ରୁଟ୍ ଓ ବେୟାରଷ୍ଟୋଙ୍କ ଚମତ୍କାର ଫର୍ମ ବ୍ୟାଟିଂକୁ ସହଜ କରି ଦେଇଥିଲା: ସଚିନ ତେନ୍ଦୁଲକର
-ଇଂଲଣ୍ଡର ଏ ବିଜୟ ଭାରତକୁ ଅତ୍ୟନ୍ତ ବାଧିଥିବ: ଇର୍ଫାନ୍ ପଠାନ୍‌
-ଭାରତୀୟ ବ୍ୟାଟରଙ୍କୁ ଫର୍ମରେ ରହିବା ଆବଶ୍ୟକ। ପୂଜାରା, ପନ୍ତ୍‌, ଜାଦେଜା କେବଳ ଭଲ ବ୍ୟାଟିଂ କରିଥିଲେ: ବୀରେନ୍ଦ୍ର ସେହବାଗ
-ଇଂଲଣ୍ଡ ନିଜର ଶେଷ ୨୦୦ ରନ୍‌ ପାଇଁ କୌଣସି ଆହ୍ବାନର ସମ୍ମୁଖୀନ ହୋଇନଥିଲା: ହର୍ଷ ଭୋଗ୍‌ଲେ

 

ସମ୍ବନ୍ଧିତ ଖବର