ବଡ଼ୋଦରା: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଦିନିକିଆ ଶୃଙ୍ଖଳାକୁ ଭାରତ ଆଗୁଆ ୨-୦ରେ କବ୍ଜା କରି ନେଇଛି। ୩ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାର ପ୍ରଥମ ଦିନିକିଆକୁ ୨୧୧ ରନ୍ରେ ଜିତିଥିବା ଘରୋଇ ଦଳ ମଙ୍ଗଳବାର ଦ୍ବିତୀୟ ମ୍ୟାଚ୍କୁ ୧୧୫ ରନ୍ରେ ଜିତି ନେଇଛି। ତୃତୀୟ ମ୍ୟାଚ୍ ଶୁକ୍ରବାର ଖେଳାଯିବ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଦୁଇ ଓପନର୍ ସ୍ମୃତି ମନ୍ଧାନା ଓ ପ୍ରତୀକା ରାୱଲ ୧୧୦ ରନ୍ ଭାଗୀଦାରି ଗଢ଼ି ଭଲ ଆରମ୍ଭ ଦେଇଥିଲେ। ମନ୍ଧାନା (୫୩, ୪୭ ବଲ୍, ୭ ଚୌକା, ୨ ଛକା) ନିଜର ୨୯ତମ ଅର୍ଦ୍ଧଶତକ ଅର୍ଜନ କରିବା ପରେ ଆଉଟ୍ ହୋଇଥିଲେ। ଏହା ପରେ ହର୍ଲିନ ଦେଓଲଙ୍କ ସହ ପ୍ରତୀକା (୭୬, ୮୬ ବଲ୍, ୧୦ ଚୌକା, ୧ ଛକା) ଦ୍ବିତୀୟ ୱିକେଟ୍ରେ ୬୨ ରନ୍ ଯୋଡ଼ି ବଡ଼ ସ୍କୋର୍ ଦିଗରେ ନେଇଥିଲେ। ନିଜର ପଦାର୍ପଣ ମ୍ୟାଚ୍ରେ ୪୦ ରନ୍ କରିଥିବା ପ୍ରତୀକା ଦ୍ବିତୀୟ ମ୍ୟାଚ୍ରେ ନିଜର ପ୍ରଥମ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଅଧିନାୟିକା ହର୍ମନପ୍ରୀତ କୌର (୨୨) ବଡ଼ ସ୍କୋର୍ କରିବା ପୂର୍ବରୁ ଆଉଟ୍ ହୋଇଥିଲେ।
ହର୍ଲିନ (୧୧୫, ୧୦୩ ବଲ୍, ୧୬ ଚୌକା) ନିଜର ପ୍ରଥମ ଶତକ ଅର୍ଜନ କରିଥିଲେ। ତାଙ୍କ ସହ ଜେମିମା ରଡ୍ରିଗୁଏଜ ଚତୁର୍ଥ ୱିକେଟ୍ରେ ୧୧୬ ରନ୍ର ଭାଗୀଦାରି ଗଢ଼ି ଦଳୀୟ ସ୍କୋର୍ ୩୦୦ ପାର୍ କରିଥିଲେ। ରଡ୍ରିଗୁଏଜ (୫୨, ୩୬ ବଲ୍, ୬ ଚୌକା, ୧ ଛକା) ବିସ୍ଫୋରକ ପାଳି ଖେଳି ଶେଷ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ। ଏହାପରେ ରିଚା ଘୋଷ ୬ ବଲ୍ରୁ ୧୩ ରନ୍ କରି ଦଳୀୟ ସ୍କୋର୍କୁ ୩୫୮ରେ ପହଞ୍ଚାଇଥିଲେ। ଯାହା ଭାରତର ଯୁଗ୍ମ ସର୍ବୋଚ୍ଚ ସ୍କୋର୍ ହୋଇଥିଲା। ପୂର୍ବରୁ ଭାରତ ୨୦୧୭ (ପୋସେଫଷ୍ଟ୍ରମ୍)ରେ ଆୟର୍ଲାଣ୍ଡ ବିପକ୍ଷରେ ୩୫୮ ରନ୍ କରିଥିଲା। ଏହା ବିଦେଶୀ ମାଟିରେ ହୋଇଥିବାରୁ ଭାରତର ଇଣ୍ଡିଜ ବିପକ୍ଷ ସ୍କୋର୍ ଘରୋଇ ମାଟିରେ ସର୍ବୋଚ୍ଚ ସ୍କୋର୍। ପୂର୍ବରୁ ଭାରତର ଘରୋଇ ମାଟିରେ ସର୍ବୋଚ୍ଚ ସ୍କୋର୍ ୩୨୫ (ଦକ୍ଷିଣ ଆଫ୍ରିକା, ୨୦୨୪, ବେଙ୍ଗାଲୁରୁ) ଥିଲା। ଜବାବରେ ୱେଷ୍ଟ୍ଇଣ୍ଡିଜ୍ ଅଧିନାୟକ ହେଲି ମାଥ୍ୟୁସ (୧୦୬, ୧୦୯ ବଲ୍, ୧୩ ଚୌକା)ଙ୍କ ଶତକ ସତ୍ତ୍ବେ ୪୬.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୨୪୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ପ୍ରିୟା ମିଶ୍ର ୩ ଏବଂ ଦୀପ୍ତି ଶର୍ମା, ଟିଟାସ ସାଧୁ, ପ୍ରତୀକା ରାୱଲ ୨ ଲେଖାଏଁ ୱିକେଟ୍ ନେଇଥିଲେ। ହର୍ଲିନ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/25/PSyGGfcnObK7zTyCsT84.jpg)