ଦକ୍ଷିଣ ଆଫ୍ରିକାର ଶୋଚନୀୟ ପରାଜୟ: ଶୃଙ୍ଖଳା ୨-୨ କଲା ପାକିସ୍ତାନ

ଜୋହା‌ନେସବର୍ଗ,: ଜୋହାନେସ୍‌ବର୍ଗ ଦିନିକିଆରେ ଘରୋଇ ଦକ୍ଷିଣ ଆଫ୍ରିକା ଶୋଚନୀୟ ପରାଜୟ ବରଣ କରିଛି। ଉଭୟ ବ୍ୟାଟ୍ ଏବଂ ବଲ୍‌ରେ ବିଫଳ ହୋଇ ଭ୍ରମଣକାରୀ ପାକିସ୍ତାନଠାରୁ ୮ ୱିକେଟ୍‌ରେ ପରାଜିତ ହୋଇଛି। ଫଳରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ୨-୨ ସ୍ଥିତିକୁ ଚାଲି ଆସିଛି। ପ୍ରଥମ ଚାରିଟି ଦିନିକିଆରେ ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ୍ ଜିତିବା ପରେ କେପଟାଉନ୍‌ରେ ବୁଧବାର ଖେଳାଯିବାକୁ ଥିବା ପଞ୍ଚମ ତଥା ଶେଷ ଦିନିକିଆ ଶୃଙ୍ଖଳା ନିର୍ଣ୍ଣାୟକ ହୋଇଛି।
ରବିବାର ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା ପାକିସ୍ତାନର ଘାତକ ବୋଲିଂର ସମ୍ମୁଖୀନ ହୋଇ ନପାରି ୪୧ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୬୪ ରନ୍ କରି ପାରିଥିଲା। ବିଶେଷ କରି ପାକିସ୍ତାନ ବୋଲର ଉସମାନ ସିନୱାରୀ (୭-୦-୩୫-୪) , ସାହିନ ଆଫ୍ରିଦି (୮-୧-୨୪-୨) ଓ ସଦାବ ଖାନ୍ (୯-୦-୪୨-୨) ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କୁ ପୂରା ଦୋହଲାଇ ଦେଇଥିଲେ। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ହାସିମ ଆମଲା (୫୯) ଓ ଅଧିନାୟକ ଫାଫ୍ ଡୁ’ ପ୍ଲେସିସ୍ (୫୭)ଙ୍କ ଅର୍ଧଶତକ ବଳରେ ହିଁ ଦଳ ଦେଢ଼ ଶହ ରନ୍ ଟପିଥିଲା। ଏହାର ଜବାବରେ ପାକିସ୍ତାନ ୩୧.୩ ଓଭରରେ ମାତ୍ର ୨ ୱିକେଟ୍ ହରାଇ ୧୬୮ ରନ୍ କରି ସହଜ ବିଜୟ ହାସଲ କରିଥିଲା। ଇମାମ-ଉଲ୍-ହକ୍ ୭୧ ରନ୍ କରିଥିଲା ବେଳେ ଫକର ଜମନ ୪୪ ରନ୍ କରିଥିଲେ। ବାବର ଆଜମ ୪୧ ରନ୍ କରି ‌ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ମହମ୍ମଦ ରିଜୱାନ କିନ୍ତୁ ଆନ୍ଦିଲ ଫେଲୁକ୍ବାଓଙ୍କୁ ବିଜୟ ସୂଚକ ଚୌକା ମାରିଥି‌ଲେ।
ସଂକ୍ଷିପ୍ତ ‌ସ୍କୋର: ଦକ୍ଷିଣ ଆଫ୍ରିକା ୪୧ ଓଭରରେ ୧୬୪ ( ହାସିମ ଆମଲା ୫୯, ଫାଫ୍ ଡଉ ପ୍ଲେସିସ୍ ୫୭, ଉସମାନ ସିନୱାରୀ ୪/୩୫, ସା‌ହିନ ଆଫ୍ରିଦି ୨/୨୪, ସଦାବ ଖାନ୍ ୨/୪୨)। ପାକିସ୍ତାନ ୩୧.୩ ଓଭରରେ ୧୬୮/୨ (ଇମାମ-ଉଲ୍-ହକ୍ ୭୧, ଫକର ଜମନ ୪୪, ବାବର ଆଜମ ୪୧, ଆନ୍ଦିଲ ଫେଲୁକ୍ବାଓ ୧/୧୭, ଇମ୍ରାନ ତାହିର ୧/୫୧)।

ସମ୍ବନ୍ଧିତ ଖବର