ସେଥୁରମଣଙ୍କୁ ବାର୍ସିଲୋନା ଓପନ୍‌ ଚେସ୍‌ ଟ୍ରଫି

ବାର୍ସିଲୋନା: ଭାରତୀୟ ଗ୍ରାଣ୍ଡ୍‌ମାଷ୍ଟର ଏସ୍‌ପି ସେଥୁରମଣ ବାର୍ସିଲୋନା ଓପନ୍‌ ଚେସ୍‌ ପ୍ରତିଯୋଗିତା ଟ୍ରଫି ଜିତି ନେଇଛନ୍ତି। ମୋଟ ୯ ରାଉଣ୍ଡ୍‌ରୁ ସେଥୁରମଣ (୨୬୪୪ ଏଲୋ ରେଟିଂ) ୭.୫ ପଏଣ୍ଟ୍‌ ହାସଲ କରିବା ପରେ ଉନ୍ନତ ଟାଇବ୍ରେକ୍‌ ସ୍କୋର୍‌ ଭିତ୍ତିରେ ବିଜେତା ହୋଇଥିଲେ। ତାଙ୍କ ସହ ସମାନ ପଏଣ୍ଟ୍‌ ହାସଲ କରିଥିବା ରୁଷିଆର ଡାନିଲ ୟୁଫା ଦ୍ବିତୀୟ ସ୍ଥାନରେ ସନ୍ତୁଷ୍ଟ ରହିଥିଲା ବେଳେ ଭାରତୀୟ ତାରକା କେ ମୁରଲି ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଜେତା ହେବା ପରେ ସେଥୁରମଣ ମଧ୍ୟ ଏହି ପ୍ରତିଯୋଗିତାରୁ ୮.୫ ଏଲୋ ପଏଣ୍ଟ୍‌ କରାୟତ କରିଥିଲେ। ସେହିପରି ତୃତୀୟ ସ୍ଥାନ ପାଇଥିବା ମୁରଲି (୨୬୦୬ ) ୬.୪ ଏଲୋ ପଏଣ୍ଟ୍‌ ନିଜ ଖାତାରେ ଯୋଡ଼ିଥିଲେ।

ଏଠାରେ ଶୀର୍ଷ ମାନ୍ୟତା ପାଇଥିବା ସେଥୁରମଣ ଗୁରୁବାର ନବମ ତଥା ଅନ୍ତିମ ରାଉଣ୍ଡରେ ଆର୍ମେନିଆର ଆରମ୍‌ ହାକୋବ୍ୟାନ୍‌ଙ୍କୁ ପରାସ୍ତ କରିଥିଲା ବେଳେ ପୂରା ୯ ରାଉଣ୍ଡ୍‌ଯାକରେ ଅପରାଜେୟ ରହିଥିଲେ। ସେ ୬ ମ୍ୟାଚ୍‌ ଜିତିଥିଲା ବେଳେ ଅବଶିଷ୍ଟ ୩ ମ୍ୟାଚ୍‌କୁ ଅମୀମାଂସିତ ରଖିଥିଲେ। ଅନ୍ୟତମ ଭାରତୀୟ ମୁରଲି ମଧ୍ୟ ୬ ମ୍ୟାଚ୍‌ ଜିତିଥିଲା ବେଳେ ୨ ଅମୀମାଂସିତ ରଖିଥିଲେ। କେବଳ ହାକୋବ୍ୟାନ୍‌ଙ୍କ ନିକଟରୁ ଷଷ୍ଠ ରାଉଣ୍ଡ୍‌ ମ୍ୟାଚ୍‌ ହାରିଯାଇଥିଲେ। ସେ ଅନ୍ୟ ୪ ଖେଳାଳିଙ୍କ ସହ ୭ ପଏଣ୍ଟ୍‌ରେ ଅଭିଯାନ ଶେଷ କରିଥିଲେ। ହେଲେ ଉନ୍ନତ ଟାଇବ୍ରେକ୍‌ ସ୍କୋର୍‌ ଭିତ୍ତିରେ ତୃତୀୟ ସ୍ଥାନ ଅକ୍ତିଆର କରିନେଇଥିଲେ। ଅନ୍ତିମ ରାଉଣ୍ଡ୍‌ରେ ମୁରଲି ଡବ୍ଲୁଜିଏମ୍‌ ଆର୍‌ ବୈଶାଳୀଙ୍କୁ ପରାସ୍ତ କରିଥିଲେ। ମୁରଲିଙ୍କ ସହ ସମାନ ୭ ପଏଣ୍ଟ୍‌ ପାଇଥିବା ଅନ୍ୟତମ ଭାରତୀୟ ଅରବିନ୍ଦ ଚିଦମ୍ବରମ୍‌ ପଞ୍ଚମ ସ୍ଥାନ ପାଇଥିଲା ବେଳେ ଅର୍ଜୁନ କଲ୍ୟାଣ (୬.୫) ନବମ ଓ ବିକାଶ (୬.୫) ଦଶମ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ଭାରତୀୟ ଆନ୍ତର୍ଜାତିକ ମାଷ୍ଟର ଏନ୍‌ଆର୍‌ ବିଘ୍ନେଶ ଏବଂ ବୈଶାଳୀ (ପ୍ରତ୍ୟେକ ୬ ପଏଣ୍ଟ) ଯଥାକ୍ରମେ ୧୫ ଓ ୧୬ ସ୍ଥାନରେ ରହିଥିଲେ।

ସମ୍ବନ୍ଧିତ ଖବର