ସପ୍ତମ ପଦକ ପକ୍କା କଲେ ମେରିକମ୍‌

ଲଭ୍‌ଲିନ୍‌, ସୋନିଆ, ସିମ୍ରନ୍‌ଜିତ୍‌ ବି ସେମିରେ ପିଙ୍କି, ସୀମା, ଭାଗ୍ୟବତୀ, ମନୀଷା ବିଦା

ନୂଆଦିଲ୍ଲୀ: ପାଞ୍ଚଥର ବିଶ୍ବ ବିଜୟିନୀ ଭାରତୀୟ ତାରକା ଏମ୍‌ସି ମେରିକମ୍‌ ମଙ୍ଗଳବାର ଏଠାରେ ଚାଲିଥିବା ମହିଳା ମୁଷ୍ଟିଯୁଦ୍ଧ ବିଶ୍ବ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପହଞ୍ଚି ଆଉ ଏକ ପଦକ ପକ୍କା କରିଛନ୍ତି। ମଙ୍ଗଳବାର ୪୫ରୁ ୪୮ ‌କିଲୋଗ୍ରାମ ବର୍ଗ କ୍ବାର୍ଟର୍‌ ଫାଇନାଲ୍‌ରେ ‌୩୫ ବର୍ଷୀୟା ଏହି ମଣିପୁରୀ ମା’ ୫-୦ରେ ଚୀନ୍‌ର ଉ ୟୁଙ୍କୁ ମାତ୍‌ ଦେଇଥିଲେ। ସେ ଶେଷ ୪ ମଧ୍ୟରେ ପ୍ରବେଶ କରିଥିବାରୁ ଅତି କମ୍‌‌ରେ କାଂସ୍ୟ ପଦକ ମିଳିବା ନିଶ୍ଚିତ ହୋଇଛି। ଫଳରେ ପୂର୍ବରୁ ୫ ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ଜିତିଥିବା ମେରିକମ୍‌ ନିଜ ପାଇଁ ବିଶ୍ବ ପ୍ରତିଯୋଗିତାରେ ସପ୍ତମ ପଦକ ନିଶ୍ଚିତ କରି ନେଇଛନ୍ତି। ଏହି ସଂସ୍କରଣ ପୂର୍ବରୁ ସେ ସର୍ବାଧିକ ପଦକ ଜିତିଥିବା ଆୟର୍ଲାଣ୍ଡ କିମ୍ବଦନ୍ତୀ କାଟିଏ ଟେଲାଙ୍କ ସମକ୍ଷକ ହୋଇ ସାରିଥିଲେ। ଏଠାରେ ପଦକ ପକ୍କା କରିବାରୁ ଏହି ମଣିପୁରୀ ମହିଳା ମୁଷ୍ଟିଯୁଦ୍ଧ ବିଶ୍ବରେ ସବୁଠାରୁ ସଫଳ ତାରକା ପାଲଟି ଯାଇଛନ୍ତି। ମେରିକମ୍‌ ୨୦୧୦ରେ ଏହି ପ୍ରତିଯୋଗିତାର ୪୮ କିଲୋଗ୍ରାମ୍‌‌ ବର୍ଗରେ ଶେଷ ଥର ଲାଗି ସ୍ବର୍ଣ୍ଣ ପଦକ ଜିତିଥିଲେ। ଗୁରୁବାର ସେମିଫାଇନାଲ୍‌ରେ ସେ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ଉତ୍ତର କୋରିଆର କିମ୍‌ ହ୍ୟାଙ୍ଗ୍‌ ମି’ଙ୍କୁ ଭେଟିବେ। ଗତ ବର୍ଷ ଏସୀୟ ପ୍ରତିଯୋଗିତାରେ କି୍ମ୍‌ଙ୍କୁ ହରାଇ ଥିବାରୁ ଏଠାରେ ‌ସେମିଫାଇନାଲ୍‌ ଜିତିବା ଆଶାରେ ‌ମେରିକମ୍‌ ରହିଛନ୍ତି।
ମୋରି କମ୍‌ଙ୍କ ବ୍ୟତୀତ ଅନ୍ୟ ଭାରତୀୟଙ୍କ ମଧ୍ୟରେ ଲଭ୍‌ଲିନ୍‌ ବୋରଗୋହାଇଁ, ସୋନିଆ ଚହଲ (୫୭ କେଜି), ସିମ୍ରନଜିତ କୌର ବାଥ (୬୪ କେଜି) ମଧ୍ୟ ସେମିଫାଇନାଲ୍‌ରେ ପହଞ୍ଚି ପଦକ ପକ୍କା କରିଛନ୍ତି। ୬୯ କିଲୋଗ୍ରାମ୍‌ କ୍ବାର୍ଟର୍‌ ଫାଇନାଲ୍‌ରେ ୨୧ ବର୍ଷୀୟା ଆସାମୀ ଝିଅ ଲଭ୍‌ଲିନ୍‌ ୫-୦ରେ ଅଷ୍ଟ୍ରେଲିଆର କାଇ ଫ୍ରାନ୍‌ସିସ୍‌ ସ୍କଟ୍‌ଙ୍କୁ ହରାଇଥିଲେ। ସେମିଫାଇନାଲ୍‌ରେ ‌‌‌ସେ ଚାଇନିଜ୍‌ ତାଇପେର ଚେନ୍‌ ନିନ୍‌ ଚେନ୍‌ଙ୍କୁ ଭେଟିବେ। ସେହିପରି ସୋନିଆ ୪-୧ରେ କଲମ୍ବିଆର ରିସ୍‌ କାଷ୍ଟେନାଦା ଏନି ମାର୍ସିଲାଙ୍କୁ ଏବଂ ସିମ୍ରନ୍‌ଜିତ ୩-୧ରେ ଆୟର୍ଲାଣ୍ଡର ଆମି ସାରା ‌ବ୍ରଡ୍‌ହର୍ଷ୍ଟଙ୍କୁ ପରାସ୍ତ କରିଥିଲେ। ଫାଇନାଲ୍‌ରେ ସ୍ଥାନ ପାଇଁ ସୋନିଆ ଉତ୍ତର କୋରିଆର ୱା ସନ୍‌ ଜୋଙ୍କୁ ଏବଂ ସିମ୍ରନଜିତ୍‌ ତାଜକାସ୍ତାନର ଶୋଇରା ଜୁଲକ୍ୟାନାରୋଭାଙ୍କୁ ଭେଟିବେ।
ଅନ୍ୟପକ୍ଷରେ ମନୀଷା ମାଉଁ (୫୪ କେଜି), ଭାଗ୍ୟବତୀ କଚାରୀ (୮୧ କେଜି), ପିଙ୍କି ରାଣୀ (୫୧ କେଜି) ଓ ସୀମା ପୁନିଆ (୮୧+ କେଜି) କ୍ବାର୍ଟର୍‌ ଫାଇନାଲ୍‌ରୁ ବିଦାୟ ନେଇଛନ୍ତି। ମନୀଷା ୧-୪ରେ ଶୀର୍ଷ ମାନ୍ୟତା ତଥା ୨୦୧୬ ବିଶ୍ବ ପ୍ରତି‌ଯୋଗିତା ରୌପ୍ୟ ବିଜୟିନୀ ବୁଲଗେରିଆର ଷ୍ଟୋଇକା ପେଟ୍ରୋଭାଙ୍କଠୁ, ଭାଗ୍ୟବତୀ ୨-୩ରେ କଲମ୍ବିଆର ଜେସିକା ପାଓଲାଙ୍କଠୁ, ପିଙ୍କି ୦-୫ରେ କୋରିଆର ଚୋଲ୍‌ ମି ପାଙ୍ଗ୍‌ଙ୍କୁଠୁ ଏବଂ ସୀମା ୦-୫ରେ ଚୀନ୍‌ର ଜିଓଲି ୟାଙ୍ଗ୍‌ଙ୍କଠୁ ହାରି ଯାଇଥିଲେ।

ସମ୍ବନ୍ଧିତ ଖବର