ରାଉରକେଲା: ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଶୁକ୍ରବାର ହକି ଇଣ୍ଡିଆ ଲିଗ୍‌ରେ ଗୋଟିଏ ମ୍ୟାଚ୍‌ ଖେଳାଯାଇଛି। ମହିଳା ବିଭାଗର ଏହି ମୁକାବିଲା ଦିଲ୍ଲୀ ଏସ୍‌ଜି ପାଇପର୍ସ ଓ ସୁର୍‌ମା ହକି କ୍ଲବ ମଧ୍ୟରେ କଡ଼ା ସଂଘର୍ଷପୂର୍ଣ୍ଣ ହୋଇଥିଲା। ତେବେ ପାଇପର୍ସ ୨-୦ ଗୋଲ୍‌ରେ ଜିତି ପ୍ରଥମ ବିଜୟ ହାସଲ କରିଛି। ଉଲ୍ଲେଖଯୋଗ୍ୟ, ଶନିବାର ମହିଳା ଲିଗ୍‌ ପାଇଁ ବିଶ୍ରାମ ଦିଆଯାଇଥିବା ବେଳେ ପରବର୍ତ୍ତୀ ମ୍ୟାଚ୍‌ ରବିବାର ଦିନ ଓଡ଼ିଶା ୱାରିଅର୍ସ ଓ ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସ ମଧ୍ୟରେ ଖେଳାଯିବ।

Advertisment

ମହିଳା ଲିଗ୍‌ରେ ‌ପଏଣ୍ଟ୍‌ ତାଲିକାରେ ଶେଷ ସ୍ଥାନରେ ଥିବା ଦିଲ୍ଲୀ ପାଇପର୍ସ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି। ଦଳୀୟ ଖେଳାଳି ପୂର୍ବ ପରାଜୟକୁ ଭୁଲି ପଡ଼ିଆରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ମ୍ୟାଚ୍‌ର ପ୍ରଥମ କ୍ବାର୍ଟର୍‌ରେ ଉଭୟ ଦଳର ଖେଳାଳି ଗୋଲ୍‌ ସ୍କୋର୍‌ କରିବାକୁ କଡ଼ା ପ୍ରୟାସ କରିଥିଲେ ମଧ୍ୟ କେହି କାହାରିକୁ ଗୋଲ୍‌ ଦେଇପାରି ନଥିଲେ। ମ୍ୟାଚ୍‌ର ୨୫ତମ ମିନିଟ୍‌ରେ ପାଇପର୍ସକୁ ଗୋଟିଏ ପେନାଲ୍‌ଟି କର୍ଣ୍ଣର ସୁଯୋଗ ମିଳିଥିଲା। ଏହାର ସଦୁପଯୋଗ କରି ସଙ୍ଗୀତା କୁମାରୀ ପ୍ରଥମ ଗୋଲ୍‌ ଦେଇ ସ୍କୋର୍‌କୁ ୧-୦ରେ ଆଗୁଆ କରିଥିଲେ। ୪୭ତମ ମିନିଟ୍‌ରେ ମିଳିଥିବା ଆଉ ଏକ ପେନାଲ୍‌ଟି କର୍ଣ୍ଣର୍‌କୁ ଦୀପିକା ଗୋଲ୍‌ରେ ପରିଣତ କରି ବ୍ୟବଧାନକୁ ୨-୦ କରିଥିଲେ। ଏହାପରେ ସୁର୍‌ମା ଖେଳାଳି ଗୋଲ୍‌ ଶୁଝିବାକୁ ପ୍ରୟାସ କରିଥିଲେ ମଧ୍ୟ ପ୍ରତିପକ୍ଷ ଖେଳାଳି ମାତ୍‌ ଦେଇଥିଲେ। ଫଳରେ ସୁର୍‌ମା ଚଳିତ ଲିଗ୍‌ରେ ପ୍ରଥମ ପରାଜୟ ବରଣ କରିଛି।