ଶବର କପ୍ ଫୁଟବଲ୍ ସେମିରେ ଉତ୍କଳ ସ୍ପୋର୍ଟିଂ

ଖଣ୍ଡଗିରି: ଖୋର୍ଧା ଜିଲ୍ଲା ଶବର କ୍ରୀଡ଼ାସଂଘ ଅନୁକୂଲ୍ୟରେ ଯାଁଳାର ରାଧାଚରଣପୁର ଖେଳ ପଡ଼ିଆରେ ଚାଲିଥିବା ୨୧ତମ ଶବର କପ୍ ଫୁଟ୍‌ବଲ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଜଟଣୀର ଉତ୍କଳ ସ୍ପୋର୍ଟିଂ ପ୍ରବେଶ କରିଛି। ‌ମଙ୍ଗଳବାର ସଂଘର୍ଷପୂର୍ଣ ମ୍ୟାଚ୍‌ରେ ଜଟଣୀ ଦଳ ୧-୦ ଗୋଲ୍‌ରେ ଢେଙ୍କାନାଳର ପପୁଲାର୍ କ୍ଲବକୁ ପରାସ୍ତ କରିଛି। ପ୍ରଥମାର୍ଧର ୨୦ତମ ମିନିଟ୍‌ରେ ଦିଲ୍ଲୀପ ନାଏକଙ୍କ ଏକ ଚମତ୍କାର ପାସ୍‌କୁ ଲାଲା ଏସ୍ ରାୟ ଗୋଲ୍‌ରେ ପରିଣତ କରି ଜଟଣୀ ଦଳକୁ ଆଗୁଆ କରିଥିଲେ। ତେବେ ଦ୍ବିତୀୟାର୍ଧରେ ରକ୍ଷଣାତ୍ମକ ପ୍ରଦର୍ଶନ କରି ଏହି ଦଳ ପୁପଲାର କ୍ଲବ୍‌କୁ ସୁଯୋଗ ‌ଦେଇ ନଥିଲା। ଫଳରେ ଦ୍ବିତୀୟାର୍ଧ ଗୋଲ୍‌ଶୂନ୍ୟ ଭାବେ ‌ଶେଷ ହୋଇଥିଲା ଏବଂ ଜଟଣୀ ଦଳ ୧-୦ରେ ବିଜୟୀ ହୋଇଥିଲା। ମ୍ୟାଚ୍ ପରିଚାଳନା କରିଥିଲେ ଏସ୍ ଖାନ୍, ଦିଗବିଜୟ ସିଂହ, ଲକ୍ଷ୍ମୀପ୍ରସାଦ ନାଇଡ଼ୁ ଓ ଉପେନ୍ଦ୍ର ନାଏକ। ବୁଧବାର ଶେଷ ନକ୍ ଆଉଟ୍ ମ୍ୟାଚ୍‌ରେ ଆୟୋଜକ ଶବର ସ୍ପୋର୍ଟିଂ ଏବଂ କଟକ ବିଡ଼ାନାସୀ କ୍ଲବ ମୁହାଁମୁହିଁ ହେବେ। ଅନ୍ୟପକ୍ଷରେ ମଙ୍ଗଳବାରର ବିଜୟୀ ଜଟଣୀ ଦଳ ୧୫ ତାରିଖ ପ୍ରଥମ ସେମିଫାଇନାଲ୍‌ରେ କଟକର ମଙ୍ଗଳା କ୍ଲବ୍‌କୁ ଭେଟିବ।

ସମ୍ବନ୍ଧିତ ଖବର