ରାଞ୍ଚି: ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ୍ ରାଞ୍ଚିର ଝାଡ଼ଖଣ୍ଡ କ୍ରିକେଟ୍ ସଂଘ (ଜେଏସ୍‌ସିଏ) ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିଲାଗି ଏବେଠୁ ନାନା ଅଙ୍କକଷା ଆରମ୍ଭ ହୋଇଗଲାଣି। ଶୃଙ୍ଖଳାରେ ୨-୧ରେ ଆଗୁଆ ଥିବାରୁ ଘରୋଇ ଭାରତ ଏଠାରେ ଜିତି ଶୃଙ୍ଖଳା ବିଜୟ ପକ୍କା କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ବୋଲି ପ୍ରଶଂସକ ମହଲରେ ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ ଶୃଙ୍ଖଳାକୁ ବଞ୍ଚାଇବା ଲାଗି ଏଠାରେ ଇଂଲଣ୍ଡ ଆପ୍ରାଣ ଉଦ୍ୟମ କରିବ ବୋଲି ସଙ୍କେତ ଦେଇଛି। ପୁଣି ଏହି ଟେଷ୍ଟ୍‌ରୁ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଛି।

Advertisment

ପନ୍ନୁ ଧମକ ପରେ ବଢ଼ିଲା ସୁରକ୍ଷା
ପଦାର୍ପଣ କରିପାରନ୍ତି ଆକାଶ ଦୀପ
ପିଚ୍‌ ସ୍ପିନରଙ୍କୁ ସୁହାଇବା ସମ୍ଭାବନା
ଟସ୍ ଜିତିଲେ ବୋଲିଂ କରିବ ଇଂଲଣ୍ଡ

ଯାହା ଇଂଲଣ୍ଡ ପାଇଁ ଭଲ ‌ଖବର ହୋଇଛି। ବୁମ୍‌ରା ବିଶ୍ରାମ ନେବା ବେଙ୍ଗଲର ଯୁବ ବୋଲର ଆକାଶ ଦୀପଙ୍କ ପାଇଁ କିନ୍ତୁ ବରଦାନ ସାବ୍ୟସ୍ତ ‌ହୋଇପାରେ। ସେ ରାଞ୍ଚିରେ ଶୁକ୍ରବାର ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିବା ସହ ମହମ୍ମଦ ସିରାଜଙ୍କ ନୂଆ ବଲ୍ ଯୋଡ଼ିଦାର ହୋଇପାରନ୍ତି। ନିକଟ ଅତୀତରେ ଭାରତ ‘ଏ’ ପକ୍ଷରୁ ଖେଳିଥିବା ଦୁଇଟି ମ୍ୟାଚ୍‌ରେ ୧୦ ୱିକେଟ୍ ନେଇ ସେ ନିଜ ପ୍ରଚଣ୍ଡ ପ୍ରତିଭାର ପରିଚୟ ଦେଇସାରିଛନ୍ତି। ଘରୋଇ କ୍ରିକେଟ୍‌ରେ ଆକାଶ ଦୀପ ୩୦ ମ୍ୟାଚ୍‌ରୁ ୧୦୪ ୱିକେଟ୍ କରାୟତ୍ତ କରିବା ବି ତାଙ୍କ ସପକ୍ଷରେ ଯାଇପାରେ। ଏଣୁ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଓ ଅଧିନାୟକ ରୋହିତ ଶର୍ମା ତାଙ୍କ ରଣଜୀ ସାଥୀ ମୁକେଶ କୁମାରଙ୍କ ପରିବର୍ତ୍ତେ ଆକାଶ ଦୀପଙ୍କୁ ବାଛିପାରନ୍ତି। ସେପଟେ ଇଂଲଣ୍ଡ ରାଞ୍ଚିରେ ତା’ର ଯୁବ ବୋଲର ଓଲି ପୋପ୍‌ଙ୍କୁ ସୁଯୋଗ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ‌ଏହି ଟେଷ୍ଟ୍‌ରେ ଅଭିଜ୍ଞ ଜେମ୍ସ ଆଣ୍ଡରସନ୍ ଓ ମାର୍କ ଉଡ୍‌ଙ୍କୁ ବିଶ୍ରାମ ଦେବାକୁ ପୂର୍ବତନ ଅଧିନାୟକ ଆଲେଷ୍ଟର୍ କୁକ୍ ଇଂଳଣ୍ଡକୁ ପରାମର୍ଶ ଦେଇଥିବାରୁ ଏଭଳି ସମ୍ଭାବନା ସୃଷ୍ଟି ହୋଇଛି। ଇଂଲଣ୍ଡ ଅଧିନାୟକ ବେନ୍ ‌ଷ୍ଟୋକ୍ସ ବୁଧବାର ରାଞ୍ଚି ପିଚ୍ ଅନୁଧାନ କରିଛନ୍ତି। ଟସ୍ ଜିତିଲେ ପ୍ରଥମେ ବୋଲିଂ କରିବାର ସ୍ପଷ୍ଟ ସଙ୍କେତ ବି ଦେଇଛନ୍ତି। ହେଲେ ରାଞ୍ଚି ପିଚ୍‌ ଦ୍ରୁତ ବୋଲରଙ୍କ ପରିବର୍ତ୍ତେ ସ୍ପିନରଙ୍କୁ ସୁହାଇବ ବୋଲି କ୍ୟୁରେଟର୍‌ କହିଛନ୍ତି। ପାରମ୍ପରିକ ଭାବେ ମଧ୍ୟ ଜେଏସ୍‌ସିଏ ଷ୍ଟାଡିୟମ୍ ସ୍ପିନର୍‌ଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଆସିଛି। ମ୍ୟାଚ୍‌ର ପ୍ରଥମ ଚାରି ଦିନ ରାଞ୍ଚି ତାପମାତ୍ରା ୨୭ ଡିଗ୍ରିରେ ପହଞ୍ଚିଯିବାର ସମ୍ଭାବନା ରହିଛି। ସେହିଭଳି ପଞ୍ଚମ ଦିନରେ ବର୍ଷା ହେବାର ପୂର୍ବାନୁମାନ ଅଛି। ଯାହା ଏହି ମ୍ୟାଚ୍‌ର ରୋମାଞ୍ଚକୁ ବହୁଗୁଣ ବଢ଼ାଇଦେବ ବୋଲି ଆଶା କରାଯାଉଛି।

ଅନ୍ୟଏକ ଘଟଣାକ୍ରମେ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଏହି ମ୍ୟାଚ୍‌ରେ ବ୍ୟାଘାତ ସୃଷ୍ଟି କରିବାକୁ ଧମକ ଦେବା ପରେ ଜେଏସ୍‌ସିଏ ଷ୍ଟାଡିୟମ୍‌ର ସୁରକ୍ଷା ବଢ଼ାଇ ଦିଆଯାଇଛି। ସ୍ଥାନୀୟ ଥାନାରେ ତା’ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି। ପନ୍ନୁର ଧମକକୁ ଦେଖି ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ଜେଏସ୍‌ସିଏ ଷ୍ଟାଡିୟମ୍‌ ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ। ନିଜେ ଧମକ ଦେବା ସହ ମ୍ୟାଚ୍ ବେଳେ ଗଣ୍ଡଗୋଳ କରିବାକୁ ସେ ମାଓବାଦୀମାନଙ୍କୁ ଆହ୍ବାନ କରିଥିବାରୁ ପୁଲିସ ୨୪ ଘଣ୍ଟା ସଜାଗ ରହିଛି ବୋଲି ଝାଡ଼ଖଣ୍ଡ ପୁଲିସ କହିଛି।