ଟ୍ବେଣ୍ଟି-୨୦ ମାନ୍ୟତା: ଶୀର୍ଷରୁ ଖସିଲେ ଶେଫାଳି

ଦୁବାଇ : ଭାରତୀୟ ମହିଳା ଦଳର ୧୬ ବର୍ଷୀୟା ଯୁବତୀ ଶେଫାଳି ବର୍ମା (୬୪୪ ପଏଣ୍ଟ୍‌) ସୋମବାର ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ଶୀର୍ଷ ସ୍ଥାନରୁ ଖସି ତୃତୀୟରେ ରହିଛନ୍ତି। ସଦ୍ୟ ସମାପ୍ତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଫାଇନାଲ୍‌ରେ ମାତ୍ର ୨ ରନ୍‌ କରିବା ଶେଫାଳିଙ୍କ ପାଇଁ ମହଙ୍ଗା ପଡ଼ିଥିଲା। ଏଥି ଲାଗି ତାଙ୍କୁ ଶୀର୍ଷ ସ୍ଥାନ ହରାଇବାକୁ ପଡ଼ିଥିଲା। ଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିବା ବେଥ ମୁନି (୭୮ ରନ୍‌) ୭୬୨ ପଏଣ୍ଟ୍‌ ସହ ଦୁଇଟି ସ୍ଥାନ ଉପରକୁ ଉଠି ଶୀର୍ଷରେ ପହଞ୍ଚିଛନ୍ତି। ପ୍ରଥମ ଥର ଲାଗି ଶୀର୍ଷ ମାନ୍ୟତା ପାଇଥିବା ମୁନି ଚଳିତ ବିଶ୍ବକପ୍‌ରେ ୬ ପାଳି ଖେଳି ୬୪ ହାରରେ ୨୫୯ ରନ୍‌ କରିବା ସହ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ମୁନିଙ୍କ ପ୍ରାରମ୍ଭିକ ସାଥୀ ଆଲିସା ହିଲି ପଞ୍ଚମରେ ରହିଛନ୍ତି। ନ୍ୟୁଜିଲାଣ୍ଡର ସୁଜି ବେଟ୍ସ (୭୫୦ ପଏଣ୍ଟ୍‌) ମାନ୍ୟତାର ଦ୍ବିତୀୟରେ ରହିଥିଲା ବେଳେ ଭାରତର ଦୁଇ ବ୍ୟାଟର ସ୍ମୃତି ମନ୍ଧାନା (ସପ୍ତମ) ଓ ଜେମିମା ରୋଦ୍ରିଗୁଏଜ୍‌ (ନବମ) ଶୀର୍ଷ ୧୦ ମଧ୍ୟରେ ରହିଛନ୍ତି। ବ୍ୟାଟର୍‌ଙ୍କ ମାନ୍ୟତାରେ ୧୦ ସ୍ଥାନ ଲମ୍ଫ ଦେଇ ୪୩ରେ ପହଞ୍ଚିଥିବା ଦୀପ୍ତି ଶର୍ମା ପ୍ରଥମ ଥର ଲାଗି ଅଲ୍‌ରାଉଣ୍ଡର ମାନ୍ୟତାର ଶୀର୍ଷ ୫ ମଧ୍ୟରେ ରହିଛନ୍ତି। ବୋଲରଙ୍କ ମାନ୍ୟତାରେ ଦୀପ୍ତି, ରାଧା ୟାଦବ, ପୁନମ ୟାଦବ ଯଥାକ୍ରମେ ଷଷ୍ଠ, ସପ୍ତମ ଓ ଅଷ୍ଟମରେ ରହିଥିଲା ବେଳେ ଇଂଲଣ୍ଡର ସୋଫି ଏକ୍‌ଲେଷ୍ଟୋନ୍‌ ଶୀର୍ଷରେ ରହିଛନ୍ତି।

ସମ୍ବନ୍ଧିତ ଖବର