ଷୋଡ଼ଶୀ ଶେଫାଳି ଶୀର୍ଷରେ : ଟ୍ବେଣ୍ଟି-୨୦ ମାନ୍ୟତାର ପ୍ରଥମ ସ୍ଥାନ ଅଧିକାର କରିବାରେ ମିତାଲିଙ୍କ ପରେ ଦ୍ବିତୀୟ ଭାରତୀୟ

ଦୁବାଇ : ଭାରତର ଉଦୀୟମାନ ଯୁବ ମହିଳା ତାରକା ଶେଫାଳି ବର୍ମା ବିଶ୍ବର ଏକ ନମ୍ବର ଟ୍ବେଣ୍ଟି-୨୦ ବ୍ୟାଟର୍‌ ହୋଇଛନ୍ତି। ୨୦୧୯ ସେପ୍ଟେମ୍ବର ୨୪ ତାରିଖରେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ପଦାର୍ପଣ କରିଥିବା ଶେଫାଳି ଚଳିତ ବର୍ଷ ଫେବ୍ରୁଆରି ୨୯ ତାରିଖରେ ଚଳିତ ବିଶ୍ବକପ୍‌ର ଶେଷ ଗ୍ରୁପ୍‌ ମ୍ୟାଚ୍‌ ଖେଳିଛନ୍ତି। ଆଉ ଏହି ୬ ମାସ ମଧ୍ୟରେ ସେ ମୋଟ ୧୮ ଟ୍ବେଣ୍ଟି-୨୦ ଖେଳି ୨ ଅର୍ଧଶତକ ସହାୟତାରେ ମୋଟ ୪୮୫ ରନ୍‌ କରିସାରିଲେଣି। ଏଥି ସହିତ ବିଶେଷକରି ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଦମ୍‌ଦାର ପ୍ରଦର୍ଶନ ବଳରେ ଆଇସିସି ମହିଳା ଟ୍ବେଣ୍ଟି-୨୦ ବ୍ୟାଟର୍‌ଙ୍କ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିନେଇଛନ୍ତି ଏହି ୧୬ ବର୍ଷ ବୟସ୍କା ଭାରତର ଯୁବ ବିସ୍ମୟ ପ୍ରାରମ୍ଭିକ ଖେଳାଳି। ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତକୁ ଫାଇନାଲ୍‌ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନିଭାଇଥିବା ଶେଫାଳି ଏକାବେଳକେ ୧୯ ସ୍ଥାନ ଲମ୍ଫ ମାରି ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ଏକ୍ଷେତ୍ରରେ ଶେଫାଳି ମଧ୍ୟ ନ୍ୟୁଜିଲାଣ୍ଡ୍‌ର ସୁଜି ବେଟ୍‌ସଙ୍କୁ ଶୀର୍ଷରୁ ହଟାଇ ଦେଇଛନ୍ତି। ସୁଜି ବେଟ୍‌ସ ୨୦୧୮ ଅକ୍ଟୋବରରୁ ଏପର୍ଯ୍ୟନ୍ତ ଶୀର୍ଷ ମାନ୍ୟତା ମାଡ଼ି ବସିଥିଲେ। କେବଳ ସେତିକି ନୁହେଁ ମିତାଲି ରାଜଙ୍କ ପରେ ଶେଫାଳି ଦ୍ବିତୀୟ ଭାରତୀୟ ମହିଳା ଭାବେ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଅପରାଜେୟ ରହିଥିବା ଭାରତ ପକ୍ଷରୁ ଶେଫାଳି ଅଷ୍ଟ୍ରେଲିଆ ବିପକ୍ଷରେ ୧୫ ବଲ୍‌ରୁ ୨୯, ବାଂଲାଦେଶ ବିପକ୍ଷରେ ୧୭ ବଲ୍‌ରୁ ୩୭, ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ୩୪ ବଲ୍‌ରୁ ୪୬ ଏବଂ ଶ୍ରୀଲଙ୍କା ବିପକ୍ଷରେ ୩୪ ବଲ୍‌ରୁ ୪୭ ରନ୍‌ କରିସାରିଛନ୍ତି। ଫଳରେ ନକ୍‌ଆଉଟ୍‌ ପୂର୍ବରୁ ଶେଫାଳି ମଧ୍ୟ ତୃତୀୟ ସର୍ବାଧିକ ସ୍କୋରର୍‌ ରହିଛନ୍ତି। ତେବେ ଅନ୍ୟତମ ଭାରତୀୟ ସ୍ମୃତି ମନ୍ଧାନା ୨ ସ୍ଥାନ ଖସି ଷଷ୍ଠରେ ପହଞ୍ଚିଛନ୍ତି।

ବୁଧବାର ପ୍ରକାଶିତ ଆଇସିସି ମାନ୍ୟତାର ବୋଲରଙ୍କ ତାଲିକାରେ ଇଂଲଣ୍ଡର ସୋଫି ଏକ୍‌ଲେଷ୍ଟୋନ୍‌ ଦୁଇଟି ସ୍ଥାନ ଲମ୍ଫ ମାରି ଶୀର୍ଷ ସ୍ଥାନରେ ପହଞ୍ଚିଯାଇଛନ୍ତି। ଚଳିତ ବିଶ୍ବକପ୍‌ରେ ଏହି ବାମହାତୀ ସ୍ପିନର ଏକ୍‌ଲେଷ୍ଟୋନ୍‌ (୮) ଦ୍ବିତୀୟ ସର୍ବାଧିକ ୱିକେଟ୍‌ ଦଖଲକାରୀ ବୋଲର ରହିଛନ୍ତି। ଏଥି ସହିତ ଆନ୍ୟା ସ୍ରବ୍‌ସୋଲେ (ଏପ୍ରିଲ ୨୦୧୬)ଙ୍କ ପରେ ଇଂଲଣ୍ଡର ପ୍ରଥମ ବୋଲର ଏବଂ ଡାନିଏଲେ ହାଜେଲ (ଅଗଷ୍ଟ ୨୦୧୫)ଙ୍କ ପରେ ପ୍ରଥମ ଇଂଲଣ୍ଡ ସ୍ପିନର ଭାବେ ଏକ୍‌ଲେଷ୍ଟୋନ୍‌ ଟ୍ବେଣ୍ଟି-୨୦ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ଦୁଇ ଶୀର୍ଷ ଖେଳାଳି ଶେଫାଳି ବର୍ମା ଓ ସୋଫି ଏକ୍‌ଲେଷ୍ଟୋନ୍‌ ଗୁରୁବାର ଚଳିତ ବିଶ୍ବକପ୍‌ର ସେମିଫାଇନାଲ୍‌ରେ ପରସ୍ପର ମୁହାଁମୁହିଁ ହେବେ। ଭାରତୀୟ ବୋଲରଙ୍କ ମଧ୍ୟରେ ପୁନମ୍‌ ଯାଦବ ୪ ସ୍ଥାନ ଉଠି ଅଷ୍ଟମରେ ପହଞ୍ଚିଥିଲା ବେ‌ଳେ ଶିଖା ପାଣ୍ଡେ ୨୩ ସ୍ଥାନ ଉଠି ଯୁଗ୍ମ ୨୨ତମ ସ୍ଥାନରେ ରହିଛନ୍ତି।

ଅଲ୍‌ରାଉଣ୍ଡର ମାନ୍ୟତା ତାଲିକାରେ ଭାରତର ଦୀପ୍ତି ଶର୍ମା ୯ ସ୍ଥାନ ଲମ୍ଫ ମାରି ସପ୍ତମ ସ୍ଥାନରେ ପହଞ୍ଚିଥିଲା ବେଳେ ପ୍ରଥମ ଥର ପାଇଁ ଶୀର୍ଷ-୧୦ ମଧ୍ୟରେ ଯୋଡ଼ି ହୋଇଛନ୍ତି।

ସମ୍ବନ୍ଧିତ ଖବର