କରୋନା ମୁକ୍ତ ଆଫ୍ରିଦିଙ୍କ ଗୁଲିଗପ ‘ହାରିଲା ପରେ ଭାରତୀୟ ଖେଳାଳି କ୍ଷମା ମାଗୁଥିଲେ’

ଲାହୋର: ନିଜ ଅଦିନିଆ ବାହାସ୍ଫୋଟ ପାଇଁ ପରିଚିତ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି କରୋନା ମୁକ୍ତ ହେବା ପରେ ପରେ ହିଁ ଗୁଲିଗପ ଆରମ୍ଭ କରିଦେଇଛନ୍ତି। କରୋନା ଯେମିତି ତାଙ୍କ ମସ୍ତିସ୍କର ସନ୍ତୁଳନକୁ ପୂରା ବିଗାଡ଼ି ଦେଇଛି। ରବିବାର ଏକ ସାକ୍ଷାତକାର ଅବସରରେ ସେ ଏମିତି ମନ୍ତବ୍ୟ ଦେଇଛନ୍ତି, ଯାହାକୁ ବିଶ୍ବାସ କରିବା ମଧ୍ୟ ଆଦୌ ସହଜ ହେବନି। ପାକିସ୍ତାନ ସବୁବେଳେ ଭାରତକୁ ହରାଇଥାଏ। ପରାଜୟ ପରେ ଭାରତୀୟ ଖେଳାଳି ଆମକୁ କ୍ଷମା ମାଗୁଥିଲେ ବୋଲି ବାହାପିଆ ଆଫ୍ରିଦି ଏହି ଅବସରରେ କହିଥିଲେ। ତେବେ ପରାଜୟ ପରେ କୌଣସି ଦଳର ଖେଳାଳି କାହିଁକି ଓ କ’ଣ ପାଇଁ କ୍ଷମା ମାଗିବ, ତାର କାରଣ ଦେବାକୁ ସେ ପୂରା ଅସମର୍ଥ ହୋଇଥିଲେ।

‘‘ମୁଁ ଭାରତ ବିପକ୍ଷରେ ଖେଳିବାକୁ ସବୁବେଳେ ଉପଭୋଗ କରିଆସିଛି। ଆମେ ତାଙ୍କୁ ସବୁବେଳେ ହରାଉଥିଲୁ। ସେମାନଙ୍କୁ ଆମେ ଏତେ ଥର ଓ ଏମିତି ଭାବେ ହରାଉଥିଲୁ ଯେ ମ୍ୟାଚ୍ ପରେ ସେମାନେ ଆମକୁ କ୍ଷମା ପ୍ରାର୍ଥନା କରୁଥିଲେ। ଭାରତ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାକୁ ‌ମୋତେ ଭଲ ଲାଗ‌େ। ଚାପ ଅଧିକ ଥାଏ। ସେମାନେ ଭଲ ଓ ବଡ଼ ଦଳ। ସେମାନଙ୍କ ଦେଶକୁ ଯାଇ ଭଲ କରିବା ସମ୍ମାନର ବିଷୟ’’ ବୋଲି ଭାରତ ବିରୋଧୀ ମନ୍ତବ୍ୟ ପାଇଁ ଅନେକ ବାର ବିବାଦୀୟ ହୋଇଥିବା ଆଫ୍ରିଦି କହିଥ‌ିଲେ। ହେଲେ ସେ ଭୁଲି ଯାଇଥିଲେ ଯେ ୨୦୧୧ ବିଶ୍ବକପ୍‌ରେ ଆଫ୍ରିଦିଙ୍କ ନେତୃତ୍ବାଧୀନ ପାକିସ୍ତାନକୁ ହରାଇ ହିଁ ଭାରତ ଫାଇନାଲ ଯାଇଥିଲା। ସେଠାରେ ଶ୍ରୀଲଙ୍କାକୁ ହରାଇ ଦ୍ବିତୀୟ ଥର ପାଇଁ ବିଶ୍ବକପ୍ ଜିତିଥିଲା। ପରିସଂଖ୍ୟାନକୁ ତର୍ଜମା କଲେ ଜଣାପଡ଼େ ଯେ ଏକଦିବସୀୟ କ୍ରିକେଟ୍‌ରେ ଭାରତ ବିପକ୍ଷରେ ପାକିସ୍ତାନ ୭୩ ବିଜୟ ହାସଲ କରିଥିଲା ବେଳେ ଭାରତ ପାକିସ୍ତାନ ବିପକ୍ଷରେ ୫୫ ମ୍ୟାଚ୍ ଜିତିଛି। ତେବେ ପାକିସ୍ତାନ ତା’ର ଅଧିକାଂଶ ବିଜୟ ଅଶି ଓ ନବେ ଦଶକରେ ହାସଲ କରିଛି। ଅଶି ଦଶକରେ ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା ୩୦ ମ୍ୟାଚ୍‌ରୁ ପାକିସ୍ତାନ ୧୯ ଓ ଭାରତ ୯ ମ୍ୟାଚ୍ ଜିତିଛି। ନବେ ଦଶକରେ ମଧ୍ୟ ଏହି ଧାରା ଜାରି ରହିଥିଲା। ନବେ ଦଶକର ୪୮ ମ୍ୟାଚ୍‌ରୁ ପାକିସ୍ତାନ ୨୮-୧୮ରେ ଆଗୁଆ ରହିଛି। ତେବେ ୨୦୦୦ ମସିହା ପରେ ଭାରତର ପଲ୍ଲା ଭାରୀ ରହିଛି। ୨୦୧୦ରୁ ୨୦୨୦ ଭିତରେ ଭାରତର ପ୍ରଦର୍ଶନ ୧୦-୪ ରହିଛି। ଅର୍ଥାତ୍ ୨୦୧୦ରୁ ୨୦୨୦ ଭିତରେ ପାକିସ୍ତାନ ବିପକ୍ଷରେ ଭାରତ ୧୦ ବିଜୟ ପାଇଥିଲା ବେଳେ ମାତ୍ର ୪ ମ୍ୟାଚ୍ ହାରିଛି। ବିଶ୍ବକପ୍‌ରେ ମଧ୍ୟ ପାକିସ୍ତାନ ବିପକ୍ଷରେ ଭାରତର ଅପରାଜେୟ ଧାରା ଏବେ ବି ଅତୁଟ ରହିଛି। ବିଶ୍ବକପ୍‌ରେ ଭାରତର ପାକିସ୍ତାନ ବିପକ୍ଷ ସଫଳତା ୭-୦ ରହିଛି। ଟ୍ବେଣ୍ଟି-୨୦ରେ ବି ଭାରତ ଯଥେଷ୍ଟ ଆଗରେ ରହିଛି। ଟ୍ବେଣ୍ଟି-୨୦ରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ/ପରାଜୟ ଅନୁପାତ ୬:୧ ଅଛି।

ଭାରତ ବିପକ୍ଷରେ ତିନିଟି ଟେଷ୍ଟ୍ ଓ ଦୁଇଟି ଦିନିକିଆ ଶତକ ଅର୍ଜନ କରିଥିବା ଆଫ୍ରିଦି ଚେନ୍ନାଇଠାରେ ଖେଳିଥିବା ୧୪୧ ରନ୍ ପାଳିକୁ ନିଜ ଅନ୍ୟତମ ଶ୍ରେଷ୍ଠ ପାଳି ଭାବେ ବର୍ଣ୍ଣନା କରିଛନ୍ତି। ଚେନ୍ନାଇ ଟେଷ୍ଟ୍‌ର ଦ୍ବିତୀୟ ପାଳିରେ ସେ ଏହି ଶତକ ହାସଲ କରିଥିଲେ। ସେଥିମଧ୍ୟରେ ୨୧ ଚୌକା ଓ ୩ ଛକା ମାରିଥିଲେ। ‘‘ଭାରତ ବିପକ୍ଷରେ ମୋର ସବୁଠାରୁ ସ୍ମରଣୀୟ ପାଳି ହେଉଛି ଚେନ୍ନାଇ ଟେଷ୍ଟ୍‌ର ୧୪୧ ରନ୍। ମୁଁ ସେହି ଗସ୍ତରେ ଯିବାର ନଥିଲା। ସେମାନେ (ଚୟନକର୍ତ୍ତା) ମୋତେ ନେଉ ନଥିଲେ। ସେତେବେଳେ ୱାସିମ ଭାଇ (ୱାସିମ ଆକ୍ରମ) ଓ ମୁଖ୍ୟ ଚୟନକର୍ତ୍ତା ମୋତେ ସମର୍ଥନ କରିଥିଲେ। ଏହା ଏକ କଷ୍ଟକର ଗସ୍ତ ଥିଲା। ସେଥିପାଇଁ ସେହି ପାଳିର ଢେର ମହତ୍ବ ଥିଲା’’ ବୋଲି ସେ ମତ ରଖିଥିଲେ।

ସମ୍ବନ୍ଧିତ ଖବର