ଆଫ୍ରିଦିଙ୍କ ଆତ୍ମଜୀବନୀକୁ ନେଇ ଝଡ଼

ମୁମ୍ବାଇ : ପାକିସ୍ତାନ ଅଲରାଉଣ୍ଡର ସାହିଦ ଆଫ୍ରିଦିଙ୍କ ଆତ୍ମଜୀବନୀ ‘ଗେମ୍ ଚେଞ୍ଜର’ କୁ ନେଇ କ୍ରିକେଟ୍ ଦୁନିଆରେ ଝଡ଼ ସୃଷ୍ଟି ହୋଇଛି। ଆଫ୍ରିଦି ଏଥିରେ କିଛି ବିସ୍ଫୋରକ ତଥା‌ ବିବାଦୀୟ ତଥ୍ୟ ସାମିଲ କରିବା ପରେ ତାଙ୍କୁ ଉଭୟ ପ୍ରଶଂସା ଏବଂ ସମାଲୋଚନା ମିଳୁଛି। ୨୦୧୦ ମସିହାର ମ୍ୟାଚ୍ ଫିକ୍ସିଂ ମାମଲାକୁ ଉଜାଗର କରିବାରେ ସେ ପ୍ରମୁଖ ଭୁମିକା ତୁଲାଇଥିବା ଆଫ୍ରିଦି ଖୋଲା ଖୋଲି ଭାବେ ଏଥିରେ ଲେଖିଛନ୍ତି। ସେହିଭଳି କିଛି ସାଥୀ ଖେଳାଳି ଦୁର୍ନୀତିରେ ଜଡ଼ିତ ଥିବା କଥା ସେ ପୂର୍ବରୁ ଜାଣିଥିଲେ। ଏପରିକି ତାଙ୍କ ପାଖରେ ଏହାର ଠୋସ୍ ପ୍ରମାଣ ଥିଲା ବୋଲି ବୋଲି ଆଫ୍ରିଦି ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଶ୍ରୀଲଙ୍କା ଗସ୍ତ ବେଳେ ସଲମାନ ବଟ୍‌ଙ୍କ ପ୍ରବନ୍ଧକ ମଜହର ମଜିଦ ତାଙ୍କ ପାଖକୁ ପଠାଇଥିବା ଏକ ମେସେଜ ବାର୍ତା ‌ସୌଭାଗ୍ୟବଶତଃ ମୋତେ ମିଳି ଯାଇଥିଲା। ଯାହା ୨୦୧୦ର ମ୍ୟାଚ୍ ଫିକ୍ସିଂ ମାମଲା ପଦାକୁ ଆସିବାରେ ନିର୍ଣ୍ଣାୟକ ଭୂମିକା ନେଇଥିଲା। ଶ୍ରୀଲଙ୍କା ଗସ୍ତ ପୂର୍ବରୁ ମଜିଦ ଏବଂ ତାଙ୍କ ପରିବାର ଆମ ଦଳ ସହ ଯୋଗ ଦେଇଥିଲେ। ମଜିଦଙ୍କ ଛୋଟ ପୁଅ ତାଙ୍କ ମୋବାଇଲକୁ ପାଣିରେ ପକାଇ ଦେଇଥିଲା ଏବଂ ଏହା କାମ କରିବା ବନ୍ଦ କରି ଦେଇଥିଲା। ଇଂଲଣ୍ଡ ଫେରିଯିବା ପରେ ମଜିଦ ଏହାକୁ ସେଠାକାର ଏକ ଦୋକାନରେ ମରାମତି ପାଇଁ ‌େଦଇଥିଲେ। ସଂଯୋଗ ବଶତଃ ସେହି ଦୋକାନର ମାଲିକ ମୋର ବନ୍ଧୁ ଥିଲେ। ତାଙ୍କଠାରୁ ହିଁ ମଜିଦ ପାକିସ୍ତାନ ଦଳର କେତେକ ଖେଳାଳିଙ୍କ ପାଖକୁ ପଠାଇଥିବା ମେସେଜ୍ ମୋ ପାଖରେ ପହଞ୍ଚି ଯାଇଥିଲା। ଏଣୁ ଦଳରେ ଚାଲିଥିବା ଗଡ଼ବଡ଼ ବିଷୟରେ ମୁଁ ଜାଣି ପାରିଥିଲି। ଏକଥା ବିଭିନ୍ନ ଖବର ସରବରାହ ସଂସ୍ଥା ପାଖରେ ମଧ୍ୟ ପହଞ୍ଚି ଯାଇଥିଲା। ୱେଷ୍ଟଇଣ୍ଡିଜରେ ଆୟୋଜିତ‌ ଟ୍ବେଣ୍ଟି-୨୦ ବିଶ୍ବକପ୍ ଅବସରରେ ମଧ୍ୟ ଅଲରାଉଣ୍ଡର ଅବଦୁଲ ରଜାକ ତିନି ଦାଗି ଖେଳାଳି ମହମ୍ମଦ ଅମିର, ମହମ୍ମଦ ଆସିଫ ଏବଂ ସଲମାନ ବଟ୍‌ କୌଣସି ନା କୌଣସି ଖରାପ କାମରେ ଲିପ୍ତ ଥିବା ମୋତେ କହିଥିଲେ। ୨୦୧୦ର ଇଂଲଣ୍ଡ ଗସ୍ତ ବେଳେ ହିଁ ଏସବୁର ପର୍ଦାଫାସ ହୋଇ ଯାଇଥିଲା। ଆଫ୍ରିଦି ମଧ୍ୟ ନିଜ ଆତ୍ମଜୀବନୀରେ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କ ଭଳି କିଛି ଖେଳାଳିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଯାହାର ଉତ୍ତର ମଧ୍ୟ ଗମ୍ଭୀର ଶନିବାର ରଖିଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୦ ଫିକ୍ସିଂ ମାମଲା ପଦାକୁ ଆସିବା ପରେ ଆଇସିସି ଆମିର, ଆସିଫ ଏବଂ ବଟଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବାସନ୍ଦ କରିଥିଲା।

ଆଫ୍ରିଦିଙ୍କୁ ମନୋଚିକିତ୍ସକଙ୍କ ପାଖକୁ ନେବି: ଗମ୍ଭୀର

ନିଜ ଆତ୍ମ ଜୀବନୀରେ ଭାରତୀୟ ବିଶ୍ବକପ୍ ବିଜୟୀ ଖେଳାଳି ଗୌତମ ଗମ୍ଭୀରଙ୍କୁ ପାକିସ୍ତାନ ଅଲରାଉଣ୍ଡର ସାହିଦ ଆଫ୍ରିଦି ତୀବ୍ର ସମାଲୋଚନା କରିଛନ୍ତି। ଆଫ୍ରିଦି ଲେଖିଛନ୍ତି କେତେକ ପ୍ରତିଦ୍ବନ୍ଦ୍ବିତା ବ୍ୟକ୍ତିଗତ ଆଉ କେତେକ ପେସାଦାର ହୋଇଥାଏ। ପ୍ରଥମେ ଗମ୍ଭୀରଙ୍କ କଥା ନେବା। ବିଚରା ଗମ୍ଭୀର, ସେ ଏବଂ ତାଙ୍କ ଫୁଟାଣି! ଗମ୍ଭୀରଙ୍କର କୌଣସି ବ୍ୟକ୍ତିତ୍ବ ନାହିଁ। କ୍ରିକେଟ୍ ଭଳି ଚମତ୍କାର ଖେଳରେ ସେ ଏକ ଅଦ୍ଭୁତ ଜୀବ। ତାଙ୍କ ପ୍ରଦର୍ଶନ ମଧ୍ୟ ସେତେ ଭଲ ନୁହେଁ। କେବଳ ଯାହା ଆତ୍ମ ବଡ଼ିମା। କରାଚିରେ ଏଭଳି ଲୋକଙ୍କୁ ଆମେ ସରୟାଲ ବା ଜଳି ଯାଇଥିବା ବ୍ୟକ୍ତି ବୋଲି କହୁ। ମୁଁ ଖୁସମିଜାଜ, ସକାରାତ୍ମକ ଲୋକଙ୍କୁ ପସନ୍ଦ କରେ। ସେମାନେ ଆକ୍ରମଣାତ୍ମକ କିମ୍ବା ପ୍ରତିଦ୍ବନ୍ଦ୍ବିତା ପୂର୍ଣ୍ଣ ହେଲେ କିଛି ଯାଏ ଆସେ ନାହିଁ। ଆପଣ ସବୁବେଳେ ସକାରାତ୍ମକ ରହିବା ଭଲ । ଗମ୍ଭୀର କିନ୍ତୁ ଏଭଳି ନୁହନ୍ତି। ଆଫ୍ରିଦି ଲେଖିଥିବା ଏସବୁ କଥାର ଉତ୍ତର ଗମ୍ଭୀର ଶନିବାର ଟ୍ବିଟ୍ କରି ଦେଇଛନ୍ତି। ସେ ଲେଖିଛନ୍ତି ଆଫ୍ରିଦି ତୁମେ ଜଣେ ମଜାଦାର ଲୋକ। ସେ ଯାହା ହେଉ, ସ୍ବାସ୍ଥ୍ୟ ଭିତ୍ତିକ ପର୍ଯ୍ୟଟନ ପାଇଁ ଆମେ ଏବେବି ପାକିସ୍ତାନୀଙ୍କୁ ଭିସା ଦେଉଛୁ। ମୁଁ ନିଜେ ତୁମକୁ ମନୋଚିକିତ୍ସକଙ୍କ ପାଖକୁ ନେଇଯିବି। ତୁମର ଚିକିତ୍ସା ନିହାତି ଦରକାର।

ମିଆଁଦାଦ ବି ହସରେ ଉଡ଼ାଇଲେ

ଆଫ୍ରିଦି ତାଙ୍କ ଆତ୍ମଜୀବନୀରେ ପାକିସ୍ତାନର ମହାନ କ୍ରିକେଟର ଜାଭେଦ ମିଆଁଦାଦଙ୍କ ବିରୋଧରେ କେତେକ ଗୁରୁତର ଅଭିଯୋଗ ଆଣିଛନ୍ତି। ମିଆଁଦାଦ କିନ୍ତୁ ଏହାକୁ ହସରେ ଉଡ଼ାଇ ଦେଇଛନ୍ତି। ଆଫ୍ରିଦି ଲେଖିଛନ୍ତି ମିଆଁଦାଦ ମୋତେ କିମ୍ବା ମୋ ବ୍ୟାଟିଂ ଶୈଳୀକୁ ପସନ୍ଦ କରୁ ନଥିଲେ। ଏପରିକି ୧୯୯୯ ମସିହା ଚେନ୍ନାଇ ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ମିଆଁଦାଦ ମୋତେ ନେଟ୍ସରେ ଆଦୌ ସମୟ ଦେଇ ନଥିଲେ। ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି ମିଆଁଦାଦ କହିଛନ୍ତି ଯେ ମୁଁ ସବୁ କିଛି ଆଲ୍ଲାଙ୍କ ଉପରେ ଛାଡ଼ୁଛି। ଏକ ଟେଷ୍ଟ ମ୍ୟାଚ୍‌ର ଦିନକ ପୂର୍ବରୁ, ସେହି ଟେଷ୍ଟ ଖେଳିବାକୁ ଥିବା ଖେଳାଳିଙ୍କୁ ନେଟ୍ ଅଭ୍ୟାସ ନମିଳିବା‌ କଣ ସମ୍ଭବ। ହଁ ଏକଥା ସତ ଯେ ଆଫ୍ରିଦି ଓ ମୋ ମଧ୍ୟରେ ସବୁବେଳେ ସଂପର୍କ ଭଲ ନଥିଲା। ଏକଦା ମୁଁ ତାଙ୍କ ସହ ନେଟ୍ସରେ ଘଣ୍ଟା ଘଣ୍ଟା ସମୟ କଟାଇଛି। ତାଙ୍କ ବ୍ୟାଟିଂ କଳା କୌଶଳରେ ସୁଧାର ଆଣିବାକୁ ପ୍ରୟାସ କରିଛି। ହେଲେ କିଛି ଲାଭ ହେଲାନି। ଆଫ୍ରିଦିଙ୍କ ଆତ୍ମଜୀବନୀର ବିଷୟ ବସ୍ତୁକୁ ‌ନେଇ ମୁଁ ଆଦୌ ବିସ୍ମିତ କିମ୍ବା ବିଚଳିତ ନୁ‌ହେଁ। ଆତ୍ମଜୀବନୀ ବିକିବା ଲାଗି ତାଙ୍କୁ କିଛି ନା କିଛି ବିବାଦ ସୃଷ୍ଟି କରିବାକୁ ହେବ।

ସମ୍ବନ୍ଧିତ ଖବର