ସୋଏବଙ୍କ ଟୁଇଟର ପ୍ରତିକ୍ରିୟା ଦେଇଥିବା ମହମ୍ମଦଙ୍କୁ ଏଭଳି ଉତ୍ତର ଦେଇଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ

ମେଲବର୍ଣ୍ଣ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟି-୨୦ ବିଶ୍ବକପ ଚାଲିଥିବା ବେଳେ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ଓ ମହମ୍ମଦ ସାମିଙ୍କ ମଧ୍ୟରେ ‌ଖେଳକୁ ନେଇ ଟୁଇଟରରେ କଥାକଟାକଟି ଚାଲିଛି। ଏହି କ୍ରମରେ ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି ବି ସାମିଲ ହୋଇଯାଇଛନ୍ତି।

ସେ ମହମ୍ମଦ ସାମିଙ୍କୁ କହିଛନ୍ତି, ‘ଯଦି ଆପଣ ଜଣେ ଅବସରପ୍ରାପ୍ତ ଖେଳାଳି ହୋଇଥାଅନ୍ତେ, ତେବେ ବି ଆପଣଙ୍କୁ ଏପରି କହିବା ଉଚିତ ମନେ ହେଉ ନାହିଁ। କିନ୍ତୁ ଆପଣ ତ ଏବେ ବି ଖେଳୁଛନ୍ତି। ଆମେ ଚାହୁଁଛୁ କି ଆପଣ ଆମ ଦେଶରେ ଆସି ଖେଳନ୍ତୁ, କିନ୍ତୁ ଆପଣ ତ ଏଭଳି କଥା କହୁଛନ୍ତି। ଆମେ ତ ଲୋକଙ୍କ ମଧ୍ୟରେ ଏଭଳି ଆଲୋଚନାକୁ ବନ୍ଦ କରିବାକୁ ଚାହୁଁଛୁ । କିନ୍ତୁ ଆମେ ଯଦି ଏମିତି କଥା ହେବା ତେବେ ସାଧାରଣ ଲୋକଙ୍କ ଠାରୁ ଆଉ କ’ଣ ଆଶା ରଖିବା।’

ପାକିସ୍ତାନର କ୍ରିକେଟର ସୋଏବ ଅଖତର ଟି-୨୦ ବିଶ୍ବକପରେ ପାକିସ୍ତାନର ପରାଜୟ ପରେ ଏକ ଭଙ୍ଗା ହୃଦୟ ଥିବା ଇମୋଜି ଟୁଇଟ କରିଥିଲେ। ଯାହାକୁ ନେଇ ଭାରତର କ୍ରିକେଟର ମହମ୍ମଦ ସାମି ପ୍ରତିକ୍ରିୟା ଦେଇଥିଲେ। ମହମ୍ମଦ ସାମି ସୋଏବଙ୍କ ଟୁଇଟର ପ୍ରତିକ୍ରିୟା ଦେଇ ଲେଖିଥିଲେ, ‘ସରି ଭାଇ, ଏହାକୁ କର୍ମ କହନ୍ତି।’

ଟି-୨୦ ବିଶ୍ବକପ୍ ଖେଳ ସମୟରେ ସୋଏବ ଅଖତର ଭାରତୀୟ ଦଳକୁ କ୍ରମାଗତ ଭାବରେ ସମାଲୋଚନା କରି ଆସୁଥିଲେ ଏବଂ ସେମିଫାଇନାଲରେ ଭାରତୀୟ କ୍ରିକେଟ ଦଳର ପରାଜୟ ପରେ ଖୁସି ହୋଇଥିଲେ। ତେବେ ଏହାର ଜବାବରେ ଏଭଳି କଥା ଲେଖିଥିଲେ ମହମ୍ମଦ ସାମି ।

ସମ୍ବନ୍ଧିତ ଖବର