ପାକିସ୍ତାନୀ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି କରୋନା ସଂକ୍ରମିତ

କରାଚୀ : ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି କରୋନା ସଂକ୍ରମିତ ହୋଇଛନ୍ତି । ଏ ସଂପର୍କରେ ସେ ନିଜେ ଟ୍ଵିଟ କରି ସୂଚନା ଦେଇଛନ୍ତି ।

ନିଜ ଟ୍ଵିଟରେ ସେ ଲେଖିଛନ୍ତି ଯେ ଗତ ଗୁରୁବାରଠାରୁ ସେ ଅସୁସ୍ଥ ଅନୁଭବ କରୁଥିଲେ । ଶରୀର ଦରଜ ଥିଲା । ଏହା ପରେ ସେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାହା କରୋନା ପଜିଟିଭ ବାହାରିଛି । ଦ୍ରୁତ ଆରୋଗ୍ୟ ପାଇଁ ସମସ୍ତେ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ବୋଲି ସେ ଲେଖିଛନ୍ତି ।
କରୋନା ସଂକ୍ରମିତ ହେବାରେ ଆଫ୍ରିଦି ହେଉଛନ୍ତି ୨ୟ ପାକିସ୍ତାନୀ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି । ଏହା ପୂର୍ବରୁ ପୂର୍ବତନ ପାକିସ୍ତାନୀ ଓପନର ତୌଫିକ ଉମର କରୋନା ସଂକ୍ରମିତ ହୋଇଥିଲେ । ସେହିପରି ଜାଫର ସରଫରାଜ ନାମକ ପ୍ରଥମ ଶ୍ରେଣୀ କ୍ରିକେଟର କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । କରୋନାରେ ପ୍ରାଣ ହରାଇବାରେ ସେ ହେଉଛନ୍ତି ପ୍ରଥମ ପେସାଦାର ଖେଳାଳି ।

 

ଶାହିଦ ଆଫ୍ରିଦି ନିଜର ଦାତବ୍ୟ ସଂସ୍ଥା ହୋପ ନଟ ଆଉଟ ମାଧ୍ୟମରେ ପାକିସ୍ତାନର ଗରିବ ଲୋକମାନଙ୍କୁ କରୋନା ମହାମାରୀ ସମୟରେ ସହାୟତା କରିଆସୁଛନ୍ତି । ଏଥିପାଇଁ ତାଙ୍କୁ ଭାରତୀୟ କ୍ରିକେଟର ହରଭଜନ ସିଂ ଓ ଯୁବରାଜ ସିଂ ସମର୍ଥନ କରିଥିଲେ । କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେବା ପରେ ସେମାନଙ୍କ ସମ୍ପର୍କରେ ଭଟ୍ଟା ପଡ଼ିଥିଲା ।

ସମ୍ବନ୍ଧିତ ଖବର