ସଫଳ କ୍ରିକେଟର୍‌ ହେବାକୁ ଚାହାନ୍ତି ଶାହରୁଖ ଓ ସଲମାନ୍‌

ନୂଆଦିଲ୍ଲୀ: ଶାହରୁଖ ଖାନ୍‌ ଏବଂ ସଲମାନ ଖାନ୍‌ଙ୍କ ନାମ ଶୁଣିଲେ ନିଶ୍ଚିତ ସମସ୍ତେ ବଲିଉଡ୍‌ର ଦୁଇ ଖ୍ୟାତନାମା ଅଭିନେତାଙ୍କ କଥା କହିବେ। କିନ୍ତୁ ଏହି ଦୁଇ ସୁପରଷ୍ଟାରଙ୍କ ନାମରେ ଦେଶବ୍ୟାପୀ ଏକାଧିକ ଯୁବକ ଅନ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିବାରେ ଲାଗିଛନ୍ତି ଏକଥା ଅନେକଙ୍କୁ ଅଜଣା। ସମାନ ନାମରେ ଏବେ ଦୁଇ ଜଣ କ୍ରିକେଟ୍ ଖେଳାଳି ରହିଛନ୍ତି ଯିଏ ଘରୋଇ କ୍ରିକେଟ୍‌ରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ଓ ପ୍ରତିଷ୍ଠା ଲାଗି ପ୍ରଚେଷ୍ଟା ଚଳାଇଛନ୍ତି। ଏମାନଙ୍କ ମଧ୍ୟରେ ଥିବା ସଂଯୋଗ ବି ବହୁ ମଜାଦାର କାହାଣୀର ବ୍ୟାଖ୍ୟା କରୁଛି। ସଲମାନ ଫାରୁକ୍‌ ଖାନ୍‌ ହେଉଛନ୍ତି ଜଣେ ୨୦ ବର୍ଷୀୟ ଯୁବ କ୍ରିକେଟର୍ ଯିଏ ରାଜସ୍ଥାନର ଝଲାୱାରରୁ ଆସିଛନ୍ତି। ମାସୁଦ୍‌ ଶାହରୁଖ ଖାନ୍ ହେଉଛନ୍ତି ୨୪ ବର୍ଷୀୟ ଚେନ୍ନାଇ ଜନ୍ମିତ କ୍ରିକେଟର୍ ଯିଏ ତାମିଲନାଡୁ ପାଇଁ ଘରୋଇ କ୍ରିକେଟ୍ ଖେଳୁଛନ୍ତି। ନିକଟରେ ଉଭୟ ନିଜ ନିଜ କ୍ରିକେଟ୍ ଜୀବନ ସମ୍ପର୍କରେ କହିଥିଲେ ମନଖୋଲା କଥା।

ମୋ ମାଉସୀ ଅଭିନେତା ଶାହରୁଖ ଖାନ୍‌ଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ। ସେହି ପ୍ରଭାବରେ ମୋ ନାମ କରଣ କରିଥିଲେ ବୋଲି କହିଛନ୍ତି ମାସୁଦ ଶାହରୁଖ ଖାନ୍‌। ସଲମାନ କିନ୍ତୁ କୁହନ୍ତି ମୋ ପିତା ‘ସଲମାନ’ର ଅର୍ଥକୁ ଭଲଭାବେ ବୁଝିଥିଲେ। ଯାହାର ଅର୍ଥ ହେଉଛି ‘ସୁରକ୍ଷିତ’। ପିତା ହିଁ ମୋ ନାମ କରଣ କରିଥିଲେ। ଅଭିନେତା ସଲମାନ ଖାନ୍‌ଙ୍କ ପାଇଁ ମୋ ନାମ ଏଭଳି‌ ହୋଇନାହିଁ ବୋଲି କହିଥିଲେ ସଲମାନ୍ ଫାରୁକ୍‌ ଖାନ୍‌। ୨୦୧୬ ଏବଂ ୨୦୧୭ରେ ସଲମାନ୍‌ ଭାରତର ୧୯ ବର୍ଷରୁ କମ୍‌ ଏସିଆ କପ୍ ଦଳରେ ସାମିଲ ଥିଲେ। ଦୁହିଁଙ୍କ ମଧ୍ୟରେ ସଂଯୋଗ ହେଉଛି ଉଭୟ ଖେଳାଳି ନିମ୍ନକ୍ରମରେ ବ୍ୟାଟିଂ କରନ୍ତି। ଉଭୟ ଡାହାଣହାତୀ ଅଫସ୍ପିନ୍‌ ବୋଲିଂ ବି କରିପାରନ୍ତି। ଶାହରୁଖ ୨୦୧୪ ମସିହାରେ ତାମିଲନାଡୁ ପାଇଁ ରଣଜୀ ଖେଳିଥିଲେ। କେରଳ ବିପକ୍ଷ ପଦାର୍ପଣ ମ୍ୟାଚ୍‌ରେ ଉଭୟ ପାଳି (୯୨ ଏବଂ ୩୪)ରେ ଚମତ୍କାର ବ୍ୟାଟିଂ କରିଥିଲେ। ମାତ୍ର ୧୯ ବର୍ଷରେ ପଦାର୍ପଣ କରିବା ଏବଂ ପରବର୍ତୀ ସମୟରେ ଚେପ‌କ୍‌‌ରେ‌ ଖେଳିବାର ସ୍ବପ୍ନ ପୂରଣ ହୋଇଥିଲା ବୋଲି କହିଥିଲେ ଶାହରୁଖ।

ଅନ୍ୟପକ୍ଷରେ ୧୭ ବର୍ଷ ବୟସରେ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲେ ସଲମାନ୍‌। ପାତିଆଲାରେ ୨୦୧୬ ମସିହାରେ ଅନୁଷ୍ଠିତ ଓଡ଼ିଶା ବିପକ୍ଷ ପଦାର୍ପଣ ରଣଜୀ ମ୍ୟାଚ୍‌ରେ ୨୦୩ ବଲ୍‌ରୁ ୧୧୦ ରନ୍ କରି ଚର୍ଚାକୁ ଆସିଥିଲେ। ଓଡ଼ିଶା ସେହି ମ୍ୟାଚ୍‌ ଅମୀମାଂସିତ ରଖିଥିଲା, ସଲମାନ କିନ୍ତୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇ ନେଇଥିଲା। ସମ୍ପ୍ରତି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ରାହୁଲ ଚହର ମଧ୍ୟ ସେହି ମ୍ୟାଚ୍‌ରେ ପ୍ରଥମ ପଦାର୍ପଣ ଖେଳିଥିଲେ। ମାତ୍ର ୮ ବର୍ଷ ବୟସରୁ କ୍ରିକେଟ୍‌ ଖେଳୁଛନ୍ତି ସଲମାନ। ‘ପିତା ଦିନେ ପଚାରିଥିଲେ, କ୍ରିକେଟ୍ ଖେଳିବୁ କି? ମୁଁ ହଁ କହିବା ସହ ହସି ଦେଇଥିଲି, ସେବେଠାରୁ ଖେଳୁଛି ଏବଂ ତାଙ୍କ ସମର୍ଥନ ପାଇ ଆସିଛି ବୋଲି ସଲମାନ କହିଛନ୍ତି। ରଣଜୀ ପଦାର୍ପଣରେ ଶତକ ମାରି ମୁଁ ବିରଳ କ୍ଲବ୍‌ରେ ରହିଛି‌ ବୋଲି ସଲମାନ ଖୁସିର ସହ ପ୍ରକାଶ କରିଥିଲେ।

ଭବିଷ୍ୟତରେ ଦିନେ ଅଭିନେତା ଯୋଡ଼ି ଶାହରୁଖ ଏବଂ ସଲମାନଙ୍କୁ ଭେଟିଲେ କ’ଣ କହିବେ ବୋଲି ପ୍ରଶ୍ନ ହେବାରୁ ମାସୁଦ୍ କହିଥିଲେ ‘ଯଦି ଭେଟିବି ତେବେ ମୁଁ କେବଳ ହସି ଦେବି। ନିଶ୍ଚିତ ନର୍ଭସ ଲାଗିବ, କିଛି କହିବି ନାହିଁ ବରଂ ଆଶା କରିବି ସେ କୁହନ୍ତୁ ‘ମୁଁ ଶାହରୁଖ ଖାନ୍‌’, ମୁଁ ଉତ୍ତରରେ କହିବି ‘ମୁଁ ବି ଶାହରୁଖ ଖାନ୍‌’। ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କୁ ସଲମାନ ଆଦର୍ଶ ମାନି ଖେଳୁଛନ୍ତି। ଶାହରୁଖ କିନ୍ତୁ ନ୍ୟୁଜିଲାଣ୍ଡ୍‌ ଅଧିନାୟକ କେନ୍‌ ୱିଲିୟମସନଙ୍କ ପଥ ପ୍ରଦର୍ଶକ। ୨୦୧୬ କନିଷ୍ଠ ଏସିଆ କପ୍ ବିଜୟୀ ଦଳର ସଦସ୍ୟ ଥିବା ସଲମାନ ସେହି ଦଳର ପ୍ରଶିକ୍ଷକ ତଥା ବ୍ୟାଟିଂ କିମ୍ବଦନ୍ତୀ ରାହୁଲ ଦ୍ରାବିଡ଼ଙ୍କଠାରୁ ବହୁ କିଛି ଶିକ୍ଷା କରିଛନ୍ତି ବୋଲି ପ୍ରକାଶ କରିଛନ୍ତି। ବଲିଉଡ୍ ତାରକାଙ୍କ ଖ୍ୟାତି ଅପେକ୍ଷା ଉଭୟ ସଫଳ କ୍ରିକେଟର୍‌ ଭାବେ ପରିଚିତ ହେବାକୁ ପରିଶ୍ରମ କରୁଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର