ନୂଆଦିଲ୍ଲୀ : ବା˚ଲାଦେଶ କ୍ରିକେଟ ଦଳର ଅଧିନାୟକ ତଥା ଅଲରାଉଣ୍ତର ସକିବ ଅଲ୍ ହାସନଙ୍କୁ ସମସ୍ତ ପ୍ରକାରର କ୍ରିକେଟରୁ ବାସନ୍ଦ କରାଯିବା ପରେ ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ବୁକି ଦୀପକ ଅଗ୍ରଵାଲଙ୍କ ସହ ତାଙ୍କର ସମସ୍ତ ବାର୍ତ୍ତାଳାପର ପୂର୍ଣ୍ଣାଙ୍ଗ ତଥ୍ୟ ଜାରି କରାଯାଇଛି। ଆଇସିସି ପକ୍ଷରୁ କୁହାଯାଇଛି ଯେ ବୁକି ଦୀପକ ଅଗ୍ରଵାଲ ୨୦୧୭ରେ ପ୍ରଥମ ଥର ପାଇଁ ସକିବ୍ଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟମ କରିଥିଲା। ସେବେଠାରୁ ଦୀପକଙ୍କ ସହିତ ସକିବ୍ ସବୁବେଳେ ଯୋଗାଯୋଗରେ ରହିଥିଲେ। ୨୦୧୭ ନଭେମ୍ବରରେ ସକିବ ଯେତେବେଳେ ଢାକା ଡାଇନାମାଇଟ୍ ଦଳର ସଦସ୍ୟ ଥିଲେ, ସେତେବେଳେ କେହିଜଣେ ତାଙ୍କ ମୋବାଇଲ ନମ୍ବର ଦୀପକକୁ ଦେଇଥିଲା। ଏପରିକି ବା˚ଲାଦେଶ ପ୍ରିମିୟର ଲିଗ୍ରେ ଖେଳୁଥିବା ସମସ୍ତ ଖେଳାଳିଙ୍କ ନମ୍ବର ତାଙ୍କୁ ଦେବାପାଇଁ ଦୀପକ ଉକ୍ତ ବ୍ୟକ୍ତିଙ୍କୁ ମଧ୍ୟ କହିଥିବା ଜଣାପଡ଼ିଛି।
୨୦୧୮ ଜାନୁଆରି ୧୯ ତାରିଖରେ ବା˚ଲାଦେଶ, ଜିମ୍ବାେଵ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାର ଏକ ମ୍ୟାଚ୍ରେ ଶ୍ରେଷ୍ଠ ଖେଳାଳି ଭାବେ ସକିବ୍ ପୁରସ୍କୃତ ହୋଇଥିବା ବେଳେ ଦୀପକ ତାଙ୍କୁ ହ୍ବାଟ୍ସଆପ୍ ବାର୍ତା ଜରିଆରେ ଶୁଭେଚ୍ଛା ଜଣାଇଥିଲା। ଏହାପରେ ଦୀପକ ଆଉ ଏକ ମେସେଜ ପଠାଇଥିଲା। ‘ଏହିଠାରୁ କାମ ଆରମ୍ଭ କରିବା ନା ଆଇପିଏଲ୍ ପର୍ଯ୍ୟନ୍ତ ଅପେକ୍ଷା କରିବି’ ବୋଲି ଦୀପକ ଲେଖିଥିବା ବାର୍ତା ଆଇସିସି ଦର୍ଶାଇଛି। ଯେଉଁ କାମ ବିଷୟରେ ଦୀପକ ଉଲ୍ଲେଖ କରିଥିଲା, ତାହା ଶୃଙ୍ଖଳାର ମଝିରେ ଭିତିରି ଖବର ଦେବା ବାବଦରେ ଦର୍ଶାଉଥିବା ଆଇସିସି ପକ୍ଷରୁ କୁହାଯାଇଛି। ୨୦୧୮ ଜାନୁଆରି ୨୩ ତାରିଖରେ ଶୃଙ୍ଖଳା ବିଷୟରେ ଖବର ନେବା ପାଇଁ ସକିବ୍ଙ୍କୁ ଆଉ ଏକ ମେସେଜ ଆସିଥିଲା। ଏହାକୁ ସକିବ ମଧ୍ୟ ମାନିଛନ୍ତି। ହେଲେ ଏ ବାବଦରେ ସକିବ୍ ଦୁର୍ନୀତି ନିବାରଣ ୟୁନିଟ୍ (ଏସିୟୁ) କିମ୍ବା ଅନ୍ୟ ଦୁର୍ନୀତି ନିବାରଣ କର୍ତ୍ତୃପକ୍ଷଙ୍କୁ ଖବର ଦେଇନଥିଲେ। ଏପରିକି ୨୦୧୮ ଆଇପିଏଲ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ କିଙ୍ଗସ୍ ଏକାଦଶ ପଞ୍ଜାବ ବିପକ୍ଷରେ ଖେଳୁଥିବା ବେଳେ ଦୀପକ ତାଙ୍କଠୁ ସେହି ମ୍ୟାଚ୍ ବାବଦରେ ଖବର ବୁଝିବା ପାଇଁ ମେସେଜ ପଠାଉଥିବା କୁହାଯାଇଛି। ଜଣେ ନିର୍ଦ୍ଧିଷ୍ଟ ଖେଳାଳି ଉକ୍ତ ମ୍ୟାଚ୍ରେ ଖେଳୁଛନ୍ତି କି ନାହିଁ, ସେ ବିଷୟରେ ଦୀପକ ଜାଣିବାକୁ ଚାହିଁଥିଲେ। ଏପରିକି ବିଟ୍ କଏନ୍, ଡଲାର ଆକାଉଣ୍ଟ ବିଷୟରେ ମଧ୍ୟ ସକିବଙ୍କୁ ମେସେଜ ପଠାଇବା ସହ ଦୀପକ ତାଙ୍କର ଆକାଉଣ୍ଟ ବିଷୟରେ ପଚାରିଥିଲେ। ହେଲେ ସକିବ୍ ପ୍ରଥମେ ଦୀପକଙ୍କୁ ଭେଟିବାକୁ ଚାହୁଁଥିବା ଏହି ବାର୍ତ୍ତାଳାପରେ ଜବାବ ଦେଇଥିଲେ। ତେବେ ସକିବ୍ ଦୀପକଙ୍କଠୁ କୌଣସି ପ୍ରକାରର ଟଙ୍କା କିମ୍ବା ଉପହାର ଗ୍ରହଣ କରିନଥିବା ଏସିୟୁ ଆଗରେ ସଫେଇ ଦେଇଛନ୍ତି। ଏଥିସହ ଦୀପକ ଚାହୁଁଥିବା ମ୍ୟାଚ୍ ବିଷୟରେ କୌଣସି ତଥ୍ୟ ପ୍ରଦାନ କରିନଥିଲେ। ହେଲେ ପ୍ରତ୍ୟେକ ଥରର ବାର୍ତ୍ତାଳାପ ବିଷୟରେ ସେ ଏସିୟୁ କିମ୍ବା ଦୁର୍ନୀତି ନିବାରଣ କର୍ତ୍ତୃପକ୍ଷଙ୍କ ଆଗରେ କୌଣସି ଅଭିଯୋଗ ଆଣିନଥିଲେ। ଯେଉଁଥିପାଇଁ ତାଙ୍କୁ ଦଣ୍ତ ସ୍ବରୂପ ଦୁଇ ବର୍ଷ ପାଇଁ ବାସନ୍ଦ କରିଦିଆଯାଇଥିବା ଆଇସିସି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/icc.jpg)