ଢାକା: ଅଲ୍ରାଉଣ୍ଡର ସାକିବ୍ ଅଲ୍ ହାସନ୍ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍ ପର୍ଯ୍ୟନ୍ତ ବାଂଲାଦେଶ ଦଳର ନେତୃତ୍ବ ନେବେ। ଶନିବାର ବାଂଲାଦେଶ କ୍ରିକେଟ୍ ବୋର୍ଡ ତାଙ୍କୁ ଅଧିନାୟକ ନିଯୁକ୍ତ କରିଛି। ବେଟ୍ୱିନର ସହ ଚୁକ୍ତିରୁ ଓହରିଯିବା ପରେ ଏବଂ ବାଂଲା ବୋର୍ଡର ମୁଖ୍ୟ ନାଜମୁଲ ହାସନ୍ଙ୍କୁ ତାଙ୍କ ବାସଭବନରେ ଭେଟିବା ପରେ ସାକିବ୍ଙ୍କୁ ଏହି ନିଯୁକ୍ତି ମିଳିଥିବା ବୋର୍ଡ ଘୋଷଣା କରିଛି। ସାକିବ ଏସିଆ କପ୍ରୁ ଆରମ୍ଭ କରି ଟ୍ବେଣ୍ଟି-୨୦ ବିଶ୍ବକପ୍ ପର୍ଯ୍ୟନ୍ତ ଅଧିନାୟକ ରହିବେ ବୋଲି ବାଂଲା ବୋର୍ଡର କ୍ରିକେଟ୍ ଅପରେସନ ଅଧ୍ୟକ୍ଷ ଜଲାଲ ୟୁନୁସ୍ କହିଛନ୍ତି। ବେଟ୍ୱିନର ସହ ଚୁକ୍ତି କରି ସେ ଭୁଲ କରିଥିବା ସାକିବ ସ୍ବୀକାର କରିବା ସହିତ ପୁନର୍ବାର ଏଭଳି ଭୁଲ୍ କରିବେନି ବୋଲି ପ୍ରତିଶୃତି ଦେଇଛନ୍ତି। ଆମେ ମଧ୍ୟ ତାଙ୍କ ଉପରେ ବିଶ୍ବାସ ପ୍ରକଟ କରିଛୁ ବୋଲି ରୁଦ୍ଧଦ୍ବାର ବୈଠକ ପରେ ବାଂଲା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ସାକିବ୍ଙ୍କୁ ନେତୃତ୍ବ ଭାର ଅର୍ପଣ କରିବା ପରେ ଏସିଆ କପ୍ ପାଇଁ ଜାତୀୟ ଟ୍ବେଣ୍ଟି-୨୦ ଦଳରେ ମଧ୍ୟ ବାଂଲାଦେଶ ବଡ଼ ଧରଣର ପରିବର୍ତନ କରିଛି। ଲିଟନ ଦାସ ଆହତ ଯୋଗୁଁ ଏସିଆ କପ୍ରୁ ଓହରି ଯାଇଥିଲା ବେଳେ ମୁସ୍ଫିକର ରହିମ, ସବିର ରହମନ, ଏବାଦତ୍ ହୋସେନ ଏବଂ ମହମ୍ମଦ ସୈଫୁଦ୍ଦିନ୍ ଦଳକୁ ଫେରିଛନ୍ତି। ମୁନିମ ସାହରିୟର, ନାଜ୍ମୁଲ ହୋସେନ ଏବଂ ସୋରିଫୁଲ ଇସ୍ଲାମ ଦଳରେ ସ୍ଥାନ ପାଇନଥିଲା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ପୂର୍ବରୁ ବାଦ୍ ପଡ଼ିଥିବା ନୁରୁଲ ହାସନ୍ଙ୍କୁ ସାମିଲ କରାଯାଇଛି।