ବର୍ମିଂହାମ: ଜୁଲାଇ ୨ ତାରିଖ ମ୍ୟାଚ୍ ପୂର୍ବରୁ ବାଂଲାଦେଶର ସଫଳତମ ଅଲରାଉଣ୍ଡର ତଥା ଚଳିତ ବିଶ୍ବକପ୍ର ଅନ୍ୟତମ ଅଗ୍ରଣୀ ରନ୍ ସ୍କୋରର ସକିବ-ଅଲ୍-ହାସନ ଭାରତକୁ ଚେତାବନୀ ଦେଇଛନ୍ତି। ୨୦୦୭ ବିଶ୍ବକପ୍ରେ ଭାରତକୁ ହରାଇବାର ସଫଳତା ଦୋହରାଇବା ଲାଗି ବର୍ତମାନର ବାଂଲାଦେଶ ଦଳ ସକ୍ଷମ ବୋଲି ସେ କହିଛନ୍ତି। ମଙ୍ଗଳବାର ସକିବ ମତ ରଖିଛନ୍ତି ଯେ ଭାରତ ଏକ ଶୀର୍ଷ ସ୍ତରୀୟ ଦଳ। ସେମାନେ ଟ୍ରଫି ଜିତିବା ଲକ୍ଷ୍ୟରେ ଅଛନ୍ତି। ହେଲେ ଏହା ସେତେଟା ସହଜ ହେବନି। ଆମେ କିନ୍ତୁ ଆମର ଶ୍ରେଷ୍ଠ ପ୍ରଦର୍ଶନ ଦେବୁ। ଏଥିରେ ଆମକୁ ଅଭିଜ୍ଞତା ସାହାଯ୍ୟ କରିବ। ଭାରତକୁ ହରାଇବାକୁ ହେଲେ, ଆମକୁ କିନ୍ତୁ ବହୁତ ଭଲ କ୍ରିକେଟ୍ ଖେଳିବାକୁ ହେବ। ସେମାନଙ୍କ ପାଖରେ ଏକାଧିକ ବିଶ୍ବସ୍ତରୀୟ ଖେଳାଳି ଅଛନ୍ତି। ଆମେ କିନ୍ତୁ ବିପର୍ଯ୍ୟୟ ସୃଷ୍ଟି କରିବାକୁ ପୂରା ସକ୍ଷମ। ସେହିଭଳି ବାଂଲାଦେଶର ଭାରତୀୟ ସ୍ପିନ୍ ପ୍ରଶିକ୍ଷକ ସୁନୀଲ ଯୋଷୀ ମଧ୍ୟ ଅନୁରୂପ ଭାବେ କୋହଲି ବାହିନୀକୁ ସତର୍କ କରାଇ ଦେଇଛନ୍ତି। ସେ କହିଛନ୍ତି, ଭାରତୀୟ ଖେଳାଳିଙ୍କୁ କେଉଁଠିକୁ ବୋଲିଂ କରିବାକୁ ପଡ଼ିବ ବାଂଲାଦେଶ ତାହା ଭଲ ଭାବରେ ଜାଣିଛି। ଏଜ୍ବାଷ୍ଟନରେ ସ୍ପିନ୍ ଲଢ଼େଇ ହେବ। ଆମେ ଜାଣିଛୁ, ଭାରତୀୟ ବ୍ୟାଟ୍ସମ୍ୟାନ୍ ସ୍ପିନ୍କୁ ଭଲ ଖେଳନ୍ତି। ତଥାପି ଆମେ ସେମାନଙ୍କୁ ଚକ୍ମା ଦେଇ ପାରିବୁ ବୋଲି ମୋର ପୂର୍ଣ୍ଣ ବିଶ୍ବାସ ରହିଛି। ସକିବଙ୍କ ଭଳି ଖେଳାଳି ଥିବାରୁ ଆମେ ଗର୍ବିତ। ସେ ଆମ ପାଇଁ ସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି। ଭାରତ ବିପକ୍ଷରେ ମଧ୍ୟ ତାଙ୍କ ପ୍ରଦର୍ଶନ ନିର୍ଣ୍ଣାୟକ ରହିବ। ସୂଚନାଯୋଗ୍ୟ ଯେ ସୁନୀଲ ୧୯୯୬ରୁ ୨୦୦୧ ମଧ୍ୟରେ ୬୯ ଦିନିକିଆ ଖେଳିଥିଲେ। କ୍ରିକେଟ୍ରୁ ଅବସର ନେବା ପରେ ସେ ପ୍ରଶିକ୍ଷଣରେ ମନ ବଳାଇଥିଲେ। ସଂପ୍ରତି ସେ ବାଂଲାଦେଶ ପ୍ରଶିକ୍ଷକ ମଣ୍ଡଳିର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ସଦସ୍ୟ।
ଭାରତକୁ ସକିବ, ସୁନୀଲଙ୍କ ଚେତାବନୀ
/sambad/media/post_attachments/wp-content/uploads/2019/06/2-Shakib-Al-Hasan-emulates-Yuvraj-Singh.jpg)