ରାୱଲପିଣ୍ଡି: ପାକିସ୍ତାନର ପ୍ରଥମଶ୍ରେଣୀ କ୍ରିକେଟ୍ ପ୍ରତିଯୋଗିତା ‘ପ୍ରେସିଡେଣ୍ଟ୍ସ କପ୍’ ଅବସରରେ ଏକ ଅଜବ ଘଟଣା ଘଟିଛି। ମ୍ୟାଚ୍ ଚାଲିଥିଲା ବେଳେ ଶୋଇପଡ଼ିବାରୁ ପାକିସ୍ତାନ ଷ୍ଟେଟ୍ ବ୍ୟାଙ୍କ୍ ଦଳର ପ୍ରତିନିଧିତ୍ବ କରୁଥିବା ଅନ୍ତର୍ଜାତୀୟ କ୍ରିକେଟର୍ ସୌଦ ସକିଲ ଟାଇମ୍ଡ ଆଉଟ୍ ଘୋଷିତ ହୋଇଛନ୍ତି। ଏଭଳି ଭାବେ ଆଉଟ୍ ହେବାରେ ମୋଟଉପରେ ସପ୍ତମ କ୍ରିକେଟର୍ ହୋଇଛନ୍ତି ସେ। ପାକିସ୍ତାନ ପ୍ରଥମଶ୍ରେଣୀ କ୍ରିକେଟ୍ରେ କିନ୍ତୁ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଛି।
ରମ୍ଜାନ୍ ପାଇଁ ମଙ୍ଗଳବାର ରାତିର ପାକିସ୍ତାନ ଷ୍ଟେଟ୍ ବ୍ୟାଙ୍କ୍-ପିଟିଭି ମ୍ୟାଚ୍ ସଂଧ୍ୟା ୭ଟା ୩୦ରୁ ରାତି ୨.୩୦ ପର୍ଯ୍ୟନ୍ତ ଖେଳାଯାଉଥିଲା। ସକିଲ ନିଜ ବ୍ୟାଟିଂ ପାଳିକୁ ଅପେକ୍ଷା କରିଥିଲେ। ତେବେ ଇତିମଧ୍ୟରେ ତାଙ୍କୁ ଡ୍ରେସିଂ ରୁମ୍ରେ ଛାଇ ନିଦ ଲାଗି ଯାଇଥିଲା। ଦୁର୍ଭାଗ୍ୟବଶତଃ ତାଙ୍କ ଦଳ ଷ୍ଟେଟ୍ ବ୍ୟାଙ୍କ୍ ଦୁଇଟି ବଲ୍ରେ ଦୁଇଟି ୱିକେଟ୍ ହରାଇଥିଲା। ଏଥିନେଇ ଅପ୍ରସ୍ତୁତ ଥିବା ସକିଲ ନିର୍ଦ୍ଧାରିତ ସମୟ ୩ ମିନିଟ୍ ପରେ କ୍ରିଜ୍ରେ ପହଞ୍ଚି ଗାର୍ଡ ନେବାକୁ ଚେଷ୍ଟା କରିଥିଲେ। ତେବେ ପିଟିଭି ଅଧିନାୟକ ଅମ୍ମଦ ବଟ୍ଟ ଏହା ବିରୋଧରେ ତୁରନ୍ତ ଅପିଲ୍ କରିଥିଲେ। ଅମ୍ପାୟାର ତାଙ୍କ ଅପିଲ୍କୁ ସମ୍ମାନ ଜଣାଇ ସକିଲଙ୍କୁ ଆଉଟ୍ ଘୋଷଣା କରିଥିଲେ। ଫଳରେ ସକିଲଙ୍କ ସ୍ଥାନରେ ଇର୍ଫାନ୍ ଖାନ୍ ନିଆଜି ବ୍ୟାଟିଂ କରିବାକୁ ଆସିଥିଲେ। ତାଙ୍କୁ ଆଉଟ୍ କରି ପିଟିଭିର ମହମ୍ମଦ ଶାହଜାଦ ନିଜ ହ୍ୟାଟ୍ରିକ୍ ପୂରଣ କରିଥିଲେ। ଭାରତ ବିପକ୍ଷ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ରେ ସକିଲ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ପାକିସ୍ତାନ କିନ୍ତୁ ଏହି ମ୍ୟାଚ୍ରେ ଶୋଚନୀୟ ପରାଜୟ ବରଣ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/07/jPf2mjgWIEyvaJ1kWskq.jpg)