ପାକିସ୍ତାନର ଲଜ୍ଜାଜନକ ପରାଜୟ, ଜିମ୍ବାୱେଠୁ ୧ ରନ୍‌ରେ ହାରିଲା

ପର୍ଥ: ଚଳିତ ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଏସୀୟ ଶକ୍ତି ପାକିସ୍ତାନ ଗୁରୁବାର ଏକ ଲଜ୍ଜାଜନକ ପରାଜୟ ବରଣ କରିଛି। ନିଜର ପ୍ରଥମ ମ୍ୟାଚ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ନିକଟରୁ ୪ ୱିକେଟ୍‌ରେ ହାରିଯାଇଥିବା ପାକିସ୍ତାନ ଦ୍ବିତୀୟ ମ୍ୟାଚ୍‌ରେ ଜିମ୍ବାୱେ ନି୍କଟରୁ ୧ ରନ୍‌ରେ ପରାସ୍ତ ହେଲା। ବୋଲରମାନେ ଶେଷ ଭାଗରେ ଦମ୍‌ଦାର ବୋଲିଂ କରି ଜିମ୍ବାୱେ ପାଳିକୁ ୧୩୦ ରନ୍‌ରେ ଅଟକାଇ ଦେଇଥିଲେ ମଧ୍ୟ ବ୍ୟାଟର୍‌ଙ୍କ ଖାମଖିଆଲ ପ୍ରଦର୍ଶନ ହିଁ ପାକିସ୍ତାନ ପରାଜୟର କାରଣ ପାଲଟିଛି। ଜିମ୍ବାୱେ ବୋଲର ଓ ଏବଂ କ୍ଷେତ୍ରରକ୍ଷକମାନେ ପୂରା ଶକ୍ତି ଖଟାଇ ପାକିସ୍ତାନ ପାଳିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚାପରେ ରଖିଥିଲେ। ଶେଷ ଓଭରରେ ୧୧ ରନ୍‌ ଆବଶ୍ୟକ କରୁଥିବା ପାକିସ୍ତାନ ୨ ୱିକେଟ୍‌ ହରାଇ ୯ ରନ୍‌ ସଂଗ୍ରହ କରିପାରିଥିଲା। ଏଥି ସହିତ ୨ ମ୍ୟାଚ୍‌ରୁ ୨ ପରାଜୟ ସହ ପାକିସ୍ତାନ ମଧ୍ୟ ପଏଣ୍ଟ୍‌ ତାଲିକାର ଶେଷ ସ୍ଥାନରେ ଥିବା ନେଦରଲାଣ୍ଡ୍‌ସ ଉପରକୁ ରହିଛି। ମ୍ୟାଚ୍‌ ବିଜୟର ନାୟକ ସାଜିଥିବା ସିକନ୍ଦର ରାଜା ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ।

ଟସ୍‌ ଜିତି ଜିମ୍ବାୱେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା‌। ଦଳ ମଧ୍ୟ ଭଲ ଆରମ୍ଭ କରି ୧୪ ଓଭର ବେଳକୁ ମାତ୍ର ୩ ୱିକେଟ୍‌ ବିନିମୟରେ ୯୫ ରନ୍‌ ସଂଗ୍ରହ କରିନେଇଥିଲା। ହେଲେ ଶେଷ ୬ ଓଭରରେ ପାକିସ୍ତାନ ବୋଲରମାନେ ଲୟକୁ ଫେରି ୩୫ ରନ୍‌ ବିନିମୟରେ ୫ ୱିକେଟ୍‌ ଝଡ଼ାଇ ଦେଇଥିଲେ। ତେବେ ୧୩.୫ରୁ ୧୪.୪ ଓଭର (୫ ବଲ୍‌) ମଧ୍ୟରେ କୌଣସି ରନ୍‌ ଯୋଡ଼ିନପାରି ଜିମ୍ବାୱେ ୪ ୱିକେଟ୍‌ ହରାଇବାରୁ ସଂକଟରେ ପଡ଼ିଯାଇଥିଲା। ମାତ୍ର ରୢାନ୍‌ ବୁର୍ଲ ଓ ବ୍ରାଦ୍‌ ଇଭାନ୍ସ ଅଷ୍ଟମ ୱିକେଟ୍‌ରେ ୩୧ ରନ୍‌ ଯୋଡ଼ିବାରୁ ଜିମ୍ବାୱେ ୧୩୦/୮ରେ ପହଞ୍ଚି ପାରିଥିଲା। ପାକିସ୍ତାନ ପକ୍ଷରୁ ମହମ୍ମଦ ୱାସିମ (୪-୦-୨୪-୪) ଏବଂ ସଦାବ ଖାନ୍‌ (୪-୦-୨୩-୩) ସଫଳ ବୋଲର ରହିଥିଲେ।

ଜବାବରେ ବୋଲରଙ୍କ ପରିଶ୍ରମକୁ ବ୍ୟାଟର୍‌ମାନେ ହିଁ ବ୍ୟର୍ଥ କରିଦେଇଥିଲେ। ୧୩୦ ରନ୍‌ର ପିଛା କରୁଥିବା ପାକିସ୍ତାନ ଅଧିନାୟକ ବାବର ଆଜମ୍‌ (୪), ହାର୍ଡ ହିଟର ଇଫ୍‌ତିକାର ଅହମ୍ମଦ (୫), ହାଇଦର ଅଲ୍ଲୀ (୦), ମହମ୍ମଦ ରିଜ୍‌ୱାନ (୧୪) ଏବଂ ସଦାବ ଖାନ୍‌ (୧୭)ଙ୍କୁ ହରାଇବା ପରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା କଷ୍ଟକର ହୋଇପଡ଼ିଥିଲା। ଏପରିକି ଶେଷ ୩ ଓଭରରେ ୧୦ରୁ ଅଧିକ ହାରରେ ରନ୍‌ ଦରକାର ପଡ଼ିଥିଲା। ମହମ୍ମଦ ନୱାଜ (୨୨) ଓ ମହମ୍ମଦ ୱାସିମ ଜୁନିୟର (୧୨) ଜୋର୍‌ଦାର ଲଢ଼ିଥିଲେ ମଧ୍ୟ ଦଳ ପରାଜୟ ପାର୍ଶ୍ବରେ ରହିଯାଇଥିଲା। ଜିମ୍ବାୱେ ପକ୍ଷରୁ ସିକନ୍ଦର ରାଜା (୪-୦-୨୫-୩) ଓ ବ୍ରାଦ୍‌ ଇଭାନ୍ସ (୪-୦-୨୫-୨) ପାକିସ୍ତାନ ପରାଜୟର କାରଣ ପାଲଟିଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଜିମ୍ବାୱେ ପାଳି ୨୦ ଓଭରରେ ୧୩୦/୮ (ସିନ୍‌ ୱିଲିୟମ୍‌ସନ-୩୧, କ୍ରେଗ୍‌ ଏର୍ଭିନ୍‌-୧୯, ୱେସ୍‌ଲି ମାଧେଭେରେ-୧୭, ରୢାନ୍‌ ବୁର୍ଲ-୧୦*, ବ୍ରାଦ୍‌ ଇଭାନ୍ସ-୧୯, ମହମ୍ମଦ ୱାସିମ-୪/୨୪, ସଦାବ ଖାନ୍‌-୩/୨୩)। ପାକିସ୍ତାନ ପାଳି ୨୦ ଓଭରରେ ୧୨୯/୮ (ସନ୍‌ ମାସୁଦ-୪୪, ମହମ୍ମଦ ନୱାଜ-୨୨, ସିକନ୍ଦର ରାଜା-୩/୨୫, ବ୍ରାଦ୍‌ ଇଭାନ୍ସ-୨/୨୫)।

ସମ୍ବନ୍ଧିତ ଖବର