କଲମ୍ବୋ: ଶ୍ରୀଲଙ୍କା ଗସ୍ତରେ ଭାରତୀୟ କ୍ରିକେଟ୍ ଦଳର ଲଜ୍ଜା‌ଜନକ ପ୍ରଦର୍ଶନ ଜାରି ରହିଛି। ଘରୋଇ ଶ୍ରୀଲଙ୍କାର ସ୍ପିନ୍ ବାହିନୀ ଆଗରେ ଲଗାତାର ଦ୍ବିତୀୟ ମ୍ୟାଚ୍‌ରେ ଆତ୍ମସମର୍ପଣ କରିଛି ରୋହିତ ବାହିନୀ। ଏପରିକି ଭାରତର ତାରକା ଖଚିତ ବ୍ୟାଟିଂ ବାହିନୀ ମାତ୍ର ୨୬.୧ ଓଭରରେ ଅଲଆଉଟ୍ ହେବା ପରେ ଶ୍ରୀଲଙ୍କା ବୁଧବାର ତୃତୀୟ ତଥା ‌ଶେଷ ଦିନିକିଆକୁ ୧୧୦ ରନ୍‌ର ବଡ଼ ବ୍ୟବଧାନରେ ଜିତି ନେଇଛି। ଫଳରେ ତିନି ଟିକିଆ ଶୃଙ୍ଖଳାରେ ୨-୦ରେ ବିଜୟୀ ହୋଇଛି। ପ୍ରଥମ ମ୍ୟାଚ୍ ରୋମାଞ୍ଚକର ଭାବେ ଟାଇ ରହିବା ପରେ ଦ୍ବିତୀୟ ଦିନିକିଆକୁ ୩୨ ରନ୍‌ରେ ଜିତି ଶ୍ରୀଲଙ୍କାର ଯୁବ ଦଳ ଶୃଙ୍ଖଳା କବ୍‌ଜା କରିଥିଲା। ନିର୍ଣ୍ଣାୟକ ତୃତୀୟ ଦିନିକିଆକୁ ଜିତି ଭାରତ କିନ୍ତୁ ଶୃଙ୍ଖଳା ବରାବର କରିବ ବୋଲି ପ୍ରଶଂସକ ଆଶା ରଖିଥ‌ିଲେ। ହେଲେ ଭାରତୀୟ ଦଳର ବ୍ୟାଟିଂକ୍ରମ ତାସ୍‌ ଘର ଭଳି ଭୁଶୁଡ଼ି ଯାଇଥିଲା। ଶ୍ରୀଲଙ୍କା ୨୪୯ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଭାରତୀୟ ଦଳ ମାତ୍ର ୧୩୮ ରନ୍ କରି ଲଜ୍ଜାଜନକ ପରାଜୟ ବରଣ କରିଥିଲା। ଏହା ମଧ୍ୟ ୨୭ ବର୍ଷ ପରେ ଭାରତ ବିପକ୍ଷରେ ଶ୍ରୀଲଙ୍କାର ପ୍ରଥମ ଦିନିକିଆ ଶୃଙ୍ଖଳା ବିଜୟ ଥିଲା। ‌ଶେଷ ଥର ପାଇଁ ଶ୍ରୀଲଙ୍କା କୌଣସି ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳାରେ ଭାରତକୁ ୧୯୯୭ ମସିହାରେ ପରାସ୍ତ କରିଥିଲା।

Advertisment

ଶୃଙ୍ଖଳାର ସର୍ବାଧିକ ବ୍ୟକ୍ତିଗତ ରନ୍ (୯୬) କରିଥିବା ଶ୍ରୀଲଙ୍କାର ଯୁବ ଓପନର୍ ଅଭିସ୍କା ଫର୍ଣ୍ଣାଣ୍ଡୋ ମ୍ୟାଚ୍ ଏବଂ ୨୨ ବର୍ଷୀୟ ବାମହାତୀ ସ୍ପିନର ଦୁନିଥ ୱେଲଲଗା (୭/୧୦୮) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଶ୍ରୀଲଙ୍କା ଅଧିନାୟକ ଚରିଥ ଅସଲଙ୍କା ମଧ୍ୟ ଶୃଙ୍ଖଳାର ସବୁ ମ୍ୟାଚ୍‌ରେ ଟସ୍ ଜିତିବାର ନିଆରା ରେକର୍ଡ କରିଛନ୍ତି। ପୂର୍ବତନ ଦୁର୍ଦ୍ଧର୍ଷ ଓପନର୍ ସନଥ ଜୟସୂରିୟାଙ୍କ ପ୍ରଶିକ୍ଷଣରେ ଶ୍ରୀଲଙ୍କା ଅଢ଼େଇ ଦଶନ୍ଧି ପରେ ଭାରତକୁ ହରାଇବାର ପ୍ରତୀକ୍ଷିତ ସଫଳତା ପାଇଥିଲା ବେଳେ ଭାରତର ନୂଆ ପ୍ରଶିକ୍ଷଣ ଗୌତମ ଗମ୍ଭୀରଙ୍କ ଦିନିକିଆ କାର୍ଯ୍ୟକାଳ ଅପ୍ରତ୍ୟା‌ଶିତ ଓ ଏକତରଫା ପରାଜୟରୁ ଆରମ୍ଭ ହୋଇଛି। ଶ୍ରୀଲଙ୍କା ମଧ୍ୟ୍ୟ ଘରୋଇ ପରିବେଶରେ ‌ଭାରତଠାରୁ ଟ୍ବେଣ୍ଟି-୨୦ ଶୃଙ୍ଖଳା ପରାଜୟ (୦-୩)ର ମଧୁର ପ୍ରତିଶୋଧ ନେଇଛି। ଶ୍ରୀଲଙ୍କା ଆଜି ଫର୍ଣ୍ଣାଣ୍ଡୋଙ୍କ ସହ କୁଶାଲ ମେଣ୍ଡିସ୍ (୫୯) ଓ ପଥୁମ ନିସଙ୍କ (୪୫)ଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ୭ ୱିକେଟ୍ ବିନିମୟରେ ୨୪୮ ରନ୍ କରିଥିଲା। ରିୟାନ ପରାଗ ପଦାର୍ପଣରେ ୩ ୱିକେଟ୍ ନେବା ଭାରତୀୟ ବୋଲିଂର ମୁଖ୍ୟ ଆକର୍ଷଣ ଥିଲା। ଜବାବରେ ଅଧିନାୟକ ରୋହିତ ଶର୍ମା (୩୫)ଙ୍କ ସହ କେବଳ ବିରାଟ କୋହଲି ଓ ୱାସିଂଟନ୍ ସୁନ୍ଦର (୩୦) ଭାରତ ପାଇଁ ଦୁଇ ଅଙ୍କ ଛୁଇଁ ପାରିଥିଲେ। ଅନ୍ୟ ୭ଜଣ ବ୍ୟାଟର୍‌ ଶ୍ରୀଲଙ୍କା ବୋଲରଙ୍କ ସମ୍ମୁଖୀନ କରି ନପାରି ଏକ ଅଙ୍କ ଆଗକୁ ବଢ଼ି ପାରି ନଥିଲେ। ୱେଲଲଗା ୨୭ ରନ୍ ଦେଇ କ୍ୟାରିୟରର ଦ୍ବିତୀୟ ୫ ୱିକେଟ୍ ସଫଳତା ଲାଭ କରିଥିଲେ।