ସାମିଙ୍କ ପତ୍ନୀ ହସିନ ଗିରଫ

ଲକ୍ଷ୍ନୌ: ଭାରତୀୟ କ୍ରିକେଟର୍‌ ମହମ୍ମଦ ସାମିଙ୍କ ବିବାଦୀୟ ପତ୍ନୀ ହସିନ ଜାହାଁଙ୍କୁ ଲକ୍ଷ୍ନୌ ପୁଲିସ ରବିବାର ଗିରଫ କରିବା ପରେ ଜାମିନରେ ଛାଡ଼ିଛି। ହସିନ କିଛି ଦିନ ତଳେ ସାମିଙ୍କ ନାଁରେ ଘରୋଇ ହିଂସା ଏବଂ ପର ନାରୀଙ୍କ ସହ ସଂପର୍କ ରଖିଥିବା ଅଭିଯୋଗ ଆଣି ଚର୍ଚାକୁ ଆସିଥିଲେ। ସାମି କିନ୍ତୁ ଏସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ। ଏଥିନେଇ ଉଭୟଙ୍କ ମଧ୍ୟରେ ଏବେବି ଆଇନଯୁଦ୍ଧ ଚାଲିଛି। ହସିନ ରବିବାର ରାତିରେ ହଠାତ୍ ଲକ୍ଷ୍ନୌର ସାହସପୁର ଅଲ୍ଲୀ ନଗରରେ ଥିବା ସାମିଙ୍କ ଘରେ ପହଞ୍ଚି ପାଟି ତୁଣ୍ଡ କରିଥିଲେ। ସାମିଙ୍କ ମାତା-ପିତା ଏହାକୁ ବିରୋଧ କରିବା ପରେ ସେମାନଙ୍କୁ ବି ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ। ସେ ମଧ୍ୟ ନିଜ ଝିଅକୁ ନେଇ ଗୋଟିଏ କୋଠରିରେ ପଶି ଯାଇ ଭିତରୁ ଏହାକୁ ବନ୍ଦ କରି ଦେଇଥିଲେ। ଫଳରେ ସାମିଙ୍କ ମାତା-ପିତା ବାଧ୍ୟ ହୋଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲା ସମାଧାନ କରିବାକୁ ଚେଷ୍ଟା କରିବା ସହ ହସିନଙ୍କୁ ଗିରଫ କରିଥିଲା। ଏହି ବିଷୟରେ ନିଜ ପକ୍ଷ ରଖିବାକୁ ଯାଇ ସେଠାରେ ଉପସ୍ଥିତ ଥିବା ସାମ୍ବାଦିକମାନଙ୍କୁ ହସିନ କହିଥିଲେ ଯେ ମୁଁ ମୋ ସ୍ବାମୀଙ୍କ ଘରକୁ ଆସିଥିଲି। ଏଠାରେ ରହିବାର ଅଧିକାର ମୋର ଅଛି। ମୋ ଶାଶୁ-ଶ୍ବଶୁର ମୋତେ ଖରାପ ବ୍ୟବହାର କରୁଥିଲେ ଏବଂ ପୁଲିସ ମଧ୍ୟ ସେମାନଙ୍କୁ ସମର୍ଥନ କରୁଥିଲା। ପୁଲିସ ସେମାନଙ୍କୁ ଗିରଫ କରିବା କଥା। ହେଲେ ମୋତେ ଥାନାକୁ ନେଉଛନ୍ତି। ସୂଚନାଯୋଗ୍ୟ ଯେ ସାମି ଆଇପିଏଲ୍‌ ଖେଳିବାରେ ବ୍ୟସ୍ତ ଅଛନ୍ତି। ସେ ଚଳିତ ଆଇପିଏଲ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବର ପ୍ରତିନିଧିତ୍ବ କରୁଛନ୍ତି।

ସମ୍ବନ୍ଧିତ ଖବର