ଭୁବନେଶ୍ବର: ଭୁବନେଶ୍ବରରେ ଖେଳାଯିବାକୁ ଥିବା ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ପୂର୍ବରୁ ଭାରତୀୟ ଦଳ ସହିତ ଯୋଡ଼ି ହୋଇଛନ୍ତି କ୍ରୀଡ଼ା ମନସ୍ତତ୍ତ୍ବବିତ୍ ଶ୍ୟାମଲାଲ୍ ବଲ୍ଲଭଜୀ। ଏଠାରେ ଚାଲିଥିବା ଜାତୀୟ ଶିବିରରେ ସେ ଯୋଗଦେଇ ଖେଳାଳିମାନଙ୍କ ସହିତ ଆଲୋଚନା କରିଛନ୍ତି। ଫୁଟବଲ୍ରେ ମାନସିକ ସ୍ବାସ୍ଥ୍ୟର ଗୁରୁତ୍ବକୁ ବୁଝି ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫ୍ଏଫ୍) ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନିଯାଇଛି। ନିଯୁକ୍ତ ମନସ୍ତତ୍ତ୍ବବିତ୍ କେବଳ ଖେଳାଳିମାନଙ୍କର ସାମର୍ଥ ଓ ପ୍ରଦର୍ଶନ ବଢ଼ାଇବା ଦିଗରେ କାମ କରିବେ ନାହିଁ, ବରଂ ସେମାନଙ୍କୁ ନେଇ ଏକ ଖେଳୁଆଡ଼ ପରିବେଶ ଓ ଏକତା ଭାବନା ସୃଷ୍ଟି କରିବା ତାଙ୍କର ଦାୟିତ୍ବ ରହିବ ବୋଲି ଏଆଇଏଫ୍ଏଫ୍ ପକ୍ଷରୁ କୁହାଯାଇଛି।
ବଲ୍ଲଭଜୀ ପୂର୍ବରୁ ଏଟିପି ଟୁର୍, ଆଇପିଏଲ୍ ଦଳ ଏବଂ ବିଶ୍ବର କିଛି ପେସାଦାର ଗଲ୍ଫରଙ୍କ ସହିତ କାମ କରିଛନ୍ତି। ବଲ୍ଲଭଜୀଙ୍କ କହିବାନୁସାରେ, ଖେଳାଳିମାନଙ୍କ ଶାରୀରିକ ସ୍ଥିତି ଉପରେ ନିୟମିତ ନଜର ରଖାଯାଉଛି। ଠିକ୍ ସେମିତି ସେମାନଙ୍କ ମାନସିକ ସ୍ତରକୁ ମଧ୍ୟ ନିୟମିତ ନିରୀକ୍ଷଣ କରାଯିବା ଆବଶ୍ୟକ ରହିଛି। ଖେଳିବା ସମୟରେ ଚାପର ମୁକାବିଲା କରିବାକୁ ଖେଳାଳିମାନଙ୍କ ବ୍ୟକ୍ତିତ୍ବ କିଭଳି ପ୍ରତିକ୍ରିୟା ଦେଖାଉଛି, ତାହାକୁ ଅନୁଧ୍ୟାନ କରାଯିବ। ଏହାକୁ ବିଶ୍ଲେଷଣ କରାଯିବା ପରେ ଚାପକୁ ଏଡ଼ାଇବା ପାଇଁ ଏକ ପ୍ରଶିକ୍ଷଣ ପ୍ରଣାଳୀ ତିଆରି କରାହେବ ବୋଲି ସେ କହିଛନ୍ତି। ଏଥିସହ ଭାରତୀୟ ଦଳ ସହିତ ଯୋଡ଼ି ହୋଇ ସେ ଗର୍ବିତ ଅନୁଭବ କରୁଛନ୍ତି ଏବଂ ଦଳର ସଫଳତାରେ ଅଂଶୀଦାର ହେବାକୁ ସେ ବ୍ୟଗ୍ର ଅଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି। ସୂଚନାଯୋଗ୍ୟ, ଜୁନ୍ ୯ ତାରିଖରୁ ଆରମ୍ଭ ହେଉଥିବା ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ରେ ଭାରତର ମୁକାବିଲା ଲେବାନନ୍, ଭାନୁଆତୁ ଓ ମଙ୍ଗୋଲିଆ ବିପକ୍ଷରେ ହେବ।