ୱର୍ନଙ୍କ କମ୍ପାନି ଜିନ୍‌ ବନ୍ଦ କରି ହସ୍ତ ପ୍ରକ୍ଷାଳକ ଉତ୍ପାଦନ ବଢ଼ାଇବ

ମେଲବର୍ନ: ‌କିଂବଦନ୍ତି କ୍ରିକେଟର୍‌ ସେନ୍‌ ୱର୍ନଙ୍କ ସହମାଲିକାନାରେ ଚାଲିଥିବା ଏକ ଡିଷ୍ଟିଲାରି କମ୍ପାନି କରୋନା ମହାମାରୀ ସଙ୍କଟକୁ ଦୃଷ୍ଟିରେ ରଖି ଜିନ୍‌ ଉତ୍ପାଦନ ବନ୍ଦ କରି ହସ୍ତ ପ୍ରକ୍ଷାଳକ (ହ୍ୟାଣ୍ଡ୍ ସାନିଟାଇଜର୍‌) ଉତ୍ପାଦନ ବଢ଼ାଇବ। ୭୦ ପ୍ରତିଶତ ଆଲକୋହଲ୍‌ ଥିବା ଏହି ହସ୍ତ ପ୍ରକ୍ଷାଳକ ଉତ୍ପାଦନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ମଧ୍ୟ କୁହାଯାଇଛି। ଅଷ୍ଟ୍ରେଲିଆ ପାଇଁ ୧୪୫ ଟେଷ୍ଟ୍‌‌ ଖେଳିଥିବା ଏହି ସ୍ପିନ୍ କିଂବଦନ୍ତି ଏଭଳି ଆହ୍ବାନଭରା ସମୟରେ ନିଜକୁ ପ୍ରତ୍ୟକ୍ଷ ଭାବେ ଯୋଡ଼ିଛନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ଙ୍କ ଆହ୍ବାନ ପରେ କ୍ରମବର୍ଦ୍ଧିଷ୍ଣୁ କରୋନା ସଂଙ୍କଟକୁ ପ୍ରତିହତ କରିବା ଲାଗି ସେନ୍‌ ୱର୍ନ ନିଜକୁ ସାମିଲ କରିଛନ୍ତି। ‘ଅଷ୍ଟ୍ରେଲୀୟଙ୍କ ପାଇଁ ଏହା ଆହ୍ବାନଭରା ସମୟ, ଏଭଳି ରୋଗ କବଳରୁ ଜୀବନକୁ ବଞ୍ଚାଇବା ଲାଗି ଆମ ସ୍ବାସ୍ଥ୍ୟ ସେବାରେ ପରସ୍ପରକୁ ସହଯୋଗ କରିବାର ବେଳ ଉପନୀତ’ ବୋଲି ୱର୍ନ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି। ୱର୍ନଙ୍କ ଏହି ଜିନ୍‌ ଉତ୍ପାଦନକାରୀ କମ୍ପାନିର ନାମ ହେଉଛି ୭୦୮ ଜିନ୍‌। ‘ମୁଁ ଖୁସି ଯେ ୭୦୮ ଜିନ୍‌ର କ୍ଷମତା ରହିଛି, ଉତ୍ପାଦ ବଦଳିବା ସହିତ ଅନ୍ୟଙ୍କୁ ସାହାଯ୍ୟ କରିବାକୁ ଉତ୍ସାହିତ କରିବା’ ବୋଲି ୱର୍ନ ପ୍ରକାଶ କରିଛନ୍ତି। ପଶ୍ଚିମ ଅଷ୍ଟ୍ରେଲିଆର ଦୁଇଟି ପ୍ରମୁଖ ହସପିଟାଲକୁ ଏବେ ୭୦୮ ଜିନ୍ କମ୍ପାନି ହସ୍ତ ପ୍ରକ୍ଷାଳକ ଯୋଗାଇବ। ୱର୍ନଙ୍କ କମ୍ପାନି ନିଜ ଉତ୍ପାଦନରେ ପରିବର୍ତନ ଆଣିଥିବାରୁ ପ୍ରଶଂସକମାନେ ମଧ୍ୟ ତାଙ୍କୁ ସାବାସୀ ଜଣାଇଛନ୍ତି। ‘ମହାନ କାର୍ଯ୍ୟ ସେନ୍‌ ଓ ତୁମ ଦଳ, ଏଭଳି ସଙ୍କଟ ବେଳେ ଆପଣଙ୍କ ଭଳି ବ୍ୟକ୍ତିତ୍ବର ଆବଶ୍ୟକତା ରହିଛି’ ବୋଲି ଜଣେ ପ୍ରଶଂସକ ଲେଖିଛନ୍ତି। ୱର୍ନଙ୍କ ଏଭଳି ପଦକ୍ଷେପ ପରେ ଆୟର୍ଲାଣ୍ଡ୍‌ର ଏକ ଡିଷ୍ଟିଲେରି କମ୍ପାନି ମଧ୍ୟ ହସ୍ତ ପ୍ରକ୍ଷାଳକ ଯୋଗାଣ ଲାଗି ପ୍ରୟାସ କରିଛି। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆରେ ଅଦ୍ୟାବଧି ୭୫୦ କରୋନା ଆକ୍ରାନ୍ତ ପିଜିଟିଭ୍‌ ମିଳିଛି ଏବଂ ୭ ଜଣ ମୃତ୍ୟୁ ବରଣ କରିଛନ୍ତି।

ସମ୍ବନ୍ଧିତ ଖବର