ଦୁଇ ଦିନ ତଳେ ଆମେ ଭାରତର ପ୍ରଥମ ବିଶ୍ବକପ୍ ବିଜୟର ୩୬ ବର୍ଷ ପୂର୍ତ୍ତି ପାଳନ କରିଛୁ। ୧୯୮୩ ମସିହା ଜୁନ୍ ୨୫ ତାରିଖର ସେହି ସୁନେଲି ମୁହୁର୍ତ ପରେ ଭାରତୀୟ କ୍ରିକେଟ୍ ସମ୍ଭବତଃ ସବୁଦିନ ପାଇଁ ବଦଳି ଯାଇଥିଲା। ସେହିଦିନ ହିଁ ଭାରତ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜକୁ ଧରାଶାୟୀ କରିଥିଲା। ଛୋଟିଆ ଲକ୍ଷ୍ୟ ଦେଇ ସୁଦ୍ଧା ତାରକା ଖଚିତ ଇଣ୍ଡିଜକୁ ଆମେ ତା’ ତଳେ ସଫଳତାର ସହ ଅଟକାଇ ଦେଇଥିଲୁ। ଏହା ପରେ ଭାରତୀୟ କ୍ରିକେଟ୍ ସଫଳତାର ଶୀର୍ଷ ଛୁଇଁଛି। କ୍ରିକେଟ୍ ବିକାଶର ମୁଖ୍ୟ ଇଞ୍ଜିନ ପାଲଟିଛି। କିଛି ବର୍ଷ ତଳେ ଭାରତ କ୍ରିକେଟ୍ ଦୁନିଆର ସବୁଠାରୁ ଶକ୍ତିଶାଳୀ ସ୍ବର ଥିଲା। ଏବେ ଅବଶ୍ୟ ସେହି ଧାକ୍ ଟିକିଏ କମି ଯାଇଛି। ୧୯୮୩ ବିଶ୍ବକପ୍ ବିଜୟ ଭାରତୀୟ କ୍ରିକେଟ୍ର ମୋଡ଼ ବଦଳାଇ ଦେଇଥିଲା ବେଳେ ଇଣ୍ଡିଜ୍ କ୍ରିକେଟର ଅଧୋପତନ ସମ୍ଭବତଃ ସେହିଠାରୁ ହିଁ ଆରମ୍ଭ ହୋଇ ଯାଇଥିଲା। ପରବର୍ତୀ ଦଶନ୍ଧି ପର୍ଯ୍ୟନ୍ତ ସେମାନେ ଟେଷ୍ଟ୍ କ୍ରିକେଟ୍ରେ ଆଧିପତ୍ୟ ବିସ୍ତାର କରିଥିଲେ। ହେଲେ ବିଶ୍ବକପ୍ର ଫାଇନାଲ୍ ଖେଳି ପାରି ନଥିଲେ। ଅବଶ୍ୟ ସେମାନେ ଆଇସିସି ଟ୍ବେଣ୍ଟି-୨୦ ଚାମ୍ପିଅନସିପ୍ ଦୁଇଥର ଜିତିଛନ୍ତି। ଟ୍ବେଣ୍ଟି-୨୦ରେ ସେମାନେ ଭଲ କରିଛନ୍ତି। ହେଲେ ଅନ୍ୟ ଫର୍ମାଟ୍ଗୁଡ଼ିକରେ ଆଉ ଆଗଭଳି ଖେଳୁ ନାହାନ୍ତି। ସାରା ବିଶ୍ବର ଟ୍ବେଣ୍ଟି-୨୦ ଲିଗ୍ରେ ୱେଷ୍ଟଇଣ୍ଡିଜ୍ ଖେଳାଳିଙ୍କ ଢେର ଚାହିଦା ରହିଛି। ଆନ୍ଦ୍ରେ ରସେଲ ଏହାର ବଳିଷ୍ଠ ଉଦାହରଣ। ଟ୍ବେଣ୍ଟି-୨୦ ଲିଗ୍ରେ ସେ ଯେଉଁ ସଫଳତା ପାଇଛନ୍ତି ବିଶ୍ବକପ୍ରେ ତାକୁ ଦୋହରାଇ ପାରୁନାହାନ୍ତି।
ଆଫଗାନିସ୍ତାନ ବିପକ୍ଷ ସଂଘର୍ଷପୂର୍ଣ୍ଣ ବିଜୟ ପରେ ଭାରତର ମନୋବଳ ଉଚ୍ଚରେ ଥିବ। ଛୋଟ ସ୍କୋରକୁ ଡିଫେଣ୍ଡ କଲା ବେଳେ ଭାରତୀୟ ଖେଳାଳିଙ୍କ ଶାରୀରିକ ଭାଷା ଦେଖିଲା ଭଳି ଥିଲା। ସେମାନେ କେବେ ବି ବ୍ୟସ୍ତ କିମ୍ବା ବିଚଳିତ ଥିଲା ଭଳି ମନେ ହୋଇନଥିଲା। ଯାହା ଫଳରେ ଆଫଗାନିସ୍ତାନ ଖେଳାଳିଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। ହେଲେ କିଛି ବ୍ୟାଟ୍ସମ୍ୟାନ ମାତ୍ରାଧିକ ଆତ୍ମବିଶ୍ବାସ ଭରା ସଟ୍ ଖେଳି ହଇରାଣ ହୋଇଥିଲେ। ପ୍ରାରମ୍ଭିକ ବିଫଳତା ପରେ କୋହଲିଙ୍କ ୱିକେଟ୍ ଭାରତ ପାଇଁ କାଳ ହୋଇଥିଲା। ମୁଁ ଭାବୁଛି ବିଜୟ ଶଙ୍କରଙ୍କୁ ଆଉ ଏକ ସୁଯୋଗ ମିଳିବ। ଯଦି ସେ ପୁଣି ଥରେ ବିଫଳ ହୁଅନ୍ତି, ତାହାଲେ ଭଲ ଆରମ୍ଭକୁ ବଡ଼ ସ୍କୋରରେ ରୂପାନ୍ତର କରି ନପାରିବା ଅଭ୍ୟାସ ତାଙ୍କ ବିପକ୍ଷରେ ଯିବ। ଭାରତ ପାଇଁ ଗୁରୁବାର ଆଉ ଏକ ପରୀକ୍ଷା ଅପେକ୍ଷା କରି ରହିଛି। ତେବେ ସେମାନେ ଜୁନ୍ ୨୫ ଏବଂ ଏପ୍ରିଲ ୨ ସଫଳତାକୁ ଦୋହରାଇବାର ଅତି ନିକଟରେ ଅଛନ୍ତି।
ଶଙ୍କରଙ୍କୁ ଆଉ ଏକ ସୁଯୋଗ ମିଳୁ
-ସୁନୀଲ ଗାଭାସ୍କର-
/sambad/media/post_attachments/wp-content/uploads/2019/06/gavaskar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)