ଭୁବନେଶ୍ବର: ସଙ୍କଟ ସମୟ ଦେଇ ଗତି କରୁଥିବା ଓଡ଼ିଶା ରଣଜୀ ଦଳ ରବିବାରଠାରୁ ପଞ୍ଚମ ରାଉଣ୍ଡ୍ ମୁକାବିଲାରେ ଭେଟିବ ନାଗାଲାଣ୍ଡ୍କୁ। ଉଭୟ ଓଡ଼ିଶା ଓ ନାଗାଲାଣ୍ଡ୍ ଏବେ ଏଲିଟ୍ ଗ୍ରୁପ୍-ଏ’ରେ ଶେଷ ଦୁଇ ସ୍ଥାନରେ ରହିଛନ୍ତି। ଉଭୟ ଦଳ ମଧ୍ୟ ୩ଟି ଲେଖାଏଁ ସିଧାସଳଖ ପରାଜୟ ଏବଂ ଗୋଟିଏ ଲେଖାଏଁ ପାଳି ପଛୁଆ ପରାଜୟ ବରଣ କରି ସମାନ ୧ ପଏଣ୍ଟ୍ରେ ରହିଛନ୍ତି। ସିଜନ୍ ଶେଷ ହେବାକୁ ଗ୍ରୁପ୍ ପର୍ଯ୍ୟାୟରେ ଆହୁରି ୩ଟି ମ୍ୟାଚ୍ ଥିଲେ ବି ଓଡ଼ିଶା ସମ୍ପୂର୍ଣ୍ଣ ପଏଣ୍ଟ୍ ଅର୍ଜନ ପାଇଁ ଏହାଠାରୁ ଆଉ କୌଣସି ବଡ଼ ସୁଯୋଗ ପାଇବ ନାହିଁ। କାରଣ ନାଗାଲାଣ୍ଡ୍ ପଏଣ୍ଟ୍ ଟେବୁଲ୍ର ଶେଷ ସ୍ଥାନରେ ରହିଛି ଏବଂ ଏକ ଅନଭିଜ୍ଞ ଦଳ। ଏହା ମଧ୍ୟ ଓଡ଼ିଶାର ଶେଷ ଘରୋଇ ମ୍ୟାଚ୍। ପିଚ୍, ପରିବେଶ ଓ ପରିସ୍ଥିତି ଦୃଷ୍ଟିରୁ ଶୁଭ୍ରାଂଶୁ ସେନାପତିଙ୍କ ଦଳ ପାଇଁ ନିଶ୍ଚିତ ଭାବେ ସୁବର୍ଣ୍ଣ ସୁଯୋଗ ରହିଛି।
ରଣଜୀ ଟ୍ରଫିରେ ମାତ୍ର ୭ ବର୍ଷର ଶିଶୁ ଭାବେ ପରିଚିତ ନାଗାଲାଣ୍ଡ୍ ସହ ଓଡ଼ିଶା ମଧ୍ୟ ପୂର୍ବରୁ ଥରେ ମାତ୍ର ଖେଳିଛି। ୨୦୨୩ରେ ଖେଳାଯାଇଥିବା ଏହି ମୁକାବିଲାରେ ଘରୋଇ ପରିବେଶରେ ନାଗାଲାଣ୍ଡ୍କୁ ହରାଇ ପାରି ନଥିଲେ ମଧ୍ୟ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ୍ ନେଇଥିଲା। ସୂର୍ଯ୍ୟକାନ୍ତ ପ୍ରଧାନ-ତରଣୀ ସ’ ୩-୩ ୱିକେଟ୍ ଦଖଲ କରିବା ସତ୍ତ୍ବେ ଚେତନ ବିଷ୍ଟ୍ (୧୨୯)ଙ୍କ ଶତକ ବଳରେ ନାଗାଲାଣ୍ଡ୍ ୪୩୩ ରନ୍ କରିଥିଲା। ଜବାବରେ ଶାନ୍ତନୁ ମିଶ୍ରଙ୍କ ଦ୍ବିଶତକ (୨୦୦*, ୪୦୫ ବଲ୍), ପାୟସ ସିଂହ (୧୦୪, ୧୪୧ ବଲ୍)ଙ୍କ ଶତକ, ଅନୁରାଗ ଷଡ଼ଙ୍ଗୀ (୮୪, ୧୪୦ ବଲ୍)ଙ୍କ ଅର୍ଦ୍ଧଶତକ ବଳରେ ଓଡ଼ିଶା ୫୩୫/୮ରେ ପାଳି ଘୋଷଣା କରିଥିଲା। ଯଥେଷ୍ଟ ସମୟ ନଥବାରୁ ନାଗାଲାଣ୍ଡ୍ ଦ୍ବିତୀୟ ପାଳି ୧୨୦/୧ରେ ଥିବାବେଳେ ମ୍ୟାଚ୍ ଡ୍ର’ ରହିଥିଲା। ଶାନ୍ତନୁ ମିଶ୍ର ଏହି ମ୍ୟାଚ୍ରେ ଦ୍ବିଶତକ ସହ ଗୋଟିଏ ୱିକେଟ୍ ଅକ୍ତିଆର କରି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଯୁବ ଖେଳାଳି ଶାନ୍ତନୁ ମିଶ୍ର ଏବେ କାହିଁକି ଦଳରେ ନଥିବାରୁ ଉତ୍ସୁକତା ବଢ଼ିଛି। ଏଇଥି ପାଇଁ ଆଗ୍ରହ ବଢ଼ିଛି ଓସିଏର ବ୍ୟବସ୍ଥା ଭିତରେ ଥିବା ଜଣେ ପୂର୍ବତନ ଖେଳାଳିଙ୍କ ସାମ୍ପ୍ରତିକ ମନ୍ତବ୍ୟକୁ ନେଇ। ରାଜ୍ୟରେ ପ୍ରତିଭା ନାହାନ୍ତି, ଯେଉଁ ଖେଳାଳିଙ୍କୁ ସୁଯୋଗ ଦେଲେ ବି କେହି ତ କିଛି କରୁନାହାନ୍ତି। କ’ଣ କରାଯିବ? ସମାନ ସମୟରେ ଏବେ ପ୍ରଶ୍ନ ଉଠୁଛି ପ୍ରତିଭା ମିଳିବା ବେଳେ ସେମାନଙ୍କୁ ଗଢ଼ି ତୋଳିବା ଓ ସମର୍ଥନ କରିବାର ଦାୟିତ୍ବ କିଏ ନେଉଛି କି? ଏହାର ଶ୍ରେଷ୍ଠ ଉଦାହରଣ ହେଉଛନ୍ତି ଶାନ୍ତନୁ ମିଶ୍ର। ୪୨ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବା ଶାନ୍ତନୁ କୋଭିଡ୍ ପରବର୍ତ୍ତୀ ସମୟରେ ନିୟମିତ ଭାବେ ଓଡ଼ିଶାର ଅନ୍ୟତମ ଅଗ୍ରଣୀ ରନ୍ ସଂଗ୍ରହକାରୀ ଏବଂ ଶ୍ରେଷ୍ଠ ଓପନର୍ ଭାବେ ନିଜକୁ ପ୍ରମାଣିତ କରି ଆସିଥିଲେ।
ଓପନର୍ ଭାବେ ସବୁବେଳେ ଆହ୍ବାନକୁ ପ୍ରତିହତ କରିବାକୁ ପଡୁଥିବାରୁ ରନ୍ ସଂଗ୍ରହରେ ଗତି ରଖିବା ବି ସମ୍ଭବ ହୁଏ ନାହିଁ। କେବଳ ଗୋଟିଏ ଋତୁ ୨୦୨୪-୨୫ ଶାନ୍ତନୁଙ୍କ ପାଇଁ ଖରାପ ବିତିଥିଲା। କେବଳ ଏହି କାରଣରୁ ଜଣେ ପ୍ରତିଭାସମ୍ପନ୍ନ ଓପନର୍ଙ୍କୁ ଦଳଠାରୁ ଦୂରେଇ ରଖାଯିବ ଉଚିତ ହୋଇନାହିଁ ବୋଲି କ୍ରିକେଟ୍ ବିଶାରଦମାନେ ମତ ରଖୁଛନ୍ତି। ଚଳିତ ଋତୁରେ ତାଙ୍କ ବଦଳରେ ଗୌରବ ଚୌଧୁରୀ ଓ ଆଶୀର୍ବାଦ ସ୍ବାଇଁ ପାଳି ଆରମ୍ଭ କରିବାର ସୁଯୋଗ ପାଇଥିଲେ ବି ଉଭୟ ବିଫଳ ହୋଇଛନ୍ତି। ଯୁବ ଖେଳାଳିଙ୍କୁ ସଂଘର୍ଷ ସମୟରେ ସମର୍ଥନ କରିବା ପରିବର୍ତ୍ତେ କେବଳ ଦଳରୁ ବାଦ୍ ଦେବାର ‘ଅସ୍ତ୍ର’ ପ୍ରୟୋଗ କରି ଚୟନକର୍ତାମାନେ କେବଳ ‘ପ୍ରତିଭା’ ହତ୍ୟା କରି ଚାଲିଛନ୍ତି। ଯେଉଁ ଖେଳାଳି କୋଭିଡ୍ ପରବର୍ତୀ ୩ଟି ଋତୁରେ ରାଜ୍ୟର ଅଗ୍ରଣୀ ଓପନର୍, ଅନ୍ୟତମ ଅଗ୍ରଣୀ ଶୀର୍ଷକ୍ରମ ବ୍ୟାଟର୍, ଦଲିପ ଟ୍ରଫି ଦଳରେ ଦୁଇ ଥର ସଦସ୍ୟ, ଗୋଟିଏ ଋତୁରେ ଓଡ଼ିଶାର ନେତୃତ୍ବ ବି ନେଇଛନ୍ତି ସେ କିଭଳି ଅଲୋଡ଼ା ହୋଇଯାଆନ୍ତି ଗୋଟିଏ ଋତୁ ଖରାପ ଖେଳିଲେ। ଏଇଠି ବିଶ୍ବାସ ଆସେ ପ୍ରତିଭା ମିଳୁନାହାନ୍ତି ନୁହେଁ, ମିଳିଲେ ସେମାନଙ୍କୁ ଗଢ଼ାଯାଏ, ସମର୍ଥନ କରାଯାଏ ଓ ପ୍ରଦର୍ଶନକୁ ଚିପୁଡି ଆଦାୟ କରାଯାଏ। ଯାହାକି ୩୧ ବର୍ଷୀୟ ଶାନ୍ତନୁ ମିଶ୍ରଙ୍କ କ୍ଷେତ୍ରରେ ହୋଇନାହିଁ। ଯୁବ ୱିକେଟ୍ରକ୍ଷକ ଆଶୀର୍ବାଦ ସ୍ବାଇଁଙ୍କ କ୍ଷେତ୍ରରେ ବି ସେଭଳି ବିଡ଼ମ୍ବନା ଘଟିଛି। ଅତୀତରେ ପରେଶ ପଟେଲ, ରାକେଶ ମହାନ୍ତି, ବିଘ୍ନେଶ ମହାନ୍ତି, ଦୀପକ ମଙ୍ଗରାଜଙ୍କ ଭଳି ଉଦୀୟମାନ ଖେଳାଳିଙ୍କ ଖେଳ ଜୀବନକୁ କାଣ୍ଟଛାଣ୍ଟ୍ କରି ଓଡ଼ିଶା ଏହାର ଦଶା ଭୋଗିଛି ଏବଂ ଯେଉଁଠି ଅଛି ସେଇଠି ସଂଘର୍ଷ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/14/sfhffhxbv-2025-11-14-01-22-10.jpg)