ଡରହାମ୍ ଲିଗ୍‌ ପଦାର୍ପଣରେ ଶାନ୍ତନୁଙ୍କ ଚମକ: ଶତକ ଓ ୪ ୱିକେଟ୍‌ ସହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି

ଭୁବନେଶ୍ବର: ରାଜ୍ୟର ଉଦୀୟମାନ କ୍ରିକେଟର୍‌ ଶାନ୍ତନୁ ମିଶ୍ରଙ୍କ ବିଦେଶ ଲିଗ୍ ପଦାର୍ପଣ ଚମତ୍କାର ଢଙ୍ଗରେ ଆରମ୍ଭ ‌ ହୋଇଛି। ଡରହାମ୍‌ ଆଣ୍ଡ୍‌ ନର୍ଥ ଇଷ୍ଟ୍‌ କ୍ରିକେଟ୍ ଲିଗ୍‌ର ଡିଭିଜନ୍‌-୧ରେ ଶାନ୍ତନୁ ହିଲଟନ୍‌ କ୍ରିକେଟ୍ କ୍ଲବ୍ ପାଇଁ ଖେଳୁଛନ୍ତି। ଶନିବାର ମାର୍ସଡେନ୍‌ କ୍ରିକେଟ୍ କ୍ଲବ୍ ବିପକ୍ଷରେ ଶାନ୍ତନୁ ଅଲରାଉଣ୍ଡ୍ ପ୍ରଦର୍ଶନ କରିବା ସହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଶାନ୍ତନୁଙ୍କ ଶତକ (୧୧୨, ୧୩ ଚୌକା) ବଳରେ ହିଲଟନ୍ ୪୫ ଓଭରରେ ୬ ୱିକେଟ୍ ହରାଇ ୨୫୩ ରନ୍‌ କରିଥିଲା। ଜବାବରେ ମାର୍ସଡେନ୍‌ ଦଳ ୩୫ ଓଭରରେ ୧୧୦ ରନ୍‌ କରି ସମସ୍ତ ୱିକେଟ୍ ହରାଇବାରୁ ହିଲଟନ୍‌ ୧୪୩ ରନ୍‌ର ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲା।

ବ୍ୟାଟିଂ ଚମତ୍କାରିତା ପରେ ବୋଲିଂରେ ଶାନ୍ତନୁ (୯-୨-୨୨-୪) ଯାଦୁକରୀ ପ୍ରଦର୍ଶନ କରିଥିଲେ। ପଦାର୍ପଣ ଋତୁ ତଥା ପଦାର୍ପଣ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇ ଶାନ୍ତନୁ ମଧ୍ୟ ଏହାକୁ ସ୍ମରଣୀୟ କରିଛନ୍ତି। ୨୦୧୭-୧୮ ଋତୁରେ ମୁମ୍ବାଇ ବିପକ୍ଷ ରଣଜୀ ପଦାର୍ପଣଠାରୁ ପଛକୁ ଫେରିନଥିବା ଶାନ୍ତନୁ ୨୩ ମ୍ୟାଚ୍‌ରୁ ୩୬.୭୬ ହାରରେ ୧୪୩୪ ରନ୍‌ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୨ ଶତକ ଏବଂ ୧୦ ଅର୍ଦ୍ଧଶତକ ସାମିଲ ରହିଛି। ଏହା ବ୍ୟତୀତ ୧୩ଟି ଲିଷ୍ଟ୍ ‘ଏ’ ଏବଂ ୩ଟି ଟ୍ବେଣ୍ଟି-୨୦ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି ଏହି ଅଫସ୍ପିନ୍ ଅଲରାଉଣ୍ଡର୍‌। ଅଫସିଜନ୍‌ରେ ନିଜକୁ ଟଚ୍‌ରେ ରଖିବା ଲାଗି ସେ ଏବେ ବିଦେଶ ଲିଗ୍‌ରେ ଖେଳିବାକୁ ନିଷ୍ପତ୍ତି ନେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ସମ୍ବନ୍ଧିତ ଖବର