ଓଡ଼ିଶାର ବିଶ୍ବ ଶ୍ରେଣୀୟ ଭିତ୍ତିଭୂମିକୁ ପ୍ରଶଂସା କଲେ ସଦ୍ୟ ସାଫ୍ କପ୍ ବିଜେତା ଫ୍ଲୟଡ ପିଣ୍ଟୋ

ନୂଆଦିଲ୍ଲୀ/ଭୁବନେଶ୍ବର: ହକି ପରେ ଓଡ଼ିଶାରେ ଫୁଟ୍‌ବଲ୍‌ର ପ୍ରଚାର ଓ ପ୍ରସାର ବେଗ ବଢ଼ିଛି। ଏନେଇ ଓଡ଼ିଶାକୁ ପ୍ରଶଂସାରେ ପୋତିଛନ୍ତି ସଦ୍ୟ ସାଫ୍ କପ୍ ବିଜେତା (୧୮ ବର୍ଷରୁ କମ୍‌) ଭାରତୀୟ ଦଳ ପ୍ରଶିକ୍ଷକ ଫ୍ଲୟଡ ପିଣ୍ଟୋ। କାଠମାଣ୍ଡୁଠାରେ ଅନୁଷ୍ଠିତ ସାଫ୍‌ କପ୍‌ର ଫାଇନାଲରେ ଭାରତ ବାଂଲାଦେଶକୁ ହରାଇ ପ୍ରଥମ ଥର ବିଜେତା ହେବାର ଗୌରବ ଲାଭ କରିଛି। ଏହ‌ି ଐତିହାସିକ ସଫଳତା ଲାଗି ପିଣ୍ଟୋ ଦଳର ଖେଳାଳିଙ୍କ ସହିତ ପ୍ରଶିକ୍ଷକ, ପ୍ରଶଂସକଙ୍କୁ ବି ଶ୍ରେୟ ଦେଇଛନ୍ତି। ସାଫ ପ୍ରତିଯୋଗିତା ଏବଂ ୧୯ ବ‌ର୍ଷରୁ କମ୍‌ ଏଏଫ୍‌ସି ଯୋଗ୍ୟତା ପର୍ଯ୍ୟାୟ ଦଳ ଗଠନ ପ୍ରକ୍ରିୟା କ୍ରମେ ଭାରତୀୟ ଖେଳାଳିଙ୍କୁ ପରିପକ୍ବ କରାଇଛି। ପିଣ୍ଟା କହିଛନ୍ତି ‘ସଫଳତାର କାହାଣୀ ରାତାରାତି ମିଳି ନ ଥାଏ। ବିଗତ କିଛି ମାସ ଧରି ଖେଳାଳିମାନେ କରିଥିବା ପରିଶ୍ରମ ନିଶ୍ଚିତ ଭାବେ ସହାୟକ ହୋଇଛି। ସବୁଠାରୁ ବଡ଼ କଥା ହେଉଛି-ଯେଉଁଠି ଆମେ ପ୍ରସ୍ତୁତ ହେଉଥିଲୁ ସେଠାକାର ଭିତ୍ତିଭୁମି ଓ ସୁବିଧା ସୁଯୋଗ। ଏହାକୁ ଏଡ଼ାଇ ଦେଇ ହେବ ନାହିଁ। ଭୁବନେଶ୍ବରରେ ସେଭଳି ସୁବିଧା ସୁଯୋଗ ପାଇଥିବାରୁ ଆମେ ବଡ଼ ଭାଗ୍ୟବାନ’। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ ଏବଂ କିସ୍ ପରିସରରେ ଆମ ପ୍ରସ୍ତୁତି ବେଳେ ରହିଥିବା ସୁବିଧା ସ‌ୁଯୋଗ ଏବଂ ଭିତ୍ତିଭୂମି ଅତି ଗୁରୁତ୍ବପୂର୍ଣ୍ଣ। ବିଶ୍ବ ଶ୍ରେଣୀୟ ବ୍ୟବସ୍ଥା ହିଁ ନିର୍ଣ୍ଣାୟକ ରହିଥିଲା। ଜିମ୍ନାସିୟମ, ସନ୍ତରଣାଗାର, ଟେନିସ୍ କୋର୍ଟ ଆଦି ଖେଳାଳିଙ୍କୁ ବ୍ୟକ୍ତିଗତ ଏବଂ ଦଳଗତ ଭାବେ ସୁଫଳ ଦେଇଛି। ଏପରିକି ମିଳୁଥିବା ଖାଦ୍ୟ ଓ ପରିବେଶ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲା। ପ୍ରଶିକ୍ଷକଙ୍କୁ ମିଳୁଥିବା ଅତିରିକ୍ତ ସୁବିଧାକୁ ମଧ୍ୟ ପିଣ୍ଟୋ ପ୍ରଶଂସା କରିଥିଲେ। କଳିଙ୍ଗ ଷ୍ଟାଡିୟମ୍‌ରେ ଘରୋଇ ମ୍ୟାଚ୍‌ ଖେଳିବା ଏବଂ ଅଭ୍ୟାସ କରିବା ମଧ୍ୟ ଖେଳାଳିଙ୍କୁ ଉତ୍ସାହିତ କରୁଥିବାରୁ ଭାରତୀୟ ଦଳକୁ ସୁଫଳ ମିଳିଛି ବୋଲି ପିଣ୍ଟୋ କହିଥିଲେ। ଭାରତ ଭଳି ଦେଶରେ ସବୁବେଳେ ଆଉଟଡୋର୍ ଅଭ୍ୟାସ ସମ୍ଭବ ହୁଏ ନାହିଁ। ଭୁବନେଶ୍ବରରେ କିନ୍ତୁ ଫ୍ଲଡଲାଇଟ୍ ସୁବିଧା ଭଲ ଥିଲା। ସେଠାରେ ଥିବା ଅଭିନବ ବିନ୍ଦ୍ରା ଟାର୍ଗେଟିଂ ପରଫର୍ମାନ୍ସ ସେଣ୍ଟର୍ (ଏବିଟିପିସି) ମଧ୍ୟ ଆମ ପାଇଁ ଉପଲବ୍‌ଧ ଥିଲା। ଏହା ଆମ ପ୍ରଦର୍ଶନକୁ ଉନ୍ନତ କରିବାରେ ବଡ଼ ଯୋଗଦାନ ରଖିଛି ବୋଲି ପିଣ୍ଟୋ କହିଥିଲେ।

ଓଡ଼ିଶାରେ ପେସାଦାର ଫୁଟ୍‌ବଲ୍‌ର ଅଗ୍ରଗତିକୁ ନେଇ ମଧ୍ୟ ପିଣ୍ଟୋ ଖୁସି ହୋଇଛନ୍ତି। ଦିଲ୍ଲୀ ଡାଇନାମସ ଦଳ ଓଡ଼ିଶା ଏଫ୍‌ସି ହେବା, ଇଣ୍ଡିଆନ୍ ଆରୋଜ୍ ଦଳ ଭୁବନେଶ୍ବରକୁ ଘରୋଇ ପଡ଼ିଆ କରିବା, ସାଫ୍‌ ବିଜେତା ଦଳରେ ଟଙ୍କଧର ବାଗ ସାମିଲ ରହିବା ଏବଂ ଆସନ୍ତା ବର୍ଷ ୧୭ ବର୍ଷରୁ କମ୍‌ ଫିଫା ବିଶ୍ବକପ୍‌ର ଗୋଟିଏ ଗ୍ରୁପ୍ ମ୍ୟାଚ୍‌ ଗୁଡିକ ଭୁବନେଶ୍ବରରେ ହେବା ଉଲ୍ଲେଖନୀୟ ବିଷୟ ବୋଲି ସେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର