ପ୍ରଥମ ଭାରତୀୟ ଭା‌ବେ ଆଇଟିଟିଏଫ୍‌ର ଆଥ୍‌ଲେଟ୍ସ କମିସନ୍‌କୁ ଶରତ କମଲ ନିର୍ବାଚିତ

ନୂଆଦିଲ୍ଲୀ: ଭାରତର ତାରକା ‌ଟେବୁଲ ଟେନିସ ଖେଳାଳି ଅଚନ୍ତ ଶରତ କମଲ ଅନ୍ତର୍ଜାତୀୟ ଟେବୁଲ ଟେନିସ ମହାସଂଘ (ଆଇଟିଟିଏଫ୍‌)ର ଆଥ୍‌ଲେଟ୍ସ କମିସନକୁ ନିର୍ବାଚିତ ହୋଇଛନ୍ତି। ଏହି ପଦକୁ ନିର୍ବାଚିତ ହେବାରେ ସେ ପ୍ରଥମ ଭାରତୀୟ ହୋଇଛନ୍ତି। ମୋଟ ୮ ଜଣ (ପୁରୁଷ ଓ ମହିଳା) ଏସିଆ, ଆଫ୍ରିକା, ଆମେରିକା, ୟୁରୋପ ଓ ଓସେନିଆରୁ ନିର୍ବାଚିତ ହୋଇଛନ୍ତି। ଆଥ୍‌ଲେଟ୍ସ କମିସନରେ ଏମାନେ ୨୦୨୨ରୁ ୨୦୨୬ ପର୍ଯ୍ୟନ୍ତ ୪ ବର୍ଷ କାର୍ଯ୍ୟ କରିବେ। ଶରତ କମଲଙ୍କୁ ଦ୍ବିତୀୟ ସର୍ବାଧିକ ୧୮୭ ଭୋଟ ମିଳିଥିଲା ବେଳେ ତାଙ୍କ ଆଗରେ ରୋମାନିଆର ଏଲିଜାବେଟା ସମରା (୨୧୨) ରହିଥିଲେ। ଏହି ଏସିଆ ଓ ୟୁରୋପ ମହା‌ଦେଶ ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ ବ୍ୟବଧାନ ମାତ୍ର ୮.୮୩ ରହିଥିଲା।

ଏକାଧିକ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତା ଶରତଙ୍କୁ ଏସିଆରୁ ସର୍ବାଧିକ ଭୋଟ ମିଳିଥିଲା। ଏସିଆରୁ ମହିଳା ପ୍ରତିନିଧି ଭାବେ ଚୀନ୍‌ର ଲିଉ ସିୱେନ୍‌ ୧୫୩ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ୪୦ ବର୍ଷୀୟ ଶରତ ସଂପ୍ରତି ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ) ଆଥ୍‌ଲେଟ୍ସର କମିସନ୍‌ରେ ଉପଧ୍ୟକ୍ଷ ରହିଛନ୍ତି। ନିକଟରେ ସେ ମଧ୍ୟ ଭାରତର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନ୍‌ ଚାନ୍ଦ ଖେଳ ରତ୍ନ ପାଇଁ ମନୋନୀତ ହୋଇଥିଲେ।

ସମ୍ବନ୍ଧିତ ଖବର