ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ସପ୍ତମ ମ୍ୟାଚ୍ ୨୭ ମାର୍ଚ୍ଚରେ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍) ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟସ୍(ଏଲଏସଜି) ମଧ୍ୟରେ ଖେଳାଯାଇଥିଲା।
ମ୍ୟାଚ୍ରେ ଏଲଏସଜି ଦଳ ପାଞ୍ଚ ୱିକେଟରେ ବିଜୟୀ ହୋଇଥିଲା। ଏହି ମ୍ୟାଚ୍ ସମୟରେ ହିରୋ ସାଜିଥିଲେ ଏଲଏସଜିର ସାର୍ଦୁଳ ଠାକୁର। ସାର୍ଦ୍ଦୁଳ ଚମତ୍କାର ପ୍ରଦର୍ଶନ କରି ଏବଂ ଚାରି ଓଭରରେ ମାତ୍ର ୩୪ ରନ ଦେଇ ୪ଟି ୱିକେଟ ନେଇଥିଲେ। ଯେଉଁଥିପାଇଁ ତାଙ୍କୁ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ମନୋନୀତ କରାଯାଇଥିଲା।
ଆଇପିଏଲ-୨୦୨୫ର ମେଗା ନିଲାମରେ କୌଣସି ଫ୍ରାଞ୍ଚାଇଜ୍ ସାର୍ଦ୍ଦୁଳ ଠାକୁରଙ୍କୁ କିଣିବାକୁ ଆଗ୍ରହ ଦେଖାଇ ନଥିଲେ। ଏହାପର ଠାରୁ ସାର୍ଦ୍ଦୁଳଙ୍କ ସବୁ ଆଶ, ସ୍ବପ୍ନ ପାଣି ଫଟକା ପରି ମେଳାଇ ଯାଇଥିଲା। କେହି ଆଶା କରି ନଥିଲେ ଆଇପିଏଲ ୨୦୨୫ରେ ସାର୍ଦ୍ଦୁଳଙ୍କ ଦମଦାମ ଖେଳ ଦେଖିବାକୁ ମିଳିବ। କିନ୍ତୁ ଏମିତି ଏକ ସମୟ ଆସିଲା କି ସିଜିନ୍ ଆରମ୍ଭ ହେବା ପୂର୍ବରୁ ଲକ୍ଷ୍ନୌର ଦ୍ରୁତ ବୋଲର ମୋହସିନ ଖାନ ଆହତ ହୋଇ ଯାଇଥିଲେ।
ଆଇପିଏଲ ୨୦୨୫ ପୂର୍ବରୁ ସାର୍ଦ୍ଦୁଳ ରଣଜୀ ଟ୍ରଫିରେ ମୁମ୍ବାଇ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହା ପରେ ଏଲଏସଜିର ପ୍ରଶିକ୍ଷକ ଜାହିର ଖାନ ସାର୍ଦ୍ଦୁଳଙ୍କୁ ଫୋନ୍ କରି କହିଥିଲେ,‘ ସାର୍ଦ୍ଦୁଳ ତୁମକୁ ବିକଳ୍ପ ଖେଳାଳି ଭାବରେ ଦଳରେ ସାମିଲ କରାଯାଇପାରେ। ତେଣୁ ଏଥିପାଇଁ ତୁମେ ପ୍ରସ୍ତୁତ ରହିବା ସହିତ ନିଜର ଫିଟନେସ୍ ପ୍ରତି ସଜାଗ ଥିବ।’