କୋହଲି-ରୋହିତ ସଂପର୍କ ସୁଧୁରିବା ପଛରେ ଶାସ୍ତ୍ରୀ

ମୁମ୍ବାଇ: କରୋନା ମହାମାରୀର ଭୟାବହତା ଭିତରେ ଖେଳାଯାଉଥିବା ପ୍ରତିଟି ଶୃଙ୍ଖଳା ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଏକ ନିର୍ଦ୍ଦିଷ୍ଟ ଅବଧି ପାଇଁ ସଙ୍ଗରୋଧରେ ରହି ବାରମ୍ବାର ସଂକ୍ରମଣ ରହିତ ଥିବାର ପ୍ରମାଣ ଦେବାକୁ ପଡ଼ୁଛି। ତା’ସହ ବନ୍ଧୁ, ପରିବାର; ଏପରିକି ସାଥୀ ଖେଳାଳିଙ୍କଠାରୁ ଅଲଗା ରହି ଜୈବ ବଳୟ ଭିତରେ ଜୀବନ ବିତାଇବାକୁ ପଡ଼ୁଛି। ଏସବୁ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ପରିସ୍ଥିତି ଭିତରେ ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଯେଉଁ କିଛି ସକାରାତ୍ମକ ଘଟଣା ଘଟିଛି, ତା ଭିତରେ ଦଳର ଦୁଇ ଅତି ଗୁରୁତ୍ବପୂର୍ଣ୍ଣ ତଥା ବରିଷ୍ଠ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ପୁନର୍ବାର ସୁସଂପର୍କ ସ୍ଥାପିତ ହେବା ଅନ୍ୟତମ।

ସୀମିତ ଓଭର ଦଳର ଉପଅଧିନାୟକ ରୋହିତ ଏବଂ ଅଧିନାୟକ କୋହଲିଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଥିବାର ଖବର ପୂର୍ବରୁ ବହୁଥର ପଦାକୁ ଆସିଛି। ଦୁଇ ଜଣଙ୍କ ଭିତରେ ମତାନ୍ତର ହୋଇଥିବା ଖବର ମଧ୍ୟ କିଛି ଦିନ ତଳେ ବେଶ୍ ଚର୍ଚାରେ ଥିଲା। ଏଥିନେଇ ବିସିସିଆଇ କିମ୍ବା କୋହଲି ଓ ରୋହିତ ପାଟି ଫିଟାଇ ନଥିଲେ। ଏହି ମତାନ୍ତର ମନାନ୍ତରରେ ପରିଣତ ହେବା ପୂର୍ବରୁ କିନ୍ତୁ କରୋନା ପାଇଁ ହେଉଥିବା ସଙ୍ଗରୋଧ ‌ବେଳେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ପ୍ରଚେଷ୍ଟାରେ ଉଭୟଙ୍କ ମଧ୍ୟରେ ପୁନର୍ବାର ସେହି ପୁରୁଣା ସଂପର୍କ ଫେରିଆସିଥିବା ଜଣାପଡ଼ିଛି। ଦଳର ସଙ୍ଗରୋଧ ବେଳେ କୋହଲି ଓ ରୋହିତ ଏକାଠି ବହୁ ସମୟ କଟାଇଥିଲେ। ଫଳରେ ମନ ଭିତରେ ଥିବା ଅଭିମାନ ଦୂର କରିବାର ପର୍ଯ୍ୟାପ୍ତ ସୁଯୋଗ ପାଇଥିଲେ। ଶାସ୍ତ୍ରୀ ମଧ୍ୟ ଉଭୟଙ୍କୁ ଏକାଠି କରିବାରେ ନିର୍ଣ୍ଣାୟକ ଭୂମିକା ନେଇଥିଲେ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ଏହି ଘଟଣା କିନ୍ତୁ ଘରୋଇ ପରିବେଶରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ଦଳୀୟ ଖେଳାଳିଙ୍କୁ ଉତ୍ସାହିତ କରିଛି।

ସମ୍ବନ୍ଧିତ ଖବର