ମେଲବର୍ନ : ମେଲବର୍ନର ବକ୍ସିଂ ଡେ’ ଟେଷ୍ଟ୍ରେ ଭାରତ ପାଞ୍ଚଜଣିଆ ବୋଲିଂ ବାହିନୀ ନେଇ ସଫଳ ହୋଇଥିଲା। ସିଡ୍ନିରେ ମଧ୍ୟ ଏହି ରଣନୀତି ଜାରି ରଖିବା ସପକ୍ଷରେ ମୁଖ୍ୟ ପ୍ରଶିକ୍ଷକ ତଥା ପୂର୍ବତନ ଅଧିନାୟକ ରବି ଶାସ୍ତ୍ରୀ ଯୁକ୍ତି ବାଢ଼ିଛନ୍ତି। ଭାରତ ଯଦି ପାଞ୍ଚ ଜଣିଆ ବୋଲର ରଣନୀତି ଜାରି ରଖେ ଏବଂ ଉମେଶ ଯାଦବ ଫିଟ୍ ହୋଇନଥା’ନ୍ତି, ତାହାଲେ ସିଡ୍ନିରେ ଯୁବ ବୋଲର ନଭଦୀପ ସୈନି ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ସେପଟେ ବୁଧବାର ଦଳ ସହ ଯୋଗ ଦେଇଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଫିଟ୍ନେସ୍ ପରୀକ୍ଷଣରେ ଉତ୍ତୀର୍ଣ୍ଣ ହେଲେ ମୟଙ୍କ ଅଗ୍ରୱାଲଙ୍କ ସ୍ଥାନ ନେଇପାରନ୍ତି। ନହେଲେ ହନୁମା ବିହାରୀଙ୍କୁ ତାଙ୍କ ପାଇଁ ବାଟ ଛାଡ଼ିବାକୁ ପଡ଼ିବ। ମେଲବର୍ନରେ କେଏଲ୍ ରାହୁଲଙ୍କୁ ଷଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ଦଳରେ ନ ରଖିବା ପରେ ଭାରତୀୟ କ୍ରିକେଟ୍ ଦଳ ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଥିଲା। ତେବେ ଜଣେ ଅତିରିକ୍ତ ବୋଲରଙ୍କୁ ଖେଳାଇବାର ଢେର ଫାଇଦା ଦଳକୁ ମିଳିଥିଲା। ତୃତୀୟ ଦିନରେ ଉମେଶ ଯାଦବ ଆହତ ହୋଇ ଆଉ ବୋଲିଂ କରିପାରିନଥିଲେ ମଧ୍ୟ ତାଙ୍କ ଅନୁପସ୍ଥିତିକୁ ଭାରତ ସେତେଟା ଅନୁଭବ କରି ନଥିଲା। ରବୀନ୍ଦ୍ର ଜାଦେଜା ଏବଂ ଆର ଅଶ୍ବିନ ଲମ୍ବା ସ୍ପେଲ୍ରେ ବୋଲିଂ କରି ଏହି କ୍ଷତିକୁ ସଫଳତାର ସହ ଭରଣା କରି ନେଇଥିଲେ। ଏଣୁ ସିଡ୍ନିରେ ଖେଳାଯିବାକୁ ତୃତୀୟ ଟେଷ୍ଟ୍ରେ ମଧ୍ୟ ଭାରତ ପାଞ୍ଚ ବୋଲର ନୀତିକୁ ପରିବର୍ତ୍ତନ କରିବାର ସମ୍ଭାବନା କମ୍ ରହିଛି।
ଜାନୁଆରି ୪ ପୂର୍ବରୁ ସିଡ୍ନି ଯିବେନି ଭାରତ, ଅଷ୍ଟ୍ରେଲିଆ ଖେଳାଳି
ମେଲ୍ବର୍ନରେ ଅଭ୍ୟାସ ଜାରି ରହିବ
ମେଲ୍ବର୍ନ : ମେଲ୍ବର୍ନରେ ବକ୍ସିଂ ଡେ’ ଟେଷ୍ଟ୍ ୪ ଦିନ ମଧ୍ୟରେ ଶେଷ ହୋଇଯାଇଥିଲା ବେଳେ ଉଭୟ ଦଳର ଖେଳାଳିମାନେ ସେହିଠାରେ ହିଁ ଆଉ ଏକ ସପ୍ତାହ ରହିବେ। ଭାରତ ଓ ଅଷ୍ଟ୍ରେଲିଆ ଖେଳାଳିମାନେ ସିଡ୍ନିରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ୍ ପୂର୍ବରୁ ମେଲ୍ବର୍ନରେ ଅଭ୍ୟାସ ଜାରି ରଖିବେ। ସିଡ୍ନିରେ ଜାନୁଆରି ୭ ତାରିଖରେ ହେବାକୁ ଥିବା ତୃତୀୟ ଟେଷ୍ଟ୍ର ୩ ଦିନ ପୂର୍ବରୁ ସେଠାରେ ପହଞ୍ଚିବେ। କରୋନା ମହାମାରୀ ପ୍ରକୋପ ଯୋଗୁଁ ସମ୍ଭବତଃ ଜାନୁଆରି ୪ ତାରିଖ ପୂର୍ବରୁ ଉଭୟ ଦଳ ସିଡ୍ନି ଗସ୍ତ କରିବାର ସମ୍ଭାବନା କମ୍ ରହିଛି। ମଙ୍ଗଳବାର ରାତିରେ ଆମେ ସିଡ୍ନିରେ ହେବାକୁ ଥିବା ତୃତୀୟ ଟେଷ୍ଟ୍ ସ୍ଥାନ ପରିବର୍ତ୍ତନ ନ କରିବା ଲାଗି ନିଷ୍ପତ୍ତି ନେଇଥିଲୁ। ନୂଆ ବର୍ଷ ଏବଂ ସଂପ୍ରତି ସିଡ୍ନିରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାକୁ ନଜରରେ ରଖି ଉଭୟ ଦଳର ଖେଳାଳି ଓ ଅଫିସିଆଲ୍ ମେଲ୍ବର୍ନରେ ଅଧିକ କିଛି ଦିନ ରଖିବାକୁ ନିଷ୍ପତ୍ତି ହୋଇଥିଲା। ଏହା ପରେ ପୂରା ସୁରକ୍ଷିତ ସହ ଦଳ ସିଡ୍ନିରେ ପହଞ୍ଚି ସେଠାରେ ମ୍ୟାଚ୍ ଖେଳିବ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍ ହକ୍ଲେ କହିଛନ୍ତି।