ଚହଲଙ୍କୁ ବାଲକୋନିରେ ଝୁଲାଇଥିବା ଖେଳାଳିଙ୍କୁ ଆଜୀବନ ବାସନ୍ଦ କରିବାକୁ ଶାସ୍ତ୍ରୀଙ୍କ ଆହ୍ବାନ

ନୂଆଦିଲ୍ଲୀ: ଭାରତ ତଥା ରାଜସ୍ଥାନ ରୟାଲ୍ସ ସ୍ପିନର ୟୁଝବେନ୍ଦ୍ର ଚହଲଙ୍କୁ ବେଙ୍ଗାଲୁରୁର ଏକ ହୋଟେଲର ୧୫ ମହଲା ବାଲକୋନିରୁ ଝୁଲାଇଥିବା ଉଦ୍ଧତ ଖେଳାଳିଙ୍କୁ ତୁରନ୍ତ ଆଜୀବନ ବାସନ୍ଦ କରିବାକୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଆହ୍ବାନ କରିଛନ୍ତି। ଶୁକ୍ରବାର ଚହଲ ଏହି ଘଟଣା ଉପରୁ ପରଦା ଉଠାଇବା ପରେ ପୂରା କ୍ରିକେଟ୍ ଦୁନିଆରେ ବି ଝଡ଼ ସୃଷ୍ଟି ହୋଇଛି। ଚହଲ ୨୦୧୩ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିଲା ବେଳେ ତାଙ୍କ ସହ ଏହି ଲୋମଟାଙ୍କୁରା ଘଟଣା ଘଟିଥିବାରୁ ତୁରନ୍ତ ସଂପୃକ୍ତ ଖେଳାଳିଙ୍କୁ ଠାବ କରି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଶାସ୍ତ୍ରୀଙ୍କ ସହ ବହୁ ପୂର୍ବତନ କ୍ରିକେଟର୍‌ ଉଭୟ ବିସିସିଆଇ ଏବଂ ମୁମ୍ବାଇ ଇଣ୍ଡିଆନ୍ସକୁ ଦାବି କରିଛନ୍ତି।

ଏହି ଅଭିଯାନର ନେତୃତ୍ବ ନେଇ ଶାସ୍ତ୍ରୀ କହିଛନ୍ତି ଯେ ଏହା ଏକ ଛୋଟ କଥା ନୁହେଁ। ମୁଁ ଜାଣିନି କିଏ ସେହି ଖେଳାଳି। ସମ୍ଭବତଃ ସେତେବେଳେ ତାଙ୍କ ମତିଭ୍ରମ ହୋଇଯାଇଥିଲା। ଯଦି ଏଭଳି ହୋଇଥାଏ, ତାହେଲେ ଏହା ନିଶ୍ଚିତ ଭାବେ ବଡ଼ ଚିନ୍ତାର କାରଣ। ଏଠି ଆମେ ଜଣକ ଜୀବନ କଥା ହେଉଛେ। ସେହି ସମୟରେ ଚହଲଙ୍କ ଜୀବନ ବି ବିପଦରେ ଥିଲା। କିଛି ଲୋକଙ୍କ ପାଇଁ ଏହା ଥଟ୍ଟା ମଜାର ବିଷୟ ହୋଇପାରେ। ‌ହେଲେ ମୋ ପାଇଁ ଆଦୌ ନୁହେଁ। ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ ମଧ୍ୟ ଭିଡିଓ ଜାରି କରି ଏହି ମାମଲା ନେଇ ଘୋର ଚିନ୍ତା ପ୍ରକଟ କରିଛନ୍ତି। ଅଭିଯୁକ୍ତ ଖେଳାଳିଙ୍କୁ ଆଜୀବନ ବାସନ୍ଦ କରିବା ସହ ତାଙ୍କୁ ତୁରନ୍ତ ଏକ ଥଇଥାନ କେନ୍ଦ୍ରକୁ ପଠାଇ ଦେବାକୁ ଦାବି କରିଛନ୍ତି ସେ।

ସମ୍ବନ୍ଧିତ ଖବର