ଶାସ୍ତ୍ରୀଙ୍କ ଭାବବିହ୍ବଳ ବିଦାୟୀ ବାର୍ତା

ଦୁବାଇ: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ତଥା ପୂର୍ବତନ ଅଧିନାୟକ ରବି ଶାସ୍ତ୍ରୀ ସୋମବାର ଭାବବିହ୍ବଳ ବିଦାୟ ନେଇଛନ୍ତି। ନାମିବ୍ୟା ବିପକ୍ଷ ବିଜୟ ସହ ଭାରତର ଅଭିଯାନ ଶେଷ ହୋଇଯିବା ପରେ ଟିମ୍ ଇଣ୍ଡିଆର ଡ୍ରେସିଂ ରୁମ୍‌ରେ ରବି ଶାସ୍ତ୍ରୀ ଭାବବିହ୍ବଳ ବିଦାୟୀ ଅଭିଭାଷଣ ଦେଇଥିଲେ। ବିଗତ କିଛି ବର୍ଷ ଧରି ଦଳର ସଫଳତାକୁ ସେ ଉଚ୍ଚ ପ୍ରଶଂସା କରିବା ସହ ଏହା ଆଶାଠାରୁ ବି ଅଧିକ ବୋଲି ଦର୍ଶାଇଥିଲେ। ‘ତୁମେ ପିଲାମା‌ନେ ଗୋଟିଏ ଦଳ ଭାବେ ଯେଭଳି ଖେଳିଲ ଏହା ମୋ ଆଶାଠାରୁ ଅଧିକ ଥିଲା। ବିଗତ କିଛି ବର୍ଷ ହେବ ତୁମେ ବିଶ୍ବବ୍ୟାପୀ ଯାଇଛ, ସବୁ ଫର୍ମାଟ୍ ଖେଳିଛ, ସମସ୍ତଙ୍କୁ ହରାଇଛ। କ୍ରିକେଟ୍‌ ଖେଳିଥିବା ସବୁ ଦଳ ଭିତରେ ତୁମେ ଅନ୍ୟତମ ଶ୍ରେଷ୍ଠ। କାରଣ ଫଳଫଳ ହିଁ ଏହା ଦେଖାଉଛି’ ବୋଲି ଶାସ୍ତ୍ରୀ କହୁଥିବାର ଭିଡିଓକୁ ବିସିସିଆଇ ଟ୍ବିଟର୍ ହ୍ୟାଣ୍ଡ୍‌ଲରେ ଛାଡ଼ିଛି। ତୁମ୍ଭମାନଙ୍କ ପାଇଁ ଟୁର୍ଣ୍ଣାମେଣ୍ଟ୍ ଭଲ ବିତିପାରିନାହିଁ, ଏହି ସମୟ ମଧ୍ୟରେ ଆମେ ଗୋଟିଏ ଦୁଇଟି ଆଇସିସି ଟୁର୍ଣ୍ଣାମେଣ୍ଟ୍ ଜିତିପାରିଥା’ନ୍ତେ। ତୁମକୁ ପୁଣି ଥରେ ସୁଯୋଗ ମିଳିବ, ସେତେବେଳକୁ ତୁମେ ବିଜ୍ଞ ଓ ଅଭିଜ୍ଞ ହୋଇସାରିଥିବ’ ବୋଲି ଶାସ୍ତ୍ରୀ ତାଙ୍କ ବିଦାୟୀ ଅଭିଭାଷଣରେ ପ୍ରକାଶ କରିଥିଲେ।

ଶ୍ରୀନିବାସନଙ୍କୁ ଧନ୍ୟବାଦ
ମୋ ପ୍ରଶିକ୍ଷଣ ଦକ୍ଷତା ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଥିବାରୁ ରବି ଶାସ୍ତ୍ରୀ ପୂର୍ବତନ ବିସିସିଆଇ ସଭାପତି ଏନ୍ ଶ୍ରୀନିବାସନଙ୍କୁ କୃତଜ୍ଞତା ଜଣାଇଛନ୍ତି। ୨୦୧୪ ମସିହାରେ ଇଂଲଣ୍ଡରେ ଭାରତ ୧-୩ରେ ପରାସ୍ତ ହେବା ପରେ ତତ୍‌କାଳୀନ ବିସିସିଆଇ ସଭାପତି ଶ୍ରୀନିବାସନ ଶାସ୍ତ୍ରୀଙ୍କୁ ଦଳର ନିର୍ଦେଶକ ନିଯୁକ୍ତ କରିଥିଲେ। ୪ ବର୍ଷ ତଳେ କିନ୍ତୁ ଶାସ୍ତ୍ରୀଙ୍କୁ ମୁଖ୍ୟ ପ୍ରଶିକ୍ଷକ କରାଯାଇଥିଲା। ବିନା ସ୍ବାର୍ଥରେ ମୋତେ ଏଭଳି ଦାୟିତ୍ବ ଦେଇଥିବାରୁ ସେ ଶ୍ରୀନିବାସନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିସିସିଆଇକୁ ମଧ୍ୟ ଶାସ୍ତ୍ରୀ ଧନ୍ୟବାଦ ଦେଇଥିଲେ। ମୋ ଉପରେ ବିଶ୍ବାସ ରଖିଥିବାରୁ ବିସିସିଆଇର ସମସ୍ତ ସମିତି ଏବଂ ସିଓଏର ବି‌ନୋଦ ରାଏଙ୍କୁ ବି ଧନ୍ୟବାଦ ଜଣାଉଛି। ଶ୍ରୀନିବାସନଙ୍କୁ ସ୍ବତନ୍ତ୍ର ଶ୍ରେୟ ଦେବି। ମୋତେ ଏହି ଦାୟିତ୍ବ ମିଳିବା ବେଳେ ନିଜ ଉପରେ ବି ଭରସା ନଥିଲା। କିନ୍ତୁ ମୋ ଉପରେ ଏମାନଙ୍କର ବିଶ୍ବାସ ଅଧିକ ଥିଲା। ଦୀର୍ଘ ୭ ବର୍ଷ ଧରି ଦଳର ଅଂଶବିଶେଷ ଥିବାରୁ ଗର୍ବିତ। କ୍ରିକେଟ୍‌ ଇତିହାସରେ ଆମେ ଅନ୍ୟତମ ଶ୍ରେଷ୍ଠ ଦଳ ଭାବେ ‌‌ଖେଳିଛୁ ବୋଲି ଶାସ୍ତ୍ରୀ କହିଥିଲେ।

ବ୍ରାଡ୍‌ମ୍ୟାନ୍‌ଙ୍କ ହାରାହାରି ବି ଖସିଥା’ନ୍ତା
ଭାରତୀୟ ଖେଳାଳିଙ୍କ ସାମ୍ପ୍ରତିକ ଖରାପ ପ୍ରଦର୍ଶନକୁ ଇଙ୍ଗିତ କରି ଶାସ୍ତ୍ରୀ ଏଥିପାଇଁ କୋଭିଡ୍‌ ପରିସ୍ଥିତି ଏବଂ ଧାର୍ଯ୍ୟ ଜୈବ ବଳୟକୁ ଦୋଷ ଦେଇଥିଲେ। ‘ଗତ ୨୪ ମାସ ମଧ୍ୟରେ ଖେଳାଳିମାନେ ମାତ୍ର ୨୫ ଦିନ ଘରେ କାଟିଥିବେ, ଆପଣ କିଏ ମୁଁ ଜାଣିନାହିଁ, କିନ୍ତୁ ତୁମ ନାମ ଯଦି ବ୍ରାଡ୍‌ମ୍ୟାନ୍ ବି ହୋଇଥିବ ଓ ତୁମେ ଜୈବ ବଳୟ ଭିତରେ ରହିଛ ତେବେ ତୁମ ହାରାହାରି ନିଶ୍ଚିତ ହ୍ରାଇପାଇଯିବ, କାରଣ ତୁମେ ମାନବ’। ଜୈବ ବଳୟ ଭିତରେ ରହିଥିଲେ ବୋଲି ଖେଳାଳିମାନେ ଅଭିଯୋଗ କରିନାହାନ୍ତି, କିନ୍ତୁ ସଅଳ ହେଉ କି ବିଳମ୍ବ ନିଶ୍ଚିତ ଏହାର ବିସ୍ଫୋରଣ ହେବାର ଥିଲା। ଏଥିପାଇଁ ଯତ୍ନରେ ରହିବା କଥା’ ବୋଲି ଶାସ୍ତ୍ରୀ ପ୍ରକାଶ କରିଥିଲେ। ଏହ‌ାକୁ ମୁଁ କ୍ଷମା କରିଦେବାର ମାଧ୍ୟମ କରୁନାହିଁ, କିନ୍ତୁ ୬ ମାସ ଧରି ଜୈବ ବଳୟ ଭିତରେ ରହିବା ନିଶ୍ଚିତ ପ୍ରଭାବିତ କରିଛି ବୋଲି ସେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର