ଶେଷ ହେବ ଶାସ୍ତ୍ରୀକାଳ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ଇସ୍ତଫା ଦେବେ

କହିଲେ ଯାହା ଚାହୁଁଥିଲି ସବୁ ପାଇସାରିଛି, ପ୍ରଶିକ୍ଷକ ପଦକୁ ଆଉ ଜାବୁଡ଼ି ଧରିବାକୁ ଚାହୁଁନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ପୂର୍ବତନ ଅଧିନାୟକ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଟ୍ବେଣ୍ଟି-୨୦ ବିଶ୍ବକପ୍ ପରେ ଶେଷ ହୋଇଯିବ। ୟୁଏଇରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ଭାରତୀୟ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ପଦରୁ ଇସ୍ତଫା ଦେବେ ବୋଲି ବିରାଟ କୋହଲି ‌ଘୋଷଣା କରିବାର ଦିନକ ପରେ ଶାସ୍ତ୍ରୀ ମଧ୍ୟ ନିଜ ପଦ ଛାଡ଼ିବାର ସଙ୍କେତ ଦେଇଛନ୍ତି। ଅବଶ୍ୟ ବିସିସିଆଇ ଓ ଶାସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ୫ ବର୍ଷୀୟା କାର୍ଯ୍ୟକାଳ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ହିଁ ଶେଷ ହୋଇଯିବ। ତେବେ ସେ ଆଉ ପ୍ରଶିକ୍ଷକ ପଦରେ ରହିବାକୁ ଚାହୁନାହାନ୍ତି ବୋଲି ଶନିବାର ଦେଇଥିବା ସାକ୍ଷାତକାରରେ ଆଗୁଆ ଘୋଷଣା କରିଦେଇଛନ୍ତି ଶାସ୍ତ୍ରୀ।

‘‘ମୁଁ ଯାହା‌ ଚାହୁଥିଲି ସବୁକିଛି ପାଇସାରିଛି। ଟେଷ୍ଟ୍ କ୍ରିକେଟ୍‌ରେ ୫ ବର୍ଷ ଏକ ନମ୍ବର ସ୍ଥାନରେ ରହିବା, ଅଷ୍ଟ୍ରେଲିଆରେ ଦୁଇଟି ଏବଂ ଇଂଲଣ୍ଡରେ ଗୋଟିଏ ଶୃଙ୍ଖଳା ଜିତିବା ଭଳି ସଫଳତା ମୋ କାର୍ଯ୍ୟକାଳ ଭିତରେ ପାଇଛି। ଏଥିନେଇ ମୁଁ କିଛି ଦିନ ତଳେ ମାଇକେଲ ଆଥରଟନ୍‌ଙ୍କ ସହ କଥା ହୋଇଥିଲି। ତାଙ୍କୁ କହିଥିଲି ମୋ ପାଇଁ ଏହା ହିଁ ହେଉଛି ଶ୍ରେଷ୍ଠ ସଫଳତା, ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆରେ ହରାଇବା ଏବଂ କୋଭିଡ୍ ସମୟରେ ଇଂଲଣ୍ଡକୁ ଇଂଲଣ୍ଡରେ ହରାଇବା। ମୁଁ ଗର୍ବର ସହ କହୁଛି ଯେ ଆମେ ପ୍ରାୟତଃ ସବୁଦେଶକୁ ସେମାନଙ୍କ ଘରେ ହରାଇଛୁ। ଯଦି ଆମେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବୁ, ତାହାଲେ ଏହା ଏକ ଘଟଣା ବହୁଳ ଅଭିଯାନର ସୁଖଦ ଅନ୍ତ ହେବ। ମୁଁ ବିଶ୍ବାସ କରେ ଆପଣ ଯେଉଁଠି ସ୍ବାଗତ ସମ୍ବର୍ଦ୍ଧନା ପାଇଛନ୍ତି, ସେଠାରେ ଅଧିକ ସମୟ ରହିବା ଉଚିତ ନୁହେଁ ବୋଲି। ଭାବୁଛି ମୁଁ ଆଶାଠାରୁ ଅଧିକ ସଫଳତା ପାଇଛି। କ୍ରିକେଟ୍ ଜୀବନରେ ଏହାହିଁ ମୋତେ ସବୁଠାରୁ ଅଧିକ ଆ‌ତ୍ମସନ୍ତୋଷ ଦେଇଛି’’ ବୋଲି ଶାସ୍ତ୍ରୀ ଏହି ଅବସରରେ କହିଥିଲେ। ଖେଳାଳିଙ୍କ ଉପରେ ଚାପ କମାଇବା ଲାଗି ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳା ସଂଖ୍ୟାକୁ ସୀମିତ ରଖିବାକୁ ପରାମର୍ଶ ଦେଇଥିଲେ ସେ। ‘‘ଫୁଟବଲ୍ ଭଳି କ୍ରିକେଟ୍‌ରେ ମଧ୍ୟ ସ୍ବଳ୍ପ ସଂଖ୍ୟକ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳାଯିବା ଉଚିତ। ଫୁଟ୍‌ବଲ୍‌ରେ ସ୍ପାନିସ୍ ଲିଗ୍, ଇଟାଲିଆନ୍ ଲିଗ୍, ଜର୍ମାନ ଲିଗ୍ ଖେଳାଯାଏ ଏବଂ ଏହା ଉପରେ ଚାମ୍ପିଅନ୍ସ ଲିଗ୍ ଆୟୋଜିତ ହୁଏ। ସଂପ୍ରତି ଦ୍ବିପାକ୍ଷିକ ବନ୍ଧୁତ୍ବପୂର୍ଣ୍ଣ ଫୁଟ୍‌ବଲ୍ ମ୍ୟାଚ୍ ସଂଖ୍ୟା ଅତି ନଗଣ୍ୟ। ଜାତୀୟ ଦଳଗୁଡ଼ିକ କେବଳ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ ଏବଂ ୟୁରୋପିଆନ୍ ଚାମ୍ପିଅନସିପ୍, କୋପା ଆମେରିକା ଓ ଆଫ୍ରିକାନ୍ ନେସନ୍ସ କପ୍ ଭଳି ପ୍ରତିଯୋଗିତା‌ ଖେଳୁଛନ୍ତି। ଟ୍ବେଣ୍ଟି-୨୦ କ୍ରିକେଟ୍‌କୁ ଯେତେ ଅଧିକ ସଂପ୍ରସାରିତ କରାଯିବ ଏହି ଫର୍ମାଟ୍‌ର ଭବିଷ୍ୟତ ପାଇଁ ସେତେ ଭଲ। ଏହାକୁ ଅଲିମ୍ପିକ୍ସକୁ ନିଆଯାଉ। ଦ୍ବିପାକ୍ଷିକ ଶୃଙ୍ଖଳା ସଂଖ୍ୟାକୁ ହ୍ରାସ କରାଯାଇ ଖେଳାଳିଙ୍କୁ ଆବଶ୍ୟକ ବିଶ୍ରାମ ଦିଆଯାଉ’’ ବୋଲି କହିଥିଲେ ଶାସ୍ତ୍ରୀ।

ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଟ୍ବେଣ୍ଟି-୨୦ ବିଶ୍ବକପ୍ ପରେ ଶେଷ ହେଉଥିବାରୁ ବିସିସିଆଇ ମଧ୍ୟ ଏବେଠୁ ନୂଆ ପ୍ରଶିକ୍ଷକ ଖୋଜିବା କାମ ଆରମ୍ଭ କରିଦେଲାଣି। ସୌରଭ ଗାଙ୍ଗୁଲିଙ୍କ ସଭାପତିତ୍ବରେ ଚାଲୁଥିବା ବିସିସିଆଇ ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେଙ୍କୁ ପୁନର୍ବାର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିବାକୁ ଅନୁରୋଧ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିଭଳି ମିଷ୍ଟର ଡିପେଣ୍ଡେବଲ ଭିଭିଏସ୍ ଲକ୍ଷ୍ମଣଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। କୁମ୍ବଲେ ୨୦୧୬-୧୭ ଋତୁରେ ବର୍ଷକ ପାଇଁ ଭାରତୀୟ ଦଳର ପ୍ରଶିକ୍ଷକ ଥିଲେ। ହେଲେ ଅଧିନାୟକ ବିରାଟ କୋହଲିଙ୍କ ସହ ମତପାର୍ଥକ୍ୟ ପରେ କୁମ୍ବଲେ ନିଜ ଆଡ଼କୁ ଏହି ପଦରୁ ଓହରି ଯାଇଥିଲେ। ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ଭାରତ ହାରିବା ପରେ କୁମ୍ବଲେ ଇସ୍ତଫା ପ୍ରଦାନ କରିଥିଲେ। ଏବେକାର ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋରଙ୍କ ନାଁ ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ବିଚାରକୁ ନିଆଯିବାର ସମ୍ଭାବନା କମ୍ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି।

ପୁସ୍ତକ ଉନ୍ମୋଚନ ଉତ୍ସବରୁ କେହି କୋଭିଡ୍ ସଂକ୍ରମିତ ହୋଇନାହାନ୍ତି: ଶାସ୍ତ୍ରୀ

ମୁମ୍ବାଇ: ରବି ଶାସ୍ତ୍ରୀଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବକୁ ମାଞ୍ଚେଷ୍ଟରଠାରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ୍ ବାତିଲ ହେବାର ମୁଖ୍ୟ କାରଣ ଭାବେ ଦର୍ଶାଯାଉଛି। ଏହି ଉତ୍ସବରେ ଯୋଗଦେବା ପରେ ଶାସ୍ତ୍ରୀଙ୍କ ସହ ଭାରତୀୟ ପ୍ରଶିକ୍ଷକ ମଣ୍ଡଳିର ୪ଜଣ ସଦସ୍ୟ କୋଭିଡ୍ ପଜିଟିଭ୍ ଆସିଥିଲେ ବୋଲି ଦାବି ହେଉଛି। ନିଜେ ଶାସ୍ତ୍ରୀ କିନ୍ତୁ ଏଭଳି ଆଶଙ୍କା ଭିତ୍ତିହୀନ ବୋଲି ବର୍ଣ୍ଣନା କରିଛନ୍ତି। ଏହି ବିବାଦ ଉପରେ ମତ ପ୍ରକାଶ କରିବାକୁ ଯାଇ ସେ କହିଛନ୍ତି ଯେ ମୋର ଏଥିନେଇ କୌଣସି ଦୁଃଖ କିମ୍ବା ଅବସୋସ ନାହିଁ। କାରଣ ସେହି ଉତ୍ସବରେ ମୁଁ ବହୁ ଚମତ୍କାର ଲୋକଙ୍କୁ ଭେଟିଥି‌ଲି। ପିଲାମାନେ (ଭାରତୀୟ ଖେଳାଳି) ବାହାରକୁ ଯିବା ଏବଂ ବିଭିନ୍ନ ଲୋକଙ୍କ ସହ ମିଶିବା ବହୁତ ଭଲ କଥା। ନିରନ୍ତର ଭାବେ ସେମାନେ ହୋଟେଲ ରୁମ୍‌ରେ ବନ୍ଦ ରହିବା ଠିକ୍ ନୁହେଁ। ଓଭାଲ ଟେଷ୍ଟ୍‌ରେ ୫,୦୦୦ ଲୋକ ବ୍ୟବହାର କରୁଥିବା ପାହାଚକୁ ଆମେ ଚଢ଼ୁଥିଲୁ। ଏଣୁ କେବଳ ସେହି ପୁସ୍ତକ ଉନ୍ମୋଚନ ଉତ୍ସବ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବା ଆଦୌ ଠିକ୍ ନୁହେଁ। ଏଥିରୁ କେହି କୋଭିଡ୍ ସଂକ୍ରମିତ ହୋଇନାହାନ୍ତି। ସେଠା‌ରେ ୨୫୦ ଜଣ ଲୋକ ଥିଲେ ଏବଂ କାହାକୁ କୋଭିଡ୍ ହୋଇନଥିଲା। ସଙ୍ଗରୋଧରେ ଥିଲା ବେଳେ ମଧ୍ୟ ମୋ ଦେହରେ କୋଭିଡ୍‌ର କୌଣସି ଲକ୍ଷଣ ଦେଖାଯାଇ ନଥିଲା। ଅବଶ୍ୟ ତଣ୍ଟି ଟି‌କେ ଦରଜ ରହିଥିଲା ବୋଲି ଶାସ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର