ଟେଷ୍ଟ୍‌ ଦଳକୁ ଫେରିଲେ ସ’, ଦିନିକିଆରେ ରୋହିତଙ୍କ ସ୍ଥାନ ନେଲେ ମୟଙ୍କ

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ଟିକିଆ ଟେଷ୍ଟ୍‌ ଶୃଙ୍ଖଳା ଲାଗି ମଙ୍ଗଳବାର ୧୬ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଦେଢ଼ବର୍ଷର ବ୍ୟବଧାନ ପରେ ମୁମ୍ବାଇର ପ୍ରତିଭାବାନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ପୃଥ୍ବୀ ସ’ ଜାତୀୟ ଦଳକୁ ଫେରିଛନ୍ତି। ଟେଷ୍ଟ୍‌ ଦଳରେ ସେ ରୋହିତ ଶର୍ମାଙ୍କ ସ୍ଥାନ ନେଇଛନ୍ତି। ଅନ୍ୟପକ୍ଷରେ ବୁଧବାରଠାରୁ ଆରମ୍ଭ ହେଉଥିବା ଦିନିକିଆ ଶୃଙ୍ଖଳା ଲାଗି ଆହତ ରୋହିତଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ସାମିଲ କରାଯାଇଛି।

ଅକ୍ଟୋବର ୨୦୧୮ରେ ରାଜକୋଟଠାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପଦାର୍ପଣ ଟେଷ୍ଟ୍‌ରେ ଶତକ ହାସଲ କରିଥିବା ସ’ ପରବର୍ତୀ ଅଷ୍ଟ୍ରେଲିଆ ଗସ୍ତକୁ ଡାକରା ପାଇଥିଲେ। ତେବେ ଗୋଇଠିରେ ଆଘାତ ଲାଗିବା ପରେ ସଂପୂର୍ଣ୍ଣ ଶୃଙ୍ଖଳାରୁ ବାଦ୍ ପଡ଼ିଥିଲେ। ଗତବର୍ଷ ଡୋପ୍ ପରୀକ୍ଷଣରେ ଧରାପଡ଼ିବା ପରେ ନିଲମ୍ବିତ ହୋଇ କ୍ରିକେଟ୍‌ରୁ ଦୂରେଇ ରହିବାକୁ ବାଧ୍ୟ ହୋଇଥିଲେ। ସେଥିପାଇଁ ୱେଷ୍ଟଇଣ୍ଡିଜ୍ ଗସ୍ତ ସହ ଘରୋଇ ପରିବେଶରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍ ଓ ବାଂଲାଦେଶ ଶୃଙ୍ଖଳାରେ ଖେଳି ପାରି ନଥିଲେ। ବରୋଦା ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍‌ରେ ଦ୍ବିଶତକ ହାସଲ କରିବା ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ‘ଏ’ ଦଳର ପ୍ରତିନିଧିତ୍ବ କରି ସେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ନିୟମିତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଆହତ ହେବା ସ’ଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ରୋହିତଙ୍କ ସ୍ଥାନ ସେ ହିଁ ନେଇଛନ୍ତି। ସେହିଭଳି ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ଦ୍ବିଶତକ ହାସଲ କରିଥିବା ଶୁବମନ ଗିଲ୍ ମଧ୍ୟ ଟେଷ୍ଟ୍‌ ଦଳରେ ଅଛନ୍ତି।

ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରିବା ପୁରସ୍କାର ଦିଲ୍ଲୀ ଦ୍ରୁତ ବୋଲର ନଭଦୀପ ସୈନି ପାଇଛନ୍ତି। ତାଙ୍କୁ ଟେଷ୍ଟ୍‌ ଦଳରେ ଜାଗା ମିଳିଛି। କୋଲକାତାରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟ୍‌ରେ ଆହତ ହୋଇଥିବା ଋଦ୍ଧିମାନ ଶାହ ପ୍ରଥମ ପସନ୍ଦର ୱିକେଟ୍ ରକ୍ଷକ ଥିଲା ବେଳେ ତାଙ୍କ ସହ ଯୁବ ତାରକା ଋଷବ ପନ୍ତ ସଂରକ୍ଷିତ ୱିକେଟ୍ ରକ୍ଷକ ଭାବେ ନିଜ ସ୍ଥାନ ବଜାୟ ରଖିଛନ୍ତି। ବାମହାତୀ ସ୍ପିନର କୁଲଦୀପ ଯାଦବ ଦଳରୁ ବାଦ୍‌ ପଡ଼ିଥିଲା ବେଳେ ରବିଚନ୍ଦ୍ରନ୍ ଅଶ୍ବିନ ଓ ରବୀନ୍ଦ୍ର ଜାଦେଜା ଦୁଇ ବିଶେଷଜ୍ଞ ସ୍ପିନର ଭାବେ ପାଞ୍ଚ ଜଣ ଦ୍ରୁତ ବୋଲର (ଯଶପ୍ରୀତ ବୁମ୍‌ରା, ଉମେଶ ଯାଦବ, ମହମ୍ମଦ ସାମି, ନଭଦୀପ ସୈନି, ଈଶାନ୍ତ ଶର୍ମା)ଙ୍କ ସହ ଦଳରେ ଅଛନ୍ତି। ସୁସ୍ଥ ହୋଇ ଯାଇଥିବାରୁ ଦ୍ରୁତ ବୋଲର ଈଶାନ୍ତ ଶର୍ମା ବିପଜ୍ଜନକ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ଦଳରେ ସାମିଲ ହୋଇଛନ୍ତି। ତେବେ ଈଶାନ୍ତଙ୍କୁ ସର୍ତ୍ତମୂଳକ ଭାବେ ସ୍ଥାନ ମିଳିଛି। ମ୍ୟାଚ୍ ଖେଳିବା ତାଙ୍କ ଫିଟ୍‌ନେସ୍ ପରୀକ୍ଷାର ଫଳାଫଳ ଉପରେ ନିର୍ଭର କରିବ। ସଂପ୍ରତି ସେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମିରେ ଅଭ୍ୟାସ ଜାରି ରଖିଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ଗସ୍ତରେ ଭାରତୀୟ ଦଳ ଦୁଇଟି ଟେଷ୍ଟ୍‌ ଖେଳିବ। ପ୍ରଥମ ଟେଷ୍ଟ୍ ଆସନ୍ତା ୨୧ ତାରିଖରୁ ୱେଲିଂଟନ୍ ଓ ଦ୍ବିତୀୟ ଟେଷ୍ଟ ୨୯ ତାରିଖରୁ କ୍ରିଷ୍ଟଚର୍ଚଠାରେ ଆରମ୍ଭ ହେବ।

ଭାରତୀୟ ଟେଷ୍ଟ ଦଳ: ବିରାଟ ‌କୋହଲି (ଅଧିନାୟକ), ମୟଙ୍କ ଅଗ୍ରୱାଲ, ପୃଥ୍ବୀ ସ’, ଶୁବମନ ଗିଲ, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ (ଉପଅଧିନାୟକ), ହନୁମା ବିହାରୀ, ଋଦ୍ଧିମାନ ଶାହ (ୱିକେଟ୍ ରକ୍ଷକ), ଋଷବ ପନ୍ତ (ୱିକେଟ୍ ରକ୍ଷକ), ରବିଚନ୍ଦ୍ରନ୍‌ ଅଶ୍ବିନ, ରବୀନ୍ଦ୍ର ଜାଦେଜା, ଯଶପ୍ରୀତ ବୁମ୍‌ରା, ଉମେଶ ଯାଦବ, ମହମ୍ମଦ ସାମି, ନଭଦୀପ ସୈନି, ଈଶାନ୍ତ ଶର୍ମା (ସର୍ତ୍ତମୂଳକ)।

ସମ୍ବନ୍ଧିତ ଖବର